ଅଭିଯୁକ୍ତଙ୍କ ପରିବର୍ତ୍ତେ ପୀଡ଼ିତଙ୍କୁ ଗିରଫ କରୁଛି ପୁଲିସ୍
ବିଞ୍ଝାରପୁର: ନ୍ୟାୟ ପାଇବା ଆଶାରେ ଥାନାକୁ ଭରସା କରି ଥାନାର ଦ୍ୱାରସ୍ଥ ହୋଇଥାନ୍ତି ଲୋକେ । ଥାନାରେ ସମସ୍ୟାର ସମାଧାନ ହେଇଥାଏ ଆଉ ସାଧାରଣ ଲୋକଟିଏ ନ୍ୟାୟ ମଧ୍ୟ ପାଇଥାଏ । କିନ୍ତୁ ଯାଜପୁର ଜିଲା ଅଳକୁଣ୍ଡ ଅଞ୍ଚଳରେ କିନ୍ତୁ ଏହାର ବ୍ୟତିତକ୍ରମ ଦେଖିବାକୁ ମିଳୁଛି । ଏଠି ଥାନାର ଦ୍ୱାରସ୍ଥ ହେଉଥିବା ଲୋକ ନ୍ୟାୟ ପାଇବା ପରିବର୍ତ୍ତେ ଗିରଫ ହୋଇ କୋର୍ଟ ଚାଲାଣ ହେଉଛି । ଅଭିଯୋଗ ଅନୁଯାୟୀ ଅଳକୁଣ୍ଡ ଥାନା ଅର୍ନ୍ତଗତ ଆଉଁରି ଗ୍ରାମର ସନ୍ଧ୍ୟାରାଣୀ ରାଉତ ଏବଂ ତାଙ୍କ ପରିବାର ଲୋକଙ୍କୁ ଗତ ୧୩ ତାରିଖ ସେହି ଗ୍ରାମର ଶ୍ରୀଧର ଧଳ, କୈଳାଶ ନାୟକ, ଉଜାତ କୁଅଁର ଆକ୍ରମଣ କରିଥିଲେ । ଆକ୍ରମଣରେ ସନ୍ଧ୍ୟାରାଣୀଙ୍କ ଗୋଡ଼ରେ ଆଘାତ ଲାଗିଥିଲା । ଏପରିକି ସନ୍ଧ୍ୟାରାଣୀଙ୍କ ପୁଅ ମହେଶ ମଧ୍ୟ ଆହତ ହୋଇଥିଲେ । ତେବେ ଏନେଇ ମହେଶଙ୍କ ପରିବାର ପକ୍ଷରୁ ୧୩ତାରିଖ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ପୁଲିସ ମଧ୍ୟ କେଶ ନମ୍ବର ୮୮/୨୫ରେ ମାମଲା ପଞ୍ଜୀକୃତ କରିଥିଲା । ତେବେ ଏହି ଘଟଣାର କିଛି ଦିନ ପରେ ଅର୍ଥାତ ଜୁଲାଇ ୧୬ତାରିଖ ଅଭିଯୁକ୍ତ ପୁଣି ମହେଶଙ୍କ ଉପରେ ଆକ୍ରମଣ କରିଥିଲେ । ଏନେଇ ପୁନର୍ବାର ମହେଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ଅଳକୁଣ୍ଡ ପୁଲିସ୍ ଅଭିଯୁକ୍ତଙ୍କ ପରିବର୍ତ୍ତେ ମହେଶଙ୍କ ବିରୋଧରେ ମାମଲା ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରିଥିବା ଅଭିଯୋଗ କରିଛନ୍ତି ମହେଶ ଏବଂ ସନ୍ଧ୍ୟାରାଣୀ । ଖାଲି ସେତିକି ନୁହଁ ସବୁ ଜାଣି ଥାନା ଅଧିକାରୀ ଚୁପ ରହୁଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ମହେଶ ଯାଜପୁର ଏସପିଙ୍କୁ ଫେରାଦ ହୋଇଛନ୍ତି । ଅଭିଯୁକ୍ତଙ୍କ ପକ୍ଷରୁ ଦିଆଯାଇଥିବା ଏତଲା ଥାନାରେ ଜାମିନ ଦିଆଯିବାର ଯୋଗ୍ୟ ହୋଇଥିବା ବେଳେ ଉଦେ୍ଦଶ୍ୟ ମୂଳକ ଭାବେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଏସପିଙ୍କୁ ଅଭିଯୋଗ କରିଛନ୍ତି ମହେଶ । ଏପରିକି ଥାନାକୁ ଡ଼କାଇ ମୋବାଇଲ ଛଡ଼ାଇ ନେବା ସହିତ ତାଙ୍କୁ ତାଙ୍କ ଔଷଧ ମଧ୍ୟ ଦିଆଯାଇନଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି । ଔଷଧ ପାଇଁ କହିବାରୁ ଥାନା ଅଧକାରୀ ତାଙ୍କୁ ଆଶାଳିନ ବ୍ୟବହାର କରିଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି । ତାଙ୍କ ବିରୋଧରେ ଏକ ମିଥ୍ୟା ଅଭିଯୋଗ କରି ତାଙ୍କୁ ଉଦେ୍ଦଶ୍ୟ ମୂଳକ ଭାବେ ଗିରଫ କରାଯାଇଥିବା ମହେଶ ଅଭିଯୋଗ କରିଛନ୍ତି । ତେଣୁ କରି ଘଟଣାର ଉପଯୁକ୍ତ ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିବା ସହ ପରିବାରକୁ ସୁରକ୍ଷା ଦେବାକୁ ନିବେଦନ କରିଛନ୍ତି ମହେଶ ।