ଆସ୍କାରେ ‘ଯୁବ ଶକ୍ତି ସମାବେଶ’ :୫୫୦ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ
ଆସ୍କାରୁ ମନୋଜ କୁମାର ମୁନି : ଯୁବବର୍ଗ ପାଇଁ ଅସୀମ ସମ୍ଭାବନାର ରାଜ୍ୟ ହେବ ଓଡ଼ିଶା । ଓଡ଼ିଶାର ଯୁବ ସମାଜ ପାଇଁ ଏକ ସୁବର୍ଣ୍ଣ ଯୁଗ ଆସୁଛି । ସବୁ କ୍ଷେତ୍ରରେ ବ୍ୟାପକ ସୁଯୋଗ ସୃଷ୍ଟି ହେଇଛି । ୨୦୩୬ ସୁଦ୍ଧା ୫୦୦ ବିଲିଅନ ଡଲାର ଓ ୨୦୪୭ ସୁଦ୍ଧା ୧.୫ ଟ୍ରିଲିଅନ ଡଲାର ଅର୍ଥନୀତି ପାଇଁ ଲକ୍ଷ୍ୟ ରହିଛି । ଏଥିରେ ଯୁବ ଶକ୍ତି ହିଁ ମୁଖ୍ୟ ଭୂମିକା ଗ୍ରହଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଗଞ୍ଜାମ ଜିଲ୍ଲା ଆସ୍କା ଠାରେ ଆୟୋଜିତ ରାଜ୍ୟସ୍ତରୀୟ ଯୁବ ଶକ୍ତି ସମାବେଶରେ କହିଛନ୍ତି ।
ଗଞ୍ଜାମ ବାସୀଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେଯେ, ଗଞ୍ଜାମ ଜିଲ୍ଲାର ପ୍ରତ୍ୟେକ କୋଣ ଅନୁକୋଣରେ ଭରି ରହିଛି କଳା, ସଙ୍ଗୀତ, ନୃତ୍ୟ ଓ ଗୀତର ସମ୍ଭାର । କେବଳ କଳା ନୈପୁଣ୍ୟ ନୁହେଁ ରାଜନୀତିରେ ମଧ୍ୟ ପାରଙ୍ଗମ ଗଞ୍ଜାମବାସୀ । ଗଞ୍ଜାମରେ ଗଞ୍ଜାମ ବାସୀ ଡବଲ ନୁହେଁ ଟ୍ରିପଲ୍ ଇଞ୍ଜିନ ସରକାର ଗଠନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏହି ଅବସରରେ ଜିଲ୍ଲାରେ ୫୫୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଏଥିରେ ୫ଟି ଜଳସେଚନ ପ୍ରକଳ୍ପ, ଗୋଟିଏ ସଡକ ପ୍ରଶସ୍ତିକରଣ ପ୍ରକଳ୍ପ, ଗୋଟିଏ ହାଇ ଲେଭେଲ୍ ପ୍ରକଳ୍ପ ଓ ଅନ୍ୟାନ୍ୟ ପ୍ରକଳ୍ପ ରହିଛି । ମା’ ତାରତାରେଣୀ ମନ୍ଦିର ଉନ୍ନତିକରଣ ପାଇଁ ରିଭାଇଜ୍ ଡିପିଆର ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଥିଲେ । ପୋଲସରାରେ ଏକ ବିଶ୍ୱସ୍ତରୀୟ ଶିଳ୍ପ ତାଲିମ ପ୍ରତିଷ୍ଠାନ ପାଇଁ ଜାଗା ଯୋଗାଇ ଦିଆଯିବ ବୋଲି ସେ କହିଥିଲେ ।
ଆମ ଓଡ଼ିଶାରେ ୧୫ ରୁ ୩୫ ବର୍ଷ ମଧ୍ୟରେ ଜନସଂଖ୍ୟା ହେଉଛି ୧.୭ କୋଟି । ଆମର ଏହି ବିପୁଳ ଯୁବ ଶକ୍ତିର ସାମର୍ଥ୍ୟ ଉପରେ ଭରସା କରି ଆମେ ଭବିଷ୍ୟତ ପାଇଁ ରୋଡମ୍ୟାପ ପ୍ରସ୍ତୁତ କରିଛୁ । ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା ପାଇଁ ଜାତୀୟ ଶିକ୍ଷା ନୀତି ଲାଗୁ କରିଛୁ । ମୌଳିକ ଶିକ୍ଷାର ଉନ୍ନତି ପାଇଁ ନିପୁଣ ଓଡ଼ିଶା କାର୍ଯ୍ୟକ୍ରମ ସହିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଆରମ୍ଭ କରିଛୁ । ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ ପିଲାମାନଙ୍କ ପାଇଁ ଉଚ୍ଚଶିକ୍ଷା କ୍ଷେତ୍ରରେ ୧୧.୨୫% ସଂରକ୍ଷଣ ବ୍ୟବସ୍ଥା କରିଛୁ । ପିଲାମାନଙ୍କୁ ନିଯୁକ୍ତି ଯୋଗ୍ୟ କରିବା ପାଇଁ ୫୮ ଟି କଲେଜରେ ଶିଳ୍ପ ସମ୍ପର୍କ ଓ ବ୍ୟବହାରିକ ଶିକ୍ଷା ଜ୍ଞାନରେ ତାଲିମ ଦେଉଛୁ । ସେହିପରି ଆମ ସରକାର ରାଜ୍ୟରେ ଖେଳକୁଦ ପାଇଁ ଅନେକ ବ୍ୟବସ୍ଥା କରିଛନ୍ତି, ତେଣୁ ଯୁବ ସମାଜ ଏହାର ସୁବିଧା ନେଇ ନିଜ ପ୍ରତିଭାକୁ ବ୍ୟବହାର କରି କ୍ରୀଡାକୁ କ୍ୟାରିଅର କରିବା ପାଇଁ ପରାମର୍ଶ ଦେଇଥିଲେ ।
ରାଜ୍ୟର ଶିଳ୍ପାୟନ ଉପରେ ଆଲୋକପାତ କରି ସେ କହିଥିଲେ, ଉକôର୍ଷ ଓଡିଶା କାର୍ଯ୍ୟକ୍ରମରେ ୧୭ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ସହିତ ୧୩ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ୧୫୦ ଦିନ ମଧ୍ୟରେ ୧ ଲକ୍ଷ ୮୦ ହଜାର କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ କରିଛୁ । ଏହା ମାଧ୍ୟମରେ ୧.୧୦ ଲକ୍ଷ ନିଯୁକ୍ତି ମିଳିବା ନିଶ୍ଚିତ ହୋଇଛି । ଏକବର୍ଷ ମଧ୍ୟରେ ୨୮ ହାଜର ୩୪୬ ସରକାରୀ ନିଯୁକ୍ତି ଦେଇଛୁ । ଯୁବ ବର୍ଗଙ୍କ ପାଇଁ ଆମେ କୌଣସି ସୁଯୋଗ ହାତଛଡ଼ା କରିବୁ ନାହିଁ ।
ଓଡ଼ିଶା ଯୁବ ବର୍ଗଙ୍କୁ ଉସôାହିତ କରି ସେ କହିଥିଲେ ଆପଣମାନେ ନିଜ ନିଜର ପ୍ରତିଭାକୁ ଜାଣନ୍ତୁ ଏବଂ ତାର ବିକାଶ ପାଇଁ କାମ କରନ୍ତୁ । ନିଜର ଚିନ୍ତାଧାରାକୁ ବିଶ୍ୱସ୍ତରୀୟ କରନ୍ତୁ । ଦେଢ଼ କୋଟିରୁ ଅଧିକ ଯୁବ ବର୍ଗ ଯେତେବେଳେ ସଫଳ ହେବେ, ସେତେବେଳେ ଓଡିଶା ଦେଶର ଶ୍ରେଷ୍ଠ ରାଜ୍ୟ ଭାବେ ବିକଶିତ ଭାରତର ଗ୍ରୋଥ୍ ଇଞ୍ଜିନ ହେବ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାର ବରପୁତ୍ରମାନଙ୍କ ସହିତ ମହାନ ଜନନେତା ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ପ୍ରକାଶିତ ପୁସ୍ତିକା ତୃଣମୂଳରୁ ଶୀର୍ଷ ସୋପାନ ଉନ୍ମୋଚନ କରିଥିଲେ । କାର୍ଯ୍ୟକ୍ରମରେ ଇସ୍ପାତ ଓ ଖଣିମନ୍ତ୍ରୀ ବିଭୂତି ଭୂଷଣ ଜେନା, କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍, ମସô୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ, କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ଭଞ୍ଜନଗର, କବିସୂର୍ଯ୍ୟନଗର, ବ୍ରହ୍ମପୁର, ଛତ୍ରପୁର, ଖଲିକୋଟ, ଦିଗପହଣ୍ଡି, ଚିକିଟି ଓ ସୋରଡ଼ାର ବିଧାୟକ ଏବଂ କ୍ରୀଡ଼ା ଓ ଯୁବ ସେବା ବିଭାଗର ପ୍ରମୁଖ ଶାସନ ସଚିବ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଆସ୍କା ସାଂସଦ ଅନିତା ଶୁଭଦର୍ଶୀନି ସ୍ୱାଗତ ଭାଷଣ ଦେଇଥିବାବେଳେ ଆସ୍କା ବିଧାୟକ ସରୋଜ କୁମାର ପାଢ଼ୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।