ସଡ଼କ ସୁରକ୍ଷା ସଚେତନତା କରିବେ ପୂଜା କମିଟି
କଟକ/ଭୁବନେଶ୍ୱର: ପାର୍ବଣରେ ପୂଜା ମଣ୍ଡପରେ ଲାଗିବ ସଡ଼କ ସୁରକ୍ଷା ବାର୍ତ୍ତା । ମା’ଙ୍କ ଆଶୀର୍ବାଦ ସହ ପରିବାରର ସୁରକ୍ଷା ପାଇଁ ହେବେ ସଚେତନ । ଏଥିପାଇଁ ସମସ୍ତ ପୂଜା କମିଟିଙ୍କୁ ଅନୁରୋଧ କରାଯିବ । କେବଳ ସେତିକି ନୁହେଁ, ନିଜ ଅଞ୍ଚଳକୁ ଦୁର୍ଘଟଣା ମୁକ୍ତ କରିବା ଦିଗରେ ସହଯୋଗ କରିବାକୁ ସାହି ମୁରବୀଙ୍କୁ ମଧ୍ୟ ଅନୁରୋଧ କରାଯିବ । ପାର୍ବଣ ସଂପର୍କିତ ସମନ୍ୱୟ ବୈଠକରେ ପୂଜା କମିଟି ମାନଙ୍କ ସହ ଏ ସଂକ୍ରାନ୍ତରେ ଆଲୋଚନା କରିବାକୁ ସମସ୍ତ ଜିଲ୍ଲାପାଳ, ଏସପିଙ୍କ ସମେତ କଟକ ଓ ଭୁବନେଶ୍ୱରର ଡିସିପିଙ୍କୁ ଚିଠି ଲେଖିଛନ୍ତି ପରିବହନ ଆୟୁକ୍ତ ଅମିତାଭ ଠାକୁର ।
ଚିଠିରେ ପରିବହନ ଆୟୁକ୍ତ ଉଲ୍ଲେଖ କରିଛନ୍ତି, ସଡ଼କ ଦୁର୍ଘଟଣା ଚିନ୍ତାର କାରଣ ପାଲଟିଛି । ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ସଡ଼କ ସୁରକ୍ଷା ସଚେତନତା ବୃଦ୍ଧି ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ପାର୍ବଣ ସମୟରେ ବିଭିନ୍ନ ପୂଜା ମଣ୍ଡପରେ ବିପୁଳ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ତେଣୁ ଏହି ସମୟରେ ଅନେକ ଲୋକଙ୍କ ପାଖରେ ସଡ଼କ ସୁରକ୍ଷା ବାର୍ତ୍ତା ପହଞ୍ଚାଯାଇପାରିବ । ଏହାକୁ ଦୃଷ୍ଟିରେ ରଖି ପୂଜା କମିଟି ମାନଙ୍କୁ ସଡ଼କ ସୁରକ୍ଷା ବାର୍ତ୍ତା ପ୍ରସାର ପାଇଁ ଅନୁରୋଧ କରାଯାଇ ପାରିବ । ସେ ସମସ୍ତ ଜିଲ୍ଲାପାଳ, ଏସପିଙ୍କ ସମେତ କଟକ ଓ ଭୁବନେଶ୍ୱରର ଡିସିପିଙ୍କୁ ଚିଠି ଲେଖିଛନ୍ତି । ଏହି ଅଭିଯାନ ଜରିଆରେ ଜନସାଧାରଣଙ୍କ ମଧ୍ୟରେ ସୁରକ୍ଷିତ ଯାତ୍ରା ପାଇଁ ନିୟମ ପାଳନର ଗୁରୁତ୍ୱ ସଂପର୍କରେ ବାର୍ତ୍ତା ପ୍ରଦର୍ଶିତ ହେବ । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଧ୍ୟ ଦର୍ଶକଙ୍କୁ ସଡ଼କ ସୁରକ୍ଷା ନିୟମ ପାଳନ ପାଇଁ ଅନୁରୋଧ କରାଯାଇପାରିବ । କେବଳ ଦୁର୍ଗା ପୂଜା ନୁହେଁ, ସମସ୍ତ ପ୍ରମୁଖ ପର୍ବପର୍ବାଣିରେ ସଡ଼କ ସୁରକ୍ଷା ବାର୍ତ୍ତା ପ୍ରସାରକୁ ଗୁରୁତ୍ୱ ଦେବାକୁ ପରିବହନ ଆୟୁକ୍ତ ଅନୁରୋଧ କରିଛନ୍ତି । ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଓ ବିଭାଗୀୟ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ନିଦେ୍ର୍ଦଶ କ୍ରମେ ପରିବହନ ଆୟୁକ୍ତ ଏହି ଚିଠି ଲେଖିଛନ୍ତି ।