୧୨ ବର୍ଷର ଶିଶୁ ଜଳିଗଲା ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
ରାଉରକେଲା: ରାଉରକେଲାର ସେକ୍ଟର ୬ସ୍ଥିତ ଟେଲିଫୋନ୍ ଭବନ ଦୁର୍ଗା ପେଣ୍ଡାଲରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମଙ୍ଗଳବାର ଅପରାହ୍ନରେ ପାଞ୍ଚ ଜଣ ଶିଶୁ ଖେଳୁଥିବା ସମୟରେ ଏଥିରୁ ଜଣେ ଶିଶୁ ଜୀବନ୍ତ ଦଗ୍ଧ ହୋଇଯାଇଥିବା ଦେଖିବାକୁ ମିଳିଥିଲା । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ମୃତକ ହେଲେ ସେକ୍ଟର ୬ ବିବେକାନନ୍ଦପାଲିର ଅଜୟ ମହାରଣାଙ୍କ ପୁଅ ବାଦଲ ମହାରଣା । ଶିଶୁଟିର ବୟସ ୧୨ବର୍ଷ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ସେକ୍ଟର ୬ ଟେଲିଫୋନ୍ ଭବନ ଦୁର୍ଗା ପେଣ୍ଡାଲରେ ଆଜି ଅପରାହ୍ନରେ ୫ ଜଣ ଶିଶୁ ଖେଳୁଥିଲେ । ଏଥିରୁ ସେକ୍ଟର-୭ ମାର୍କେଟସ୍ଥିତ ଏକ କୁକୁଡା ଦୋକାନରେ କାମ କରୁଥିବା ଅଜୟ ମହାରଣାଙ୍କ ପୁଅ ବାଦଲ ନିଆଁରେ ଜଳି ଜୀବନ୍ତ ଦଗ୍ଧ ହୋଇ ଯାଇଥିଲା । ଅନ୍ୟ ୪ ଜଣ ଶିଶୁ ସେଠାରୁ ଦୌଡ଼ି ପଳାଇବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ଅଗ୍ନିକାଣ୍ଡ ସମ୍ପର୍କିତ ସୂଚନା ପାଇଁ ସେକ୍ଟର ୭ ଥାନା ପହଁଚି ମୃତ ଶିଶୁକୁ ଉଦ୍ଧାର କରି ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଇଥିଲା । ସେଠାରେ ବାଦଲକୁ ଡାକ୍ତର ମୃତ ଘୋଷଣା କରିଥିଲେ । ଅଗ୍ନିଶମ କର୍ମଚାରୀ ପହଁଚି ନିଆଁକୁ ଆୟତ୍ତ କରିଛନ୍ତି । ସେକ୍ଟର ୬ସ୍ଥିତ ଟେଲିଫୋନ୍ ଭବନ ଦୁର୍ଗା ପେଣ୍ଡାଲ ଗତବର୍ଷ ଦୁର୍ଗାପୂଜା ପରେ ତାଲା ବନ୍ଦ ଥିଲା । ପୂଜା ମଣ୍ଡପରେ ମା’ ଦୁର୍ଗାଙ୍କ କିଛି କାଠ ସାମଗ୍ରୀ ଥିଲା । ପୂଜା ମଣ୍ଡପର ଗଳାବାଟ ଦେଇ ପିଲାମାନେ ପଶିଥିଲେ । ଅନ୍ୟଦିନ ପରି ଆଜି ମଧ୍ୟ ସେମାନେ ଖେଳୁଥିଲେ ଏବଂ ଅଘଟଣର ଶିକାର ହୋଇଥିଲେ ବୋଲି ସ୍ଥାନୀୟ ଲୋକେ ମତ ରଖିଛନ୍ତି ।