ୟୁପି ଉପ-ନିର୍ବାଚନ: ୭ ପୁଲିସ ଅଫିସର ନିଲମ୍ବିତ
ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ୯ଟି ବିଧାନସଭା ଆସନ ପାଇଁ ଅନୁଷ୍ଠିତ ଉପ ନିର୍ବାଚନରେ ବ୍ୟାପକ ଅନିୟମିତତା ଦେଖାଯାଇଛି । ବିଭିନ୍ନ ସ୍ଥାନରେ ପୁଲିସ ନିର୍ଦ୍ଦିଷ୍ଟ ଭୋଟରଙ୍କୁ ଭୋଟଦାନରୁ ଦୂରେଇ ରଖିଥିବା ବେଳେ ସେମାନଙ୍କୁ ଭୟଭୀତ କରିବାର ଏକାଧିକ ଭିଡିଓ ସାମ୍ନାକୁ ଆସିଛି । ସେହିପରି କିଛି ସ୍ଥାନରେ ପୁଲିସ୍ ଜାଣିଶୁଣି ଭୋଟରଙ୍କ ପରିଚୟ ମଧ୍ୟ ଯାଞ୍ଚ କରିଛି । ଏନେଇ ବିରୋଧୀ ସମାଜବାଦୀ ପାର୍ଟି ଭିଡିଓ ଜାରି କରିବା ସହ ଭାରତୀୟ ନିର୍ବାଚନ କମିଶନ ଇସିଆଇଙ୍କ ନିକଟରେ ଅଭିଯୋଗ କରିଛି । ଅଭିଯୋଗ ପରେ ଇସିଆଇ ଉତ୍ତର ପ୍ରଦେଶର ୭ ପୁଲିସ୍ ଅଫିସରଙ୍କୁ ନିଲମ୍ବନ କରିଛନ୍ତି ।
ଇସିଆଇ କହିଛନ୍ତି ଯେ, ଭୋଟିଂରୁ କୌଣସି ଯୋଗ୍ୟ ଭୋଟରଙ୍କୁ ରୋକା ଯାଇପାରିବ ନାହିଁ । ଭୋଟିଂ ବେଳେ କୌଣସି ପ୍ରକାରର ପକ୍ଷପାତିତାକୁ ଗ୍ରହଣ କରାଯିବନି । ଅଭିଯୋଗ ମିଳିବା ମାତ୍ରେ ତଦନ୍ତ ହେଉଛି । ଯଦି କେହି ଦୋଷୀ ସାବ୍ୟସ୍ତ ହୁଅନ୍ତି, ତା’ହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ନିଲମ୍ବିତ ହୋଇଥିବା ୭ ଜଣ ପୁଲିସ ଅଫିସରଙ୍କ ମଧ୍ୟରୁ କାନପୁର ଓ ମୁଜାଫରନଗରରୁ ୨ ଜଣ ଲେଖାଁଏ ରହିଛନ୍ତି । ସେହିପରି ମୋରଦାବାଦରେ ୩ ଜଣ ପୁଲିସ୍ ଅଫିସରଙ୍କୁ କାର୍ଯ୍ୟାନ୍ତର କରାଯାଇଛି । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ରାଜ୍ୟ ନିର୍ବାଚନ ଅଧିକାରୀ, ଜିଲ୍ଲା ନିର୍ବାଚନ ଅଧିକାରୀ ଓ ରିଟର୍ଣ୍ଣିଂ ଅଫିସରଙ୍କୁ ଭୋଟ ପ୍ରକ୍ରିୟାକୁ ନିରପେକ୍ଷ ଓ ସ୍ୱଚ୍ଛ ରଖିବାକୁ କହିଛନ୍ତି । ଅଭିଯୋଗକୁ ତୁରନ୍ତ ବିଚାରକୁ ନିଅନ୍ତୁ ଓ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଅଭିଯୋଗକାରୀଙ୍କୁ ସୋସିଆଲ ମିଡିଆରେ ଟ୍ୟାଗ କରି ଏ ସମ୍ପର୍କରେ ମଧ୍ୟ ଜଣାଇବାକୁ ନିର୍ବାଚନ କମିଶନର ରାଜୀବନ କୁମାର କହିଛନ୍ତି ।