କୃଷ୍ଣ ପ୍ରସାଦ ରାସ୍ତା ନିମ୍ନମାନର : ତଦନ୍ତ ପାଇଁ ସଞ୍ଜୟଙ୍କ ଦାବି
ଭୁବନେଶ୍ୱର : ପୂର୍ତ୍ତବିଭାଗ ରାସ୍ତା ନିର୍ମାଣରେ ନିମ୍ନମାନର କାମ ହେଉଛି ବୋଲି ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ପରେ ବିଜୁଜନତା ଦଳ ତରଫରୁ ଏହି କାର୍ଯ୍ୟକୁ ନିନ୍ଦା କରାଯିବା ସହିତ ରାଜ୍ୟ ସରକାର ଏକ୍ସପର୍ଟ କମିଟି ପଠାଇ ଏହାର ତଦନ୍ତ କରିବାକୁ ଦାବିକରିଛି । ଏନେଇ ଶଙ୍ଖଭବନରେ ଆୟୋଜିତ ସାମ୍ୱାଦିକସମ୍ମିଳନୀରେ, ପୂର୍ବତନ ମନ୍ତ୍ରୀ ତଥା ଦଳର ଉପସଭାପତି ସଞ୍ଜୟ ଦାସ ବର୍ମା କହିଛନ୍ତି, ନନ୍ଦଳା ଠାରୁ କୃଷ୍ଣପ୍ରସାଦ ଦୀର୍ଘ ୨୩କିମି ରାସ୍ତା ପାଇଁ ଟେଣ୍ଡର ଡକାଯାଇଥିଲା । ଏହାକୁ ୨୩ କୋଟି ୧୭ ଲକ୍ଷଟଙ୍କାରେ କାମଟିକୁ ବଳଭଦ୍ର ଡେଭେଲପର୍ସ ପ୍ରାଇଭେଟ ଲିମିଟେଡ଼କୁ ଟେଣ୍ଡର ଜରିଆରେ ଦିଆଯାଇଥିଲା । ଏହି ଟେଣ୍ଡରରେ ପୂର୍ବରୁଥିବା ୫.୫ ମିଟର ରୋଡ଼କୁ ଉଭୟ ପଟରୁ୦.୭୫ ମିଟର ଚଉଡା କରି ନିର୍ମାଣ କରାଯିବାର ଥିଲା । ଟେଣ୍ଡରରେ ପୂର୍ବରୁ ଥିବା ରୋଡକୁ ତଡାଯାଇ ସମ୍ପୂର୍ଣ୍ଣ ରୋଡ଼ ନୂଆକରି ନିର୍ମାଣ କରାଯିବାର ଥିଲା । ଏହିକାମରେ ନିମ୍ନମାନର କାର୍ଯ୍ୟ ହେଉଛି ବୋଲି ସାଧାରଣ ଲୋକେ ପୂର୍ତ୍ତବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କ ପାଖରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ । ପୂର୍ତ୍ତବିଭାଗର ଏହି ମନମୁଖୀ କାର୍ଯ୍ୟକୁ ବିଜୁ ଜନତା ଦଳ ତରଫରୁ ଦୃଢ଼ ନିନ୍ଦା କରାଯିବା ସହିତ ପୂର୍ତ୍ତମନ୍ତ୍ରୀ ତୁରନ୍ତ କାମକୁ ତଦାରଖ କରିବା ପାଇଁ ଏକ ଏକ୍ସପର୍ଟ କମିଟି ପଠାଇବାକୁ ଦାସବର୍ମା ଦାବି କରିଛନ୍ତି । ଏହି ଏକ୍ସପର୍ଟ କମିଟି ତୁରନ୍ତ ରାସ୍ତା ନିର୍ମାଣ ସ୍ଥଳକୁ ଯାଇ ନିମ୍ନମାନର କାମ ହେଉଛି ବୋଲି ଅଭିଯୋଗ କରୁଥିବା ସ୍ଥାନୀୟ ବାସିନ୍ଦା ମାନଙ୍କ ସହିତ ଆଲୋଚନା କରିତୁରନ୍ତ ବିହିତ ପଦକ୍ଷେପ ନେବାକୁ ଦାବିକରିଛନ୍ତି ।