୧୬ରୁ‘ଶ୍ରୀ ଶ୍ରୀ ରବିଶଙ୍କର ଶାନ୍ତି ଓ ସ୍ୱାସ୍ଥ୍ୟ ଦିବସ’
ବାରଙ୍ଗ : ଫ୍ଲୋରିଡାର ଜ୍ୟାକ୍ସନଭିଲ୍ ସହର ୧୬ ଜୁନକୁ ଆଧିକାରିକ ଭାବରେ ‘ଶ୍ରୀ ଶ୍ରୀ ରବିଶଙ୍କର ଶାନ୍ତି ଓ ସ୍ୱାସ୍ଥ୍ୟ ଦିବସ’ ରୂପେ ଘୋଷଣା କରିଛି । ଏହାକୁ ସେଠାକାର ମେୟର ମିସ୍ ଡୋନା ଡିଗାନ୍ ‘ୟୁନିଭର୍ସିଟି ଅଫ୍ ନର୍ଥ ଫ୍ଲୋରିଡା’ରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ବିଧିବଦ୍ଧ ଭାବରେ ଘୋଷଣା କରିଛନ୍ତି । ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମଙ୍ଗଳବାର ଏ ସମ୍ପର୍କରେ ସୂଚନା ଦେଇ ଏହା କେବଳ ଏକ ସମ୍ମାନ ନୁହେଁ, ଭାରତୀୟ ଆଧ୍ୟାତ୍ମିକ ଧାରା ପ୍ରତି ବିଶ୍ୱର ମାନ୍ୟତା ବୋଲି କହିଛନ୍ତି । ଏହି ସମ୍ମାନ ଦଶନ୍ଧି ଦଶନ୍ଧି ଧରି ଆଧ୍ୟାତ୍ମିକ ମୂଲ୍ୟବୋଧ, ବିଶ୍ୱଭ୍ରାତୃତ୍ୱ ଓ ମନୁଷ୍ୟର ଆଭ୍ୟନ୍ତରୀଣ ଶାନ୍ତି ପାଇଁ କାର୍ଯ୍ୟକରି ଆସୁଥିବା ଏବଂ ସାରା ବିଶ୍ୱ ଭ୍ରମଣ କରି ଏ ସମ୍ପର୍କରେ ପ୍ରଚାର କରୁଥିବା ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ପ୍ରତି ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ବୋଲି ଜ୍ୟାକ୍ସନଭିଲ୍ ମେୟର ମିସ୍ ଡିଗାନ୍ କହିଛନ୍ତି । ଏଥିସହ ସରକାରୀ ଭାବରେ ‘ଶ୍ରୀ ଶ୍ରୀ ରବିଶଙ୍କର ଶାନ୍ତି ଦିବସ’ ଘୋଷଣା କରିବାରେ ଜ୍ୟାକ୍ସନଭିଲ୍ ବିଶ୍ୱର ୩୨ ତମ ସହର ପାଲଟିଛି । ଏହା ଶାନ୍ତିଦୂତ ତଥା ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ବାଣୀ ଯେ ଦେଶର ସୀମା ଡେଇଁ ସମଗ୍ର ମାନବ ସମାଜକୁ ଉଦବୁଦ୍ଧ କରିବା ଦିଗରେ ଆଗେଇ ଚାଲିଛି, ତାହା ପ୍ରମାଣିତ କରିଛି ।