୧୪୬ କେନ୍ଦ୍ରରେ ପରୀକ୍ଷା ଦେବେ ୨୪୫୦୯ ବିଦ୍ୟାର୍ଥୀ
ଯାଜପୁର : ଚଳିତ ବର୍ଷ ଫେବୃଆରୀ ୨୧ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ମାଧ୍ୟମିକ ଶିକ୍ଷା ପରିଷଦ, ଓଡିଶା କଟକ ଦ୍ୱାରା ଆୟୋଜିତ ମାଟ୍ରିକ ପରୀକ୍ଷା ନିମନ୍ତେ ଯାଜପୁର ଜିଲ୍ଲାର ସମସ୍ତ ପରୀକ୍ଷା ପରିଚାଳକ, ପରୀକ୍ଷା କେନ୍ଦ୍ର ନିରୀକ୍ଷକ ଓ ପ୍ରଶ୍ନପତ୍ର ବାହକ ସଦସ୍ୟମାନଙ୍କୁ ନେଇ ମାଟ୍ରିକ ପରୀକ୍ଷା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଯାଜପୁର ଜିଲା ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଯାଜପୁର ଜିଲାର ୧୦ଟି ବ୍ଲକରୁ ୧୪୬ଟି ପରୀକ୍ଷା କେନ୍ଦ୍ରର କେନ୍ଦ୍ର ପରିଚାଳକ ସହ ପର୍ଯ୍ୟବେକ୍ଷକ ଅଂଶ ଗ୍ରହଣ କରିଥିଲେ । ବୈଠକରେ ଯାଜପୁର ଜିଲ୍ଲା ଶିକ୍ଷାଧିକାରୀ ନିତ୍ୟାନନ୍ଦ ବାରିକ୍ ସଭାପତିତ୍ୱ କରିଥିଲେ । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପରିଚାଳନାରେ ନିଜର ଦାୟିତ୍ୱ ନିଷ୍ଠାର ସହିତ ସମ୍ପାଦନ ତଥା ସ୍ୱଚ୍ଛତା ଅବଲମ୍ବନ କରିବା ପାଇଁ ସମସ୍ତ କେନ୍ଦ୍ରପରିଚାଳକଙ୍କୁ ପରାମର୍ଶ ଦେଇଥିଲେ । ଅତିରିକ୍ତ ଜିଲା ଶିକ୍ଷାଧିକାରୀ ରାଜେଶ କୁମାର ସ୍ୱାଇଁ ପରୀକ୍ଷା ପଦ୍ଧତି, ପରୀକ୍ଷା କାର୍ଯ୍ୟରେ ଅବହେଳା ପାଇଁ ଦଣ୍ଡବିଧାନ ଉପରେ ସତର୍କ କରାଇଥିଲେ । ବିଜ୍ଞାନ ନିରୀକ୍ଷକ କୁମାର ସେନ ସେନାପତି ପରୀକ୍ଷାକୁ ସୁଚାର ରୂପେ ସଂପାଦନ କରିବା ପାଇଁ ମତ ପ୍ରକାଶ କରିବା ସହ ଯାଜପୁର ଜÿିଲାର ମାଟ୍ରିକ ପରୀକ୍ଷା ସମ୍ବନ୍ଧୀୟ ତଥ୍ୟ ପ୍ରଦାନ କରିଥିଲେ । ସମସ୍ତ ବ୍ଲକ୍ ଶିକ୍ଷାଧିକାରୀ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏଥିରେ ଜିଲାର୧୪୬ଟି ପରୀକ୍ଷା କେନ୍ଦ୍ରରେ ମୋଟ ୨୪୫୦୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ପରୀକ୍ଷାର ପ୍ରଶ୍ନପତ୍ର ରଖିବା ନିମନ୍ତେ ୧୦ଟି ନୋଡାଲ ସେଣ୍ଟର ହୋଇଛି । ଏହା ସହିତ ୩୨ଟି ଡେସପାଚ୍ ଟିମ୍ ପ୍ରସ୍ତୁତ କରାଯାଇଛି । ପ୍ରତ୍ୟେକ ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ପୂର୍ବାହ୍ନ ୧୧ଟା ୩୦ରେ ଶେଷ ହେବ । କେବଳ ଗଣିତ ପରୀକ୍ଷା ୧୧ଟା ୪୫ ରେ ସରିବ । ଫେବୃଆରୀ ୨୧ରେ ପ୍ରଥମ ଭାଷା ଓଡ଼ିଆ, ୨୪ରେ ଇଂରାଜୀ, ୨୫ରେ ଟିଏଲଭି ପ୍ରାକ୍ଟିକାଲ, ୨୭ରେ ଗଣିତ, ମାର୍ଚ୍ଚ ୧ରେ ବିଜ୍ଞାନ, ୩ରେ ସାମାଜିକ ବିଜ୍ଞାନ ଓ ୬ରେ ତୃତୀୟ ଭାଷା ହିନ୍ଦୀ/ସଂସ୍କୃତ ପରୀକ୍ଷା ଅନୁଷ୍ଠିତ ହେବ । ଏଥିରେ ଜିଲ୍ଲାର ସମସ୍ତ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଟିଏଲ୍ଭିଓ ଧନ୍ଦାମୂଳକ ଶିକ୍ଷାବ୍ୟତୀତ ଅନ୍ୟ ସମସ୍ତ ବିଷୟରେ ପରୀକ୍ଷାର୍ଥୀମାନେ ୫୦ମାର୍କର ସବ୍ଜେକ୍ଟିଭ ଓ ୫୦ମାର୍କର ଅବ୍ଜେକ୍ଟିଭ ପ୍ରଶ୍ନର ଉତ୍ତର ଦେବେ ।