ହଇଜା ସ୍ଥିତି ପରଖିଲେ ମେୟର : ଦୂଷିତ ପାଣି ଯୋଗୁଁ ବ୍ୟାପୁଛି ରୋଗ
ଭୁବନେଶ୍ୱର : ଟ୍ରାଇଡେଣ୍ଟ ଗାଲାକ୍ସିରେ ପ୍ରାୟ ୫ ହଜାରରୁ ଅଧିକ ଲୋକ ବସବାସ କରୁଛନ୍ତି । ଏଠାରେ ଭୂତଳ ଜଳ ଦୂଷିତ ହୋଇଥିବା ଲୋକେ ଜାଣି ମଧ୍ୟ ସେହି ପାଣିକୁ ବ୍ୟବହାର କରୁଛନ୍ତି । ଫଳରେ ଏ ଅଞ୍ଚଳରେ ଝାଡାବାନ୍ତି ରୋଗ ବ୍ୟାପୁଛି । ନିକଟରେ ଥିବା ଆପାର୍ଟମେଣ୍ଟକୁ ପାନୀୟ ଜଳ ଯୋଗାଣ ଜାରି ରହିଛି । ମାତ୍ର ଏହି ଆପାର୍ଟମେଣ୍ଟର ଲୋକମାନେ ଜାଣିଶୁଣି ପାନୀୟ ଜଳ ସଂଯୋଗ ଆଣୁ ନାହାନ୍ତି । ଯାହା ଫଳରେ ଏପରି ଝାଡାବାନ୍ତି ରୋଗ ବ୍ୟାପୁଛି ବୋଲି ସ୍ପଷ୍ଟ କରିଛନ୍ତି ମେୟର ସୁଲୋଚନା ଦାସ । ସୋମବାର ଟ୍ରାଇଡେଣ୍ଟ ଗାଲାକ୍ସି ଅଂଚଳ ବୁଲିବାକୁ ଯାଇ ସେଠିକାର ପରିସ୍ଥିତି ଅନୁଧ୍ୟାନ କରିବା ପରେ ଏହି ମନ୍ତବ୍ୟ ଦେଇଛନ୍ତି । ଏନେଇ ସଂପୃକ୍ତ ବିଲଡର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପ୍ଲାନ ଦେବା ସମୟରେ ଏହା ବିଡିଏ ଦାୟିତ୍ୱରେ ଥିଲା । ବର୍ତମାନ ବିଏମ୍ସି ଅଧୀନରେ ଅଛି । ଯେଉଁ ଆଧାରରେ ଆପାର୍ଟମେଣ୍ଟ ନିର୍ମାଣ କରିବା ପାଇଁ ତାଙ୍କୁ ଅନୁମତି ଦିଆଯାଇଥିଲା, ସେ ସମସ୍ତ ନୀୟମକୁ ସଠିକ୍ ଭାବେ ପାଳନ କରି ନାହାଁନ୍ତି । ଅର୍ଥାତ୍ ନିୟମ ଉଲ୍ଲଘଂନ କରିଥିବାରୁ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ବର୍ତମାନ ପରିପ୍ରେକ୍ଷୀରେ କାହାରିକୁ ଆକ୍ଷେପ ନକରି ଆପାର୍ଟମେଣ୍ଟବାସୀ କିପରି ସୁରକ୍ଷିତ ରହିବେ ସେଦିଗରେ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ।