କର୍ମଜୀବୀ ମହିଳାଙ୍କୁ ବାନ୍ଧି ଦୁଷ୍କର୍ମ : ଥାନାରେ ମାମଲା ରୁଜୁ, କାର୍ଯ୍ୟାନୁଷ୍ଠାନ ଶୂନ

କର୍ମଜୀବୀ ମହିଳାଙ୍କୁ ବାନ୍ଧି ଦୁଷ୍କର୍ମ : ଥାନାରେ ମାମଲା ରୁଜୁ, କାର୍ଯ୍ୟାନୁଷ୍ଠାନ ଶୂନ

ଯାଜପୁର ସହରରେ ଜଣେ କର୍ମଜୀବୀ ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ ହୋଇଛି । ପୀଡ଼ିତା ଏ ନେଇ ଥାନାରେ ଅଭିଯୋଗ କରିଥିବାବେଳେ ଘଟଣାର ୭୨ ଘଣ୍ଟା ପରେ ମଧ୍ୟ ପୁଲିସ କୌଣସି ସଫଳତା ପାଇନାହିଁ । ଗତ ୨୨ ତାରିଖ ସନ୍ଧ୍ୟାରେ ଏହି ମହିଳାଙ୍କୁ କିଛି ଅସାମାଜିକ ଯୁବକ ଦୁଷ୍କର୍ମ କରିଥିଲେ । ପ୍ରତିରୋଧ କରିବାରୁ ତାଙ୍କୁ ମାରଣାସ୍ତ୍ର‌ରେ ହାଣିଥିଲେ । ଯାଜପୁର ଟାଉନ ଥାନାଠାରୁ ୩ଶହ ମିଟର ଦୂର ଗାନ୍ଧୀଛକଠାରେ ମହିଳାଜଣକ ଘରକୁ ଯିବା ଲାଗି ଗାଡ଼ିକୁ ଅପେକ୍ଷା କରିଥିଲେ । ଏହି ସମୟରେ ଜଣେ ‌ଅଟୋ ଚାଳକ ତାଙ୍କୁ ଘର ପାଖ ବଜାରରେ ଛାଡ଼ିଦେବ କହି ଡାକିଥିଲା । ପୂର୍ବରୁ ସେଥିରେ ଦୁଇଜଣ ଯୁବକ ବସିଥିଲେ । କିଛି ବାଟ ଗଲା ପରେ ଯୁବକଦ୍ବୟ ଅଟୋ ଭିତରେ ମହିଳାଙ୍କୁ ଦୁର୍ବ୍ୟବହାର କରିଥିଲେ । ମହିଳାଜଣକ ଏହାକୁ ବିରୋଧ କରିଥିଲେ ବି ଅଟୋ ଚାଳକ କିଛି ଶୁଣିନଥିଲେ। ପରେ ଦୁର୍ବୃତ୍ତଦ୍ବୟ ମହିଳାଙ୍କୁ ତାଙ୍କ ଓଢ଼ଣୀରେ ବାନ୍ଧି ପକାଇ ସହର ଉପକଣ୍ଠ ଏକ ନିଛାଟିଆ ଜାଗାକୁ ନେଇ ଯାଇଥିଲେ । ସେଠାରେ ପୂର୍ବରୁ ଥିବା ୩ ଜଣ ମଦ୍ୟପ ଯୁବକଙ୍କ ସହ ମିଶି ମହିଳାଙ୍କୁ ନିର୍ଯାତନା ଦେବା ସହ ପ୍ରବଳ ମାଡ଼ ମାରିଥିଲେ । ଦୁଷ୍କର୍ମ ପରେ ତାଙ୍କ ପିଠି, ହାତକୁ ହାଣିବା ସହ ଶରୀରର ବିଭିନ୍ନ ସ୍ଥାନକୁ କ୍ଷତାକ୍ତ କରିଥିବା ମହିଳା ଅଭିଯୋଗ ଆଣିଛନ୍ତି । କୌଣସିପ୍ରକାର ସେ ଖସି ଆସି ନିକଟରେ ଥିବା ଜଣେ ବ୍ୟକ୍ତିଙ୍କ ଘରେ ପହଞ୍ଚି ସାହାଯ୍ୟ ମାଗିବା ସହ ନିଜ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରେ ‌ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଏ ନେଇ ଥାନାରେ ମାମଲା ରୁଜୁ ହୋଇଥିବାବେଳେ ପୁଲିସ ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି । ଯାଜପୁର ସହରରେ ଏଭଳି ଗଣଦୁଷ୍କର୍ମ ଘଟଣା ଆଲୋଡ଼ନ ସୃଷ୍ଟି କରିଛି ।