କେନ୍ଦୁଝରରେ ହେବ "ରଙ୍ଗବତୀ’ ଉତ୍ସବ 

 ଭୁବନେଶ୍ୱର/କେନ୍ଦୁଝର : କେନ୍ଦୁଝରରେ ଆୟୋଜିତ ହେବାକୁ ଯାଉଛି ପଶ୍ଚିମ ଓଡ଼ିଶା ନୃତ୍ୟ, ସଂଗୀତ ଉତ୍ସବ "ରଙ୍ଗବତୀ ।’ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡିଶା ସଂଗୀତ ନାଟକ ଏକାଡେମୀ, କେନ୍ଦୁଝର ଜିଲ୍ଲା ପ୍ରଶାସନ, ଜିଲ୍ଲା ସଂସ୍କୃତି ପରିଷଦ ଏବଂ ଆଦିମ୍- ସଂସ୍କୃତି, କେନ୍ଦୁଝରର ମିଳିତ ସହଯୋଗରେ ଅନୁଷ୍ଠିତ ହେବାକୁ ଥିବା ଏହି ମନୋରଞ୍ଜନଧର୍ମୀ ଉତ୍ସବ ୫ରୁ ୭ ପର୍ଯ୍ୟନ୍ତ ତିନିଦିନ ଧରି କାଳିପଡିଆ, କେନ୍ଦୁଝର ଠାରେ ଅନୁଷ୍ଠିତ ହେବ ।
ଏଥିରେ ରାଜ୍ୟର ମନ୍ତ୍ରୀ ମଣ୍ଡଳର ମନ୍ତ୍ରୀଗଣ, କେନ୍ଦୁଝର ଜିଲ୍ଲାର ସାଂସଦ, ବିଧାୟକ, ବହୁ ବିଶିଷ୍ଟ କଳାକାର ଏବଂ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ପଶ୍ଚିମ ଓଡିଶାର କଳା, ସାହିତ୍ୟ, ସଂସ୍କୃତି, ପରମ୍ପରା, ନୃତ୍ୟ, ସଂଗୀତ ଆଦିର ବହୁଳ ପ୍ରଚାର ଓ ପ୍ରସାର ନିମନ୍ତେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଥିବା ବେଳେ ଚଳିତ ବର୍ଷର "ରଙ୍ଗବତୀ’ ଉତ୍ସବରେ ପଶ୍ଚିମ ଓଡ଼ିଶାର ବହୁ ବିଶିଷ୍ଟ ଲୋକକଳାକାର, ନୃତ୍ୟଶିଳ୍ପୀ ଏବଂ କଣ୍ଠଶିଳ୍ପୀମାନେ ଯୋଗଦେଇ ନୃତ୍ୟ ଓ ସଂଗୀତକୁ ଆହୁରି ଉତ୍ସବମୁଖର କରିବେ ବୋଲି ମତ ପ୍ରକାଶ ପାଇଛି । ଡାଲଖାଇ, ରସରକେଲି ଠାରୁ ନେଇ ହୋମୁଣ୍ଡା, ଛଉ, ଚାଙ୍ଗୁ, ଝୁମର ନୃତ୍ୟ ପର୍ଯ୍ୟନ୍ତ ଏବଂ ଢ଼ୋଲ, ତବଲା, ମୃଦଙ୍ଗ ଏବଂ ବିଭିନ୍ନ ପାରମ୍ପରିକ ବାଦ୍ୟରେ ପଶ୍ଚିମ ଓଡ଼ିଶାର ଲୋକସଂଗୀତ ପରିବେଷଣ କରାଯିବ ବୋଲି ମତ ପ୍ରକାଶ ପାଇଛି । ଆମ ଓଡ଼ିଶାର ଲୋକକଳା ଓ ଲୋକସଂସ୍କୃତିକୁ ଚିର ଉଜ୍ଜୀବିତ କରି ରଖିବା ଲକ୍ଷ୍ୟରେ ଆୟୋଜିତ ହେବାକୁ ଥିବା "ରଙ୍ଗବତୀ’ ଉତ୍ସବରେ ଯୋଗଦେବା ପାଇଁ ଜନସାଧାରଣଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି ।