ଶୁଳ୍କ ହ୍ରାସ ପାଇଁ ଭାରତ-ଆମେରିକା ରାଜି
ନୂଆଦିଲ୍ଲୀ: ବିଶ୍ୱରେ ଆରମ୍ଭ ହୋଇଯାଇଛି ଶୁଳ୍କ ଲଢ଼େଇ । ଟ୍ରମ୍ପ ପ୍ରଶାସନର ଶୁଳ୍କ ବୃଦ୍ଧି ବିଶ୍ୱ ଅର୍ଥନୀତିକୁ ପ୍ରଭାବିତ କରିଛି । ଭାରତରେ ବି ଏହାର ଗୁରୁତର ପ୍ରଭାବ ପରିଲକ୍ଷିତ ହୋଇଛି । ସେହିପରି ଭାରତ ମଧ୍ୟ ଶୁଳ୍କ ବୃଦ୍ଧି କରି ଆମେରିକାକୁ ଅକଳରେ ପକାଇ ଦେଇଥିଲା । କିନ୍ତୁ ଏବେ ଉଭୟ ଦେଶ ହାତ ମିଳାଇଛନ୍ତି । ଶୁଳ୍କ ହ୍ରାସ ପାଇଁ ଉଭୟ ଭାରତ ଓ ଆମେରିକା ସମ୍ମତି ପ୍ରକାଶ କରିଛନ୍ତି ।
ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଭାରତ ଆମେରିକାରୁ କରୁଥିବା ଆମଦାନୀର ୫୦% ସାମଗ୍ରୀ ଉପରେ ଶୁଳ୍କ ଛାଡ଼ କରିବାକୁ ରାଜି ହୋଇଛି । ଯାହାର ମୂଲ୍ୟ ପ୍ରାୟ ୨୩ ଶହ କୋଟି ଡଲାର ହେବ । ଭାରତ ଓ ଆମେରିକା ମଧ୍ୟରେ ଏବେ ବାଣିଜ୍ୟ ନିଅଣ୍ଟ ୪୫.୬ ବିଲିୟନ ଡଲାର ରହିଛି । ଅପ୍ରେଲ ୨ରୁ ଆମେରିକା ରେସିପ୍ରୋକାଲ ତାରିଫ୍ ଲାଗୁ କରିବାକୁ ଯାଉଛି । ଏହାଦ୍ୱାରା ଭାରତରୁ ଆମେରିକାକୁ ହେଉଥିବା ରପ୍ତାନୀର ୮୭% ପ୍ରଭାବିତ ହେବ । ଯାହାର ମୂଲ୍ୟ ପ୍ରାୟ ୬୬ ଶହ କୋଟି ଡଲାର ହେବବୋଲି ଅନୁମାନ କରାଯାଉଛି । ଉଭୟ ଦେଶ ଶୁଳ୍କ ହ୍ରାସ କଲେ ଆମେରିକା ଓ ଭାରତ ଅର୍ଥନୀତିରେ ସକରାତ୍ମକ ପ୍ରଭାବ ପଡ଼ିବ ବୋଲି ଆଶା କରାଯାଉଛି ।