ଲୁଟ୍ ଉଦ୍ୟମ ବିଫଳ : ବୃଦ୍ଧଙ୍କୁ ଛୁରୀରେ ଆକ୍ରମଣ, ୩ ଗିରଫ


 ବାଲିଅନ୍ତା: ଶାନ୍ତିସ୍ତୁପ ଧଉଳି ଅଶୋକଙ୍କ ଶିଳାଲେଖ ନିକଟରେ ଲୁଟ୍ ଉଦ୍ୟମ କରି ବିଫଳ ହେବାପରେ ଜଣେ ବୃଦ୍ଧଙ୍କ କିଛି ଦୁର୍ବୁତ୍ତ ଛୁରିରେ ଆକ୍ରମଣ କରିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନେ ହେଲେ କୁମାରଡିହ ଗ୍ରାମର ସ୍ୱର୍ଗତଃ ବୁଲୁ ଭୋଇଙ୍କ ପୁଅ କାହ୍ନୁ ଚରଣ ଭୋଇ, ରଘୁନାଥପୁର ଗ୍ରାମର ଅଶୋକ ବେହେରାଙ୍କ ପୁଅ ଶାନ୍ତନୁ ବେହେରା ଏବଂ କୌଶଲ୍ୟାପୁର ଭୋଇ ସାହିର ଆରୁ ଭୋଇଙ୍କ ପୁଅ ବାପି ଓରଫ ବିପିନ ଭୋଇ । ଏଥିସହ ସେମନଙ୍କ ଠାରୁ ଏକ ମୋଟର ସାଇକଲ ଓ ପାଣି ମଟର ଜବତ କରିଛି । ସ୍ଥାନୀୟ ଖଟୁଆପଡା ଗ୍ରାମର ରାଜକିଶୋର ପଣ୍ଡା ନିଜ ନାତୀ, ନାତୁଣୀଙ୍କୁ ନେଇ ଧଉଳି ପାଦଦେଶରେ ଥିବା ଅଶୋକ ଶିଳାଲେଖ ପାର୍କରେ ବୁଲାଉଥିଲେ । ଏହି ସମୟରେ ୩ ଜଣ ଏକ ବାଇକରେ ଆସି ପାର୍କରେ ବୁଲୁଥିବା ପିଲାଙ୍କୁ ପାଖକୁ ଡାକି ସୁନାଚେନ ଲୁଟ୍ କରିବାକୁ ଉଦ୍ୟମ କରିଥିଲେ । ଏହା ଦେଖି ରାଜିକିଶୋର ସେମାନଙ୍କୁ ତାଗିଦ କରିଥିଲେ । ଏପରିକି ତାଙ୍କ ବେକରୁ ସୁନାଚେନ ନେବାପାଇଁ ଉଦ୍ୟମ କରିଥିଲେ । ରାଜକିଶୋର ପ୍ରତିବାଦ କରିବାରୁ ତାଙ୍କୁ ମାଡ ମାରିବା ସହ ଏକ ଛୁରିରେ ଆକ୍ରମଣ କରିଥିଲେ । ଫଳରେ ଜୀବନ ବିକଳରେ ରାଜକିଶୋର ଚିକ୍ରାର କରିଥିଲେ । ତାଙ୍କ ଚିକ୍ରାର ଶୁଣି ଆଖପାଖ ଲୋକ ଆସି ଜଗନ, ବାପି, କାହ୍ନୁଙ୍କୁ ଧରି ପୁଲିସରେ ଜିମା ଦେଇଥିଲେ । ଏମାନେ ଆହୁରି ଅନେକ ଚୋରିରେ ସାମିଲ ଥିବା ମଧ୍ୟ ସମ୍ନାକୁ ଆସିଛି । ଏହାକୁ ନେଇ ପୁଲିସ ତଦନ୍ତ ଚଳାଇଛି ।