ଅତି ଗରିବୀ ୫.୩%କୁ କମିଲା

 ନୂଆଦିଲ୍ଲୀ:  ଦେଶର ଅତି ଗରିବୀ ହାର ୫.୩%କୁ ହ୍ରାସ ପାଇଛି  । ୨୦୧୧-୧୨ରେ ଦେଶର ଅତି ଗରିବୀ ହାର ୧୬.୨୨% ଥିବାବେଳେ ୨୦୨୨-୨୩ରେ ତାହା ୫.୩%କୁ ଖସିଆସିଛି  । ୨୦୧୧-୧୨ରେ ଦେଶର ଗରିବଙ୍କ ସଂଖ୍ୟା ୨୦ କୋଟି ୫୯ ଲକ୍ଷ ଥିଲା  । ହେଲେ ୨୦୨୨-୨୩ରେ ତାହା ସାଢ଼େ ୭ କୋଟିକୁ ଖସିଆସିଛି  । ଅତଏବ ଦେଶର ସାଢ଼େ ୧୨ କୋଟି ଲୋକ ଦାରିଦ୍ର୍ୟରୁ ମୁକ୍ତି ପାଇଛନ୍ତି ବୋଲି ବିଶ୍ୱବ୍ୟାଙ୍କ ଦର୍ଶାଇଛି  । ସଠିକ୍ ଜନମଙ୍ଗଳକାରୀ ନୀତି ଯୋଗୁଁ ଏହା ସମ୍ଭବପର ହୋଇପାରିଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି  ।
ବିଶ୍ୱବ୍ୟାଙ୍କ ପକ୍ଷରୁ ନୂଆ ଅର୍ନ୍ତଜାତୀୟ ଦାରିଦ୍ର୍ୟ ସୀମାରେଖା (ଆଇପିଏଲ୍) ବି ଧାର୍ଯ୍ୟ କରାଯାଇଛି  । ପୂର୍ବରୁ ୨୦୧୭ କ୍ରୟ ଶକ୍ତି ଆଧାରରେ ୨.୧୫ ଡଲାରରୁ କମ୍ ଖର୍ଚ୍ଚ କରିବାର ସାମର୍ଥ୍ୟ ଥିବା ବ୍ୟକ୍ତିଙ୍କୁ ଗରିବ ବୋଲି ପରିଗଣିତ କରାଯାଉଥିଲା  । ଏବେ କିନ୍ତୁ ତାହାକୁ ୨୦୨୧ କ୍ରୟ ଶକ୍ତି ଆଧାରରେ ୩ ଡଲାରକୁ ବୃଦ୍ଧି କରାଯାଇଛି  । ଅର୍ଥାତ୍ ଦୈନିକ ୩ ଡଲାର ଖର୍ଚ୍ଚ କରିବାକୁ ଅକ୍ଷମ ବ୍ୟକ୍ତିଙ୍କୁ ଗରିବ ବୋଲି ବିବେଚନା କରାଯିବ  । ଯଦି ୨.୧୫ ଡଲାର ହିସାବକୁ ଅନୁଶୀଳନ କରିବା ତେବେ ଦେଶରେ ଅତି ଗରିବୀ ୨.୩%କୁ ହ୍ରାସ ପାଇଛି  । ଅତଏବ ୧୭ କୋଟି ଲୋକ ଅତି ଗରିବୀରୁ ମୁକ୍ତ ହୋଇଛନ୍ତି ବୋଲି ବିଶ୍ୱବ୍ୟାଙ୍କ ଦର୍ଶାଇଛନ୍ତି  । ଏହି ଆଧାରରେ ଗ୍ରାମାଞ୍ଚଳରେ ଅତି ଗରିବୀ ୧୮.୪%ରୁ ୨.୮%କୁ ଖସିଥିବାବେଳେ ସହରାଞ୍ଚଳରେ ଅତି ଗରିବୀ ୧୦.୭%ରୁ ୧.୧%କୁ ହ୍ରାସପାଇଛି  ।
ବିଶ୍ୱବ୍ୟାଙ୍କର ତଥ୍ୟ ଅନୁସାରେ ୨୦୨୨-୨୩ରେ ଭାରତର ଗରିବୀ ୫.୩%କୁ ହ୍ରାସ ପାଇଛି  । ଦେଶର ସାଢ଼େ ୧୨ କୋଟି ଗରିବୀରୁ ମୁକ୍ତି ପାଇଛନ୍ତି  । ବିଶ୍ୱବ୍ୟାଙ୍କ ଅନେକଗୁଡ଼ିଏ ମାପଦଣ୍ଡକୁ ଆଧାର କରି ଆଇପିଏଲକୁ ପରିବର୍ତ୍ତନ କରିଛନ୍ତି  । ନିମ୍ନ ଆୟକାରୀ ଦେଶର ପରିବର୍ତ୍ତିତ ଜାତୀୟ ଦାରିଦ୍ର୍ୟ ସୀମାରେଖା, ଖାଦ୍ୟ ଓ ଅଣଖାଦ୍ୟ ସାମଗ୍ରୀରେ ଅଧିକ ଖର୍ଚ୍ଚ, ସଦ୍ୟତମ ୨୦୨୧ କ୍ରୟ ଶକ୍ତି କ୍ଷମତା ବା ପିପିପିକୁ ଅନୁଶୀଳନ କରି ନୂଆ ଆଇପିଏଲ ଧାର୍ଯ୍ୟ କରାଯାଇଛି  ।  କେନ୍ଦ୍ର ସରକାର କରିଥିବା ହାଉସହୋଲ୍ଡ କଞ୍ଜମପସନ ଏକ୍ସପେଣ୍ଡିଚର ସର୍ଭେ (ଏଚସିଇଏସ)ରେ ନୂତନ ଭାବେ ମୋଡ଼ିଫାଏଡ଼ ମିକ୍ସଡ଼ ରିକଲ ପିରିୟଡ଼ (ଏମଏମଆରପି)କୁ ଗ୍ରହଣ କରାଯାଇଥିଲା  । ପୂର୍ବରୁ ଥିବା ୟୁନିଫର୍ମ ରେଫରେନ୍ସ ପିରିୟଡ଼ (ୟୁଆରପି) ବଦଳରେ ଏହି ନୂଆ ମାନଦଣ୍ଡରେ ସର୍ଭେ ହୋଇଥିଲା  । ହାରାହାରି ମୁଣ୍ଡପିଛା ବ୍ୟୟ ତଥ୍ୟ ଅନୁଯାୟୀ, ଗ୍ରାମାଞ୍ଚଳରେ ଏହା ୪୧୨୨ ଟଙ୍କା ଧାର୍ଯ୍ୟ ହୋଇଥିବାବେଳେ ସହରାଞ୍ଚଳରେ ତାହା ୬୯୯୬ ଟଙ୍କା ଧାର୍ଯ୍ୟ ହୋଇଥିଲା  । ୨୦୧୧-୧୨ରେ ତାହା ଗ୍ରାମାଞ୍ଚଳ ପାଇଁ ୧୪୩୦ ଟଙ୍କା ଓ ସହରାଞ୍ଚଳ ପାଇଁ ୨୬୩୦ ଟଙ୍କା ରହିଥିଲା  । ଏସବୁ ଭିତରେ ବଡ଼ କଥାଟି ହେଉଛି, ସହରାଞ୍ଚଳ ଓ ଗ୍ରାମାଞ୍ଚଳ ମଧ୍ୟରେ ଥିବା ତାରତମ୍ୟ ହ୍ରାସ ପାଇଛି  । ପୂର୍ବରୁ ତାରତମ୍ୟ ୮୪% ଥିବାବେଳେ ଏବେ ତାହା ୭୦%କୁ କମିଆସିଛି  । ସେହିପରି ୧୮ଟି ପ୍ରମୁଖ ରାଜ୍ୟରେ ହାରାହାରି ମୁଣ୍ଡପିଛା ବ୍ୟୟ ବୃଦ୍ଧିପାଇଛି  । ବିଶେଷକରି ଓଡ଼ିଶାର ଗ୍ରାମାଞ୍ଚଳ ବ୍ୟୟ ଦେଶରେ ସର୍ବାଧିକ ଅର୍ଥାତ୍ ୧୪% ବଢ଼ିଥିବାବେଳେ ସହରାଞ୍ଚଳରେ ପଞ୍ଜାବ ସର୍ବାଗ୍ରେ ରହିଛି  । ପଞ୍ଜାବର ସହରାଞ୍ଚଳ ବ୍ୟୟରେ ୧୩% ବୃଦ୍ଧି ପରିଲକ୍ଷିତ ହୋଇଛି  ।