ସ୍କୁଲ ଭ୍ୟାନ୍ ଧକ୍କାରେ ବାଇକ୍ ଆରୋହୀ ମୃତ

ନୂଆପଡା:  ନୂଆପଡ଼ା ଜିଲ୍ଲା କୋମନା ଥାନା ଝଗ୍ରାହୀ ଚାରିଛକ ଠାରେ ଏକ ସ୍କୁଲ୍ ଭ୍ୟାନ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତୁ୍ୟ ଘଟିଛି । ମୃତକ ହେଲେ ଛତିଶଗଡ଼ ରାଜ୍ୟ ଶକ୍ତି ଜିଲ୍ଲା ହସୌଦ ଥାନା ଚିସ୍ତା ଗ୍ରାମର ଦିଗମ୍ବର ଜଳତାରେ (୨୧) । ସୂଚନା ଅନୁସାରେ, ଦିଗମ୍ବର ଛତିଶଗଡ଼ ରାଜ୍ୟ ଗରିଆବନ୍ଧ ଠାରେ ପୋଷ୍ଟ ମାଷ୍ଟର ଚାକିରି କରୁଥିଲେ । ସେ କିଛିଦିନ ତଳେ ନିଜ ଗାଁକୁ ଆସି  ବାଇକ୍ ଯୋଗେ ଗରିଆବନ୍ଧ ଯାଉଥିଲେ । କୋମନା ଥାନା ଝଗ୍ରାହୀ ଚାରିଛକ ନିକଟରେ ଏକ ସ୍କୁଲ ଭ୍ୟାନ୍ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ସେ ଛିଟିକି ପଡି ଗୁରୁତର ହୋଇଥିଲେ । କୋମନା ପୁଲିସ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଭେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଦୁର୍ଘଟଣା ଘଟାଇଥିବା ସ୍କୁଲ ଭ୍ୟାନକୁ ପୋଲିସ ଜବତ କରିବା ସହ ଡ୍ରାଇଭରଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ।