ସ୍କୁଲ ଶିକ୍ଷାରେ ସାମିଲ ହେବ ‘ମିଶନ ଲାଇଫ୍’

 ନୂଆଦିଲ୍ଲୀ/ଭୁବନେଶ୍ୱର: ସ୍କୁଲ୍ ଶିକ୍ଷାରେ ସାମିଲ ହେବାକୁ ଯାଉଛି ‘ମିଶନ ଲାଇଫ୍’ । ଅର୍ଥାତ୍ ଛାତ୍ରଛାତ୍ରୀ ଏଣିକି ପରିବେଶ ସୁରକ୍ଷା ସହ ଜଳବାୟୁ ପରିବର୍ତ୍ତନ ପାଠ ମଧ୍ୟ ପଢ଼ିବେ । ଗୁରୁବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ମଧ୍ୟରେ ଏ ସମ୍ପର୍କିତ ଅନୁଷ୍ଠିତ ପ୍ରାରମ୍ଭିକ ବୈଠକରୁ ଏହା ଜଣାପଡ଼ିଛି । ବୈଠକରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଏବଂ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।  
ଏ ଅବସରରେ ଧର୍ମେନ୍ଦ୍ର କହିଥିଲେ ଯେ ଜାତୀୟ ଶିକ୍ଷା ନୀତି ସ୍କୁଲ ପାଠ୍ୟକ୍ରମରେ ପରିବେଶ ସଚେତନତା ଏବଂ ଜଳବାୟୁ ପରିବର୍ତ୍ତନ ଶିକ୍ଷାକୁ ସମନ୍ୱିତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଉଛି । ପୂର୍ବରୁ ମଧ୍ୟ ସ୍କୁଲ ଶିକ୍ଷାରେ ପରିବେଶଗତ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି । ଏହାକୁ ପାଠପଢାର ଅଂଶ ଭାବରେ ନିଆଯାଇ ବାଲବାଟିକାରୁ ବିଭିନ୍ନ କାର୍ଯ୍ୟକ୍ରମ ଓ ଅଭିଯାନ ମାଧ୍ୟମରେ ପରିବେଶ ସୁରକ୍ଷାକୁ ପ୍ରୋତ୍ସାହିତ କରାଯାଇଛି । ସ୍କୁଲ ପାଠ୍ୟକ୍ରମରେ ମିଶନ ଲାଇଫକୁ ଯୋଡ଼ାଗଲେ ସାରା ଭାରତବର୍ଷରେ ୧୪.୭ ଲକ୍ଷରୁ ଅଧିକ ସ୍କୁଲ ଏବଂ ୩୦ କୋଟିରୁ ଅଧିକ ଛାତ୍ରଛାତ୍ରୀମାନେ ଏହି ଜନଆନେ୍ଦାଳନରେ ଯୋଡ଼ିହେବେ । ଯାହା ପରିବେଶ ପାଇଁ ସୁସ୍ଥ ଜୀବନଶୈଳୀକୁ ବ୍ୟାପକ କରିବାରେ ସାହାଯ୍ୟ କରିବ । 
ଶିକ୍ଷା ମନ୍ତ୍ରଣାଳୟ ଏବଂ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ମନ୍ତ୍ରଣାଳୟ ଜଳବାୟୁ-ସଚେତନ ନାଗରିକଙ୍କୁ ଯୋଡ଼ିବା ସହ ଆମ ପରିବେଶ ସୁରକ୍ଷା ପାଇଁ ସାମୂହିକ କାର୍ଯ୍ୟ କରିବ । ଜଳବାୟୁ ପ୍ରତିବଦ୍ଧତାକୁ ସାକାର କରିବା ସହ ଭାରତର ଜଳବାୟୁ ଲିଡରସିପ ପ୍ରତିଷ୍ଠା କରିବା ପାଇଁ ମିଳିତ ଭାବରେ କାର୍ଯ୍ୟ କରିବା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଥିଲେ ।