ହେଉନି ମରାମତି...ମଦ୍ୟପଙ୍କ ଆଡ୍ଡାସ୍ଥଳୀ ପାଲଟିଛି ବ୍ରହ୍ମବରଦା ଆରଆଇ ଅଫିସ

 ବ୍ରହ୍ମବରଦା: ରସୁଲପୁର ତହସିଲ ଅନ୍ତର୍ଗତ ବ୍ରହ୍ମବରଦା ପଞ୍ଚାୟତ ଦୂର୍ଗା ମଣ୍ଡପ ପଛପଟେ ଥିବା ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଏବେ ମଦ୍ୟପଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ସ୍ଥାନୀୟ ଅଞ୍ଚଳର କିଛି ଅସାମାଜିକ ଯୁବକ ଦୈନିକ କାର୍ଯ୍ୟାଳୟ ବାରଣ୍ଡାରେ ଦିନରାତି ମଦ୍ୟପାନ କରି ସେଠାରେ ମଦ ବୋତଲ ଓ ଗ୍ଲାସ୍ ଗୁଡିକ ଫିଙ୍ଗୁଥିବାବେଳେ ସମ୍ପୃକ୍ତ ବିଭାଗ କିମ୍ୱା ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ଏଥିପ୍ରତି କିଛି ବିହିତ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ । ଯାହାକୁ ନେଇ ଗ୍ରାମରେ ତୀବ୍ର ଅସନ୍ତୋଷ ଦେଖାଯିବା ସହ କାର୍ଯ୍ୟାଳୟ ପାଖାପାଖି ବସବାସ କରୁଥିବା ଲୋକେ ଆତଙ୍କିତ ହୋଇ ରହିଥିବା ଅଭିଯୋଗ ହୋଇଛି । ଲକ୍ଷ ଲକ୍ଷ ଟଙ୍କାର ସରକାରୀ ଅନୁଦାନରେ ନିର୍ମିତ ଉକ୍ତ ଆର ଆଇ ଅଫିସଟି ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିବା ସହିତ ବଣୁଆ ବିଷଧର ସରୀସୃପମାନଙ୍କର ଚରାଭୂଇଁ ପାଲଟିଛି । ଦୀର୍ଘ ବର୍ଷ ହେବ ଆର ଆଇ ଅଫିସଟି ବ୍ୟବହାର ନହୋଇ ଏପରି ପରିତ୍ୟକ୍ତ ଭାବେ ବନ୍ଦ ହୋଇ ରହିଥିବାରୁ ସନ୍ଧ୍ୟା ହେଲେ ଏଠାରେ ମଦ୍ୟପମାନଙ୍କ ଆଡ୍ଡା ଜମୁଛି । କାରଣ ଉକ୍ତ ଆର ଆଇ ଅଫିସ ଠାରୁ ମାତ୍ର ୨ସହ ମିଟର ଦୂରରେ ଏକ ଦେଶୀ ମଦ ଦୋକାନ ଥିବାରୁ ବନ୍ଦ ଥିବା କାର୍ଯ୍ୟାଳୟଟି ଏବେ ମଦ୍ୟପମାନଙ୍କୁ ବେଶ ସୁହାଉଛି । ତା ଛଡା ମଦ୍ୟପ ମାନେ ପରସ୍ପର ମଧ୍ୟରେ ଅସଭ୍ୟ ଭାଷାରେ କଥାବାର୍ତ୍ତା ହେଉଥିବାରୁ ଉକ୍ତ ଅଞ୍ଚଳରେ ଏବେ ଅଶାନ୍ତିର ବାତାବରଣ ଦେଖାଦେଇଛି । ସରକାରଙ୍କ ତରଫରୁ ଉକ୍ତ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟଟିର ରକ୍ଷଣାବେକ୍ଷଣ ଓ ସ୍ଥାୟୀ ମରାମତି ଅଭାବରୁ ଏହା ଏବେ ଭୂତକୋଠି ପାଲଟିଛି । କିନ୍ତୁ ଅନ୍ୟପଟେ ଦେଖିବାକୁ ଗଲେ ବ୍ରହ୍ମବରଦା ଗ୍ରାମରେ ଥିବା ଉକ୍ତ ଆର ଆଇ ଅଫିସଟି ଏବେ ସାମନ୍ତରାପୁର ଆର ଆଇ ସର୍କଲକୁ ଉଠିଯାଇଥିବାରୁ ବ୍ରହ୍ମବରଦା ବାସୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କାରଣ ରାଜସ୍ୱ ଅଧିକାରିଣୀ ଜଣଙ୍କ ସପ୍ତାହକୁ ମାତ୍ର ୩ ଦିନ ମଙ୍ଗଳବାର, ବୁଧବାର ଓ ଶନିବାର ବ୍ରହ୍ମବରଦା ଗ୍ରାମକୁ ଲୋକଙ୍କ ବିଭିନ୍ନ କାମ ଓ ମାପଚୁପ ପାଇଁ ଆସୁଥିବା ହେତୁ ବ୍ରହ୍ମବରଦା ବାସୀ ଆବଶ୍ୟକ ମୁତାବକ ସେବା ପାଇପାରୁନାହାନ୍ତି ଓ ଆବଶ୍ୟକ ସ୍ଥଳେ ସାମନ୍ତରାପୁର ଯିବାକୁ ପଡୁଛି । ଏହା ବ୍ୟତୀତ ଉକ୍ତ ଜରାଜୀର୍ଣ୍ଣ ଆର ଆଇ ଅଫିସଟି ମରାମତି ହେଉନଥିବାରୁ ରାଜସ୍ୱ ନିରୀକ୍ଷକ ଅଧିକାରିଣୀ ଏବେ ବ୍ରହ୍ମବରଦା ଆର ଆଇ ଅଫିସକୁ ନ ଆସି ଅସ୍ଥାୟୀ ଭାବେ ବ୍ରହ୍ମବରଦା ପଂଚାୟତ କାର୍ଯ୍ୟାଳୟରେ ନିଜର କାର୍ଯ୍ୟ ତୁଲାଉଛନ୍ତି । କିନ୍ତୁ ଏ ବିଷୟରେ ଅଧିକାଂଶ ଗ୍ରାମବାସୀମାନେ ଅବଗତ ନଥିବା ମଧ୍ୟ ଅଭିଯୋଗ ହୋଇଛି । ଏନେଇ ରାଜସ୍ୱ ନିରୀକ୍ଷକ ଅଧିକାରିଣୀ  ଦମୟନ୍ତୀ ଦାସଙ୍କୁ ଫୋନ ଯୋଗେ ପଚାରିବାରୁ ସେ କହିଥିଲେ କି ବ୍ରହ୍ମବରଦା ଆର ଆଇ ଅଫିସଟି ମରାମତି ନ ହୋଇ ଭାଙ୍ଗି ରୁଜି ଗଲାଣି, ସେଠାରେ ଏବେ ବିଷଧର ସାପ ଚଳପ୍ରଚଳ କରୁଛନ୍ତି ତା ଛଡା ମଦ୍ୟପ ମାନଙ୍କର ଆଡ୍ଡାସ୍ଥଳୀ ପାଲଟିଥିବାରୁ ସେ ସେଠାକୁ ନ ଯାଇ ଅସ୍ଥାୟୀ ଭାବେ ପଂଚାୟତ କାର୍ଯ୍ୟାଳୟରେ ବସୁଛନ୍ତି । ତା ସହିତ ଗ୍ରାମରେ ରାଜସ୍ୱ ନିରୀକ୍ଷକଙ୍କ ନୂତନ କାର୍ଯ୍ୟାଳୟ ନିର୍ମାଣ ହେବା ପର୍ଯ୍ୟନ୍ତ ଆର ଆଇ ଅଫିସ ଏବେ ପଂଚାୟତ କାର୍ଯ୍ୟାଳୟରେ ଅସ୍ଥାୟୀ ଭାବେ ଚାଲୁ ରହିବ ବୋଲି ସେ କହିଛନ୍ତି । କିନ୍ତୁ ରାଜସ୍ୱ ଅଧିକାରିଣୀଙ୍କ କହିବା ମୁତାବକ ଆଗାମୀ ଦିନରେ ନୂତନ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ହେବାକୁ ଥିବା ବେଳେ କେବେ ଓ କେଉଁଠି ନିର୍ମାଣ ହେବ ସେ ବିଷୟରେ ସେ ଅବଗତ ନ ଥିବା ସେ କହିଥିଲେ । ତା ସହିତ ପୂର୍ବରୁ ବ୍ରହ୍ମବରଦା ମୌଜାର ବାସିନ୍ଦା ମାନେ ଦୀର୍ଘ ବର୍ଷ ହେବ ଜମିପଟା ପାଇବାରୁ ଥିଲେ । ଗତ ଦୁଇବର୍ଷ ହେବ ଗ୍ରାମବାସୀଙ୍କୁ ସେମାନଙ୍କ ଜମିର ପଟା ମିଳିଥିବାବେଳେ ପାଉତି କାଟିବାରୁ ବଂଚିତ ହୋଇ ବହୁ ହନ୍ତସନ୍ତ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି । ଏହାକୁ ନେଇ ଶ୍ରୀମତୀ ଦାସ କୁହନ୍ତିକି ବ୍ରହ୍ମବରଦା ମୌଜା ଅଂଚଳର ଜମିଜମା ନକ୍ସା ଭୁଲ ଥିବାରୁ ପାଉତି କଟା ଯାଇପାରୁନି । ବିଭାଗ ତରଫରୁ ଦୁଇଟି ନକ୍ସା ସ୍କାନ ହୋଇଛି । କିନ୍ତୁ ଭୁ-ଲେଖା ସାଇଟଟି ଅନଲାଇନରେ ସୋ କରୁନି । ଯାହାଫଳରେ ସାଧାରଣ ଲୋକଙ୍କ ପାଉତି କଟାଯାଇ ପାରୁନି । ପରବର୍ତ୍ତୀ ସମୟରେ ଏହାର ସଂଶୋଧନ କରାଯାଇ ପାଉତି କଟାଯିବା ବୋଲି ଶ୍ରୀମତୀ ଦାସ ସୂଚନା ଦେଇଛନ୍ତି । କିନ୍ତୁ ବର୍ତ୍ତମାନ ଜମିଜମା କିଣାବିକା କେବଳ ପଟା ଦ୍ୱାରା ଚାଲିଛି ବୋଲି ରାଜସ୍ୱ ଅଧିକାରିଣୀ ଶ୍ରୀମତୀ ଦାସ କହିଛନ୍ତି । ତେଣୁ ତୁରନ୍ତ ବ୍ରହ୍ମବରଦା ଅଞ୍ଚଳରେ ନୂତନ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ସ୍ଥାପନ ସହିତ ଗ୍ରାମବାସୀ ମାନଙ୍କର ଜମିଜମାର ପାଉତି କଟାଯିବାର ସୁବ୍ୟବସ୍ଥା କରିବାକୁ ଗ୍ରାମବାସୀ ମାନେ ବିଭାଗୀୟ ଅଧିକାରୀମାନଙ୍କ ନିକଟରେ ଦାବି କରିଛନ୍ତି ।