ବଡ଼ଚଣାର ୮ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ୧,୯୩,୨୩୫ ଭୋଟର 


 ବାଲିଚନ୍ଦ୍ରପୁର: ବଡ଼ଚଣା ବିଧାନସଭା ନିର୍ବାଚନରେ ରହିଛନ୍ତି ୮ଜଣ ପ୍ରାର୍ଥୀ । ଯେଉଁମାନେ ଜୁନ ପହିଲାରେ ଭାଗ୍ୟ ପରୀକ୍ଷା କରିବେ । ୧ ଲକ୍ଷ,୯୩ ହଜାର ୨୩୫ ଜଣ ଭୋଟର ପ୍ରାର୍ଥୀଙ୍କୁ ଭୋଟ ଦେଇ ନିର୍ବାଚିତ କରିବେ । ଭୋଟରଙ୍କ ମଧ୍ୟରେ ପୁରୁଷ ସଂଖ୍ୟା ୯୮ ହଜାର ୭୯୨ ଜଣ ଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ରହିଛି ୯୪ ହଜାର ୪୩୮ । ସେହିପରି ୪୩ ଗୋଟି ପଞ୍ଚାୟତ ବିଶିଷ୍ଟ ବଡ଼ଚଣା ନିର୍ବାଚନ ମଣ୍ଡଳୀ ଗଠନ ହୋଇଥିବା ବେଳେ ଏହି ନିର୍ବାଚନ ମଣ୍ଡଳୀରେ ରହିଛି ବଡ଼ଚଣା, ବାଲିଚନ୍ଦ୍ରପୁର ଓ ବୈରୀ ଆଦି ତିନିଗୋଟି ଥାନା । ଏହିସବୁ ଥାନା ଅଞ୍ଚଳରେ ମୋଟ ବୁଥ ସଂଖ୍ୟା ରହିଛି ୨୦୬ । ତେବେ ଏହି ୨୦୬ ବୁଥ ମଧ୍ୟରୁ ୨୨ଟି ବୁଥ ଅତି ଉତେଜନା ପ୍ରବଣ ବୁଥ ଭାବେ ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଇଛି । ଏହି ଉତେଜନା ପ୍ରବଣ ବୁଥ ମଧ୍ୟରେ ରହିଛି କାଇମାଟିଆ ପଞ୍ଚାୟତରେ,୧ ରାଧାଦେଇପୁର ପଞ୍ଚାୟତର-୨, ସିହାରେ-୨, ଅଣକାରେ-୨, ମଝିପଡାରେ-୩, ସାଉଡ଼ିଆରେ-୨, ଚମ୍ପାପୁରରେ-୧, ବାଲିଚନ୍ଦ୍ରପୁରରେ-୧, ନଳିପୁରରେ-୨, ବରଦାରେ-୧, ନେଳିଆରେ-୧ ଓ ଭରତପୁରରେ-୪ ବୁଥ  । ତେବେ ଚଳିତ ନିର୍ବାଚନରେ ଏହି ସବୁ ଉତେଜନା ପ୍ରବଣ ବୁଥରେ ଶାନ୍ତି ଶୃଙ୍ଖଳାର ସହିତ ବ୍ଲକ ପ୍ରଶାସନ ଓ ତିନୋଟି ଯାକ ଥାନା ପକ୍ଷରୁ ବ୍ୟାପକ ବନେ୍ଦାବସ୍ତ କରାଯାଇଛି । ନିର୍ବାଚନ ସମୟରେ ଉପରୋକ୍ତ ପଞ୍ଚାୟତର ଉତେଜନା ପ୍ରବଣ ବୁଥ ମାନଙ୍କରେ ସିସି ଟିଭି କ୍ୟାମେରା ଲଗାଯିବା ସହିତ ୱେବ କାଷ୍ଟିଂ ବ୍ୟବସ୍ଥା ଗ୍ରହଣ କରାଯାଇଛି  । ସେହିପରି ଉତେଜନା ପ୍ରବଣ ବୁଥ ମାନଙ୍କରେ କେନ୍ଦ୍ରୀୟ ସଶକ୍ତ ପୁଲିସ ଫୋର୍ସ ମୁତୟନ ହେବ କରାଯିବ ବୋଲି ଥାନା ପକ୍ଷରୁ କୁହାଯାଇଛି ।