ହତ୍ୟା ନା ଆତ୍ମହତ୍ୟା?  ନିଖୋଜ ମହିଳାଙ୍କ କଙ୍କାଳ ଚିହ୍ନଟ

 କୁଆଖିଆ: ଆଜିକୁ ଦେଢ ମାସ ତଳେ ହଜିଯାଇଥିବା ଜଣେ ମହିଳାଙ୍କ ମୃତ କଙ୍କାଳକୁ ତାର ପରିବାର ଲୋକେ ଚିହ୍ନଟ କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ କୁଆଖିଆ ଥାନା ଅନ୍ତର୍ଗତ ବଡ଼କଇଁଚି ପାଞ୍ଚଗୋଛିଆ ଗ୍ରାମର କିଛି ଚାଷୀ ଆମ୍ବ ବଗିଚାରେ କାର୍ଯ୍ୟ କରୁଥିବା ବେଳେ ଏକ କାଜୁ ବଣ ଭିତରେ ଜଣେ ମହିଳାଙ୍କ ଶାଢୀ ଝୁଲୁଥିବା ଦେଖିବାକୁ ପାଇଥିଲେ । ଗଛ ନିକଟକୁ ଯାଇ ଦେଖିବା ପରେ ସେଠାରେ ଥିବା କାଜୁ ଗଛ ଡାଳରେ ଏକ ଲାଲ୍ ରଙ୍ଗର ଶାଢୀ ବନ୍ଧା ହୋଇ ତଳକୁ ଲମ୍ବିଥିବା ବେଳେ ଗଛ ତଳେ କୈାଣସି ମହିଳାଙ୍କ ମୁଣ୍ଡ ଖପୁରୀ, ହାତ, ଗୋଡ଼ର ହାଡ, ମହିଳାଙ୍କ କେଶ ଓ କେଶ ବନ୍ଧା ନୀଳ ରଙ୍ଗର ବ୍ୟାଣ୍ଡ୍ ପଡିଥିବା ଦେଖିବାକୁ ପାଇଥିଲେ । ଖବରଟି ପ୍ରଚାର ହେବା ପରେ ନିକଟ ଗନ୍ଧଣ ଗ୍ରାମର ଆଶିଷ କୁମାର ସ୍ୱାଇଁ ଖବର ଶୁଣି ଘଟଣା ସ୍ଥଳରେ ପହଁଚି ମୃତ ମହିଳା ପିନ୍ଧା ଲୁଗାରୁ ନିଜ ମାଆ ବୋଲି ଜାଣିବାକୁ ପାଇଥିଲେ । ମୃତ ମହିଳା ଗନ୍ଧଣ ଗ୍ରାମର ସ୍ୱର୍ଗତ ଅରୁନ୍ଦ୍ର ସ୍ୱାଇଁ ସ୍ତ୍ରୀ ମଂଜୁଲତା (୫୦) ହୋଇଥିବା ବେଳେ ଦେଢମାସ ତଳେ ଘରୁ ନିଖୋଜଥିଲେ । ଏନେଇ ପୁଅ ଆଶିଷ କୁଆଖିଆ ଥାନାରେ ତା୨୦ା୬ା୨୦୨୫ରେ ଅଭିଯୋଗ କରିଥିଲେ । ସ୍ଥାନୀୟ ଲୋକଙ୍କ ଠାରୁ ଜଣାଯାଏ ଯେ ମୃତ ମଂଜୁ ବର୍ଷକ ତଳେ ସ୍ୱାମୀ ଓ ବଡ଼ ପୁଅକୁ ହରାଇ ମସ୍ତିଷ୍କ ବିକୃତି ଦେଖା ଦେବା ଫଳରେ ଅନେକ ସମୟରେ ମନ୍ଦିର, ରାସ୍ତା କଡରେ ବସି ତା ବିରୋଧୀ ଲୋକଙ୍କୁ ଗାଳି କରୁଥିଲା । ତେବେ କେଉଁ ପରିସ୍ଥିତିରେ ମହିଳା ଜଣକ ଏକ ଘଂଚ ବଣ ଭିତରକୁ ଆସିଲା ନା କେଉଁ ମାନେ ତାକୁ ଜୀବନରୁ ମାରି ଦେବା ପରେ ଗଛରେ ଟାଙ୍ଗି ଦେଇଛନ୍ତି ତାହା ସାଇଂଟିଫିକ୍ ତଦନ୍ତ କଲେ ଜଣାପଡିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । କୁଆଖିଆ ପୁଲିସ ଘଟଣାସ୍ତଳରେ ପହଞ୍ଚି ତଦନ୍ତ କରୁଛି ।