ରାହୁଲ ଗାନ୍ଧୀଙ୍କୁ ଇସିଙ୍କ ଭର୍ତ୍ସନା

ରାହୁଲ ଗାନ୍ଧୀଙ୍କୁ ଇସିଙ୍କ ଭର୍ତ୍ସନା

 ନୂଆଦିଲ୍ଲୀ :  ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ସମ୍ପର୍କରେ ବରିଷ୍ଠ କଂଗ୍ରେସ ନେତା ରାହୁଲ୍ ଗାନ୍ଧୀଙ୍କ ଦ୍ୱାରା ଦିଆଯାଇଥିବା ଭ୍ରମାତ୍ମକ ଓ ଆଧାରହୀନ ମନ୍ତବ୍ୟ ପ୍ରତି ନିର୍ବାଚନ କମିଶନ ଗଭୀର ଭାବରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି  । ଏନେଇ ନିର୍ବାଚନ କମିଶନ ତଥ୍ୟ ପ୍ରମାଣ ଦେଇ ରାହୁଲଙ୍କ ଅଭିଯୋଗକୁ ନିରାଧାର ବୋଲି ଦର୍ଶାଇଛନ୍ତି  ।
ଅପରପକ୍ଷରେ ଡିଜିଟାଲ ଭୋଟର ତାଲିକା ଓ ଅପରାହ୍ନ ୫ଟା ପରର ସିସିଟିଭି ଫୁଟେଜ୍ ଦେବା ପାଇଁ ରାହୁଲ ଗାନ୍ଧୀ ଦାବି କରିଛନ୍ତି  । ରାହୁଲ ଶେଷ ଦୁଇ ଘଣ୍ଟାରେ ହୋଇଥିବା ମତଦାନ ନେଇ ଅଭିଯୋଗ କରିଥିଲେ  । ଏନେଇ କମିଶନ କହିଛନ୍ତିଯେ, ପ୍ରତି ଘଣ୍ଟାରେ ହାରାହାରି ୫୮ ଲକ୍ଷ ମତଦାନ ହୋଇଥାଏ  । ସାଧାରଣ ଧାରା ଅନୁଯାୟୀ, ଶେଷ ୨ ଘଣ୍ଟାରେ ୧ କୋଟି ୧୬ ଲକ୍ଷ ଭୋଟର ମତଦାନ କରିଥାନ୍ତି । ହେଲେ ଏହି ସମୟ ଅବଧିରେ ମହାରାଷ୍ଟ୍ରରେ କେବଳ ୬୫ ଲକ୍ଷ ମତଦାନ ହୋଇଥିଲା  । ଏହାଛଡ଼ା ପ୍ରତ୍ୟେକ ବୁଥ୍ରେ ନିର୍ବାଚନ ଏଜେଣ୍ଟମାନେ ଉପସ୍ଥିତ ଥିଲେ । କଂଗ୍ରେସ କିମ୍ବା କୌଣସି ଦଳ ଅସାଧାରଣ ମତଦାନ ବା ଅନିୟମିତତା ସମ୍ପର୍କରେ ଅବଜର୍ଭରଙ୍କ ନିକଟରେ କୌଣସି ଅଭିଯୋଗ ଦାଖଲ କରିନଥିଲେ  । ଭୋଟର ତାଲିକା ପ୍ରସ୍ତୁତ ପରେ ଅପିଲ୍ର  ସୁଯୋଗ ରହିଛି  । ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ଏହି ତାଲିକା ବିଷୟରେ କେବଳ ୮୯ ଅପିଲ୍ ଜିଲ୍ଲାପାଳଙ୍କ ନିକଟରେ ଓ ଗୋଟିଏ ମାତ୍ର ଅପିଲ୍ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଆସିଥିଲା । ଏହାରୁ ପ୍ରମାଣିତ ହୁଏ ଯେ ନିର୍ବାଚନ ପୂର୍ବରୁ ଏହା ନେଇ ରାଜନୈତିକ ଦଳମାନଙ୍କ ମଧ୍ୟରେ କୌଣସି ଅସନ୍ତୋଷ ଥିଲା ନାହିଁ । ମହାରାଷ୍ଟ୍ରରେ କଂଗ୍ରେସର ୨୭,୦୯୯ ଜଣ ଏଜେଣ୍ଟ ଥିଲେ  । ଏମିତି ପରିସ୍ଥିତିରେ ନିଜ ଦଳର ଏଜେଣ୍ଟମାନଙ୍କୁ ଅବହେଳା କରି ଆଧାରବିହୀନ ଅଭିଯୋଗ କରିବା ନିୟମ ଓ ବ୍ୟବସ୍ଥା ଉପରେ ଅପମାନ । ନିର୍ବାଚନ ପରେ ଅନୁକୂଳ ପରିଣାମ ନମିଳିଲେ ନିର୍ବାଚନ କମିଶନଙ୍କ ଉପରେ ଆଧାରହୀନ ଅଭିଯୋଗ କରିବା ଏକ ଅସଙ୍ଗତ ଓ ଗମ୍ଭୀର ବିଷୟ । ଏହା କେବଳ ନିୟମ ଉପରେ ଅପମାନ ନୁହେଁ, ବରଂ ଲକ୍ଷାଧିକ ନିର୍ବାଚନ କର୍ମଚାରୀ ଓ ରାଜନୈତିକ ପ୍ରତିନିଧିଙ୍କ ମନୋବଳକୁ ଦୁର୍ବଳ କରେ ବୋଲି ଇସିଆଇ କହିଛନ୍ତି  ।