୧୧ ଯାଏଁ ଝଡ଼ପବନ
ଭୁବନେଶ୍ୱର: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗୋଟିଏ ସ୍ଥାନରେ ଅଟକି ଯାଇଥିବାବେଳେ ରାଜ୍ୟରେ କିନ୍ତୁ କେତେକ ସ୍ଥାନରେ ଝଡ଼ବର୍ଷା ଜାରିରହିଛି । ଅପରପକ୍ଷରେ ଆଗାମୀ ୧୧ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଝଡ଼ପବନ ହେବ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆଜି ଉପକୂଳ ଜିଲ୍ଲାର କିଛି ସ୍ଥାନରେ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲକାରୁ ମଧ୍ୟମ ବର୍ଷା ହୋଇଛି । ଉପକୂଳ ଓଡ଼ିଶାର ଜଗତସିଂହପୁର ଓ ଗଜପତି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ଼ କରାଯାଇଛି । ଆଜି ଆଳିପିଙ୍ଗଳରେ ସର୍ବାଧିକ ୯୦ ମିମି ବର୍ଷା ହୋଇଥିବାବେଳେ ଗଜପତିର ଗୋଶାଣୀ, ଭଦ୍ରକର ଚାନ୍ଦବାଲିରେ ୮୦ ମିମି ବର୍ଷା ହୋଇଛି । ସେହିପରି ପୁରୀର ପିପିଲିରେ ୭୦ ମିମି, ନୟାଗଡ଼ର ରଣପୁରରେ ୫୦ ମିମି ବର୍ଷା ହୋଇଛି । ଆସନ୍ତାକାଲି ଗଜପତି, ଗଞ୍ଜାମ, ରାୟଗଡ଼ା, ମାଲକାନଗିରି ଓ କୋରାପୁଟର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ଝଟକାପବନର ବେଗ ୩୦ରୁ ୪୦ କିମି ରହିବ ବୋଲି ଅନୁମାନ କରାଯାଉଛି । ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଉଷ୍ମ ଓ ଆର୍ଦ୍ର ଅବସ୍ଥା ପରିଲକ୍ଷିତ ହେବ । ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।