ମେଲୋଡ଼ି ସମୟରେ ଗଣ୍ଡଗୋଳ ; ୩ ଗିରଫ

ଭୁବନେଶ୍ୱର, ୯ା୯ : ଗତ କାଲି ରାତିରେ ମଞ୍ଚେଶ୍ୱର ସମେଇଗାଡିଆ ଠାରେ ଗଣେଷ ପୂଜା ମେଲୋଡ଼ି ଚାଲିଥିବା ବେଳେ କିଛି ଅସମାଜିକ ଯୁବକ ସେଠାରେ ଖଣ୍ଡା ଭୁଜାଲି ଧରି ପହଞ୍ଚିବା ସହ ଆରମ୍ଭ କରିଥିଲେ ଗଣ୍ଡଗୋଳ, ପରେ ବୁଲିଥିବା ଖଣ୍ଡା ଓ ଭୁଜାଲି । ଭୟରେ ଦୌଡ଼ିଲେ ଲୋକେ । ଯାହାର ମଜା ନେଉଥିଲେ ଖଣ୍ଡା ବୁଲାଉଥିବା ଅଭିଯୁକ୍ତ । ଏନେଇ ମଞ୍ଚେଶ୍ୱର ଥାନାରେ ଅଭିଯୋଗ ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଘଟଣାର ୭ ଘଣ୍ଟା ଭିତରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ଏକ ଖଣ୍ଡା ମଧ୍ୟ ଜବତ କରାଯାଇଛି । ଗିରଫ ୩ ଅଭିଯୁକ୍ତ ହେଲେ, କଟକ ଜିଲ୍ଲା ବାଙ୍କି ଅଞ୍ଚଳର ଶତ୍ରୁଘ୍ନ ବେହେରା, ବବୁଲ ବେହେରା ଓ ପୁରୀ ଜିଲ୍ଲା ଡେଲାଙ୍ଗର ଚନ୍ଦନ ବେହେରା । ଏମାନେ ସବୁ ମଞ୍ଚେଶ୍ୱର ଥାନା ଅଧିନ ଭଗବତୀ ବସ୍ତିରେ ରହିଆସୁଥିଲେ । ପୁଲିସ ଏନେଇ ୪୮୪ରେ ମାମଲା ରୁଜୁକରି ଦଫା ୧୮୯(୨), ୧୯୧(୨), ୧୯୧(୩), ୨୯୬, ୩୫୧(୩),୧୯୦ ବିଏନ୍ଏସ୍, ୨୫/୨୭ ଆରମ୍ସ ଆକ୍ଟରେ ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ସୂଚନା ଯୋଗ୍ୟଯେ, ସୋମବାର ରାତିରେ ମଞ୍ଚେଶ୍ୱର ଥାନା ଅଧିନ ସମେଇଗାଡିଆ ଗଣେଷ ପୂଜା ମଣ୍ଡପରେ ଚାଲିଥିଲା ମେଲୋଡ଼ି ପୋଗ୍ରାମ । ଏହି ସମୟରେ ଅଭିଯୁକ୍ତ ବବୁଲ ବେହେରା ସେଠାରେ ପହଞ୍ଚି ଗଣ୍ଡଗୋଳ ଆରମ୍ଭ କରିଥିଲା । ପରେ ଆଉ ୨ ଜଣ ସହଯୋଗୀଙ୍କୁ ଫୋନରେ ଡାକିଥିଲା । ଫଳରେ ସମସ୍ତେ ଖଣ୍ଡା, ଭୁଜାଲି, ଲୁହାରଡ ଧରି ପହଞ୍ଚି ଆରମ୍ଭ କରିଥିଲେ ଗଣ୍ଡଗୋଳ ଓ ବୁଲାଇଥିଲେ ଖଣ୍ଡା । ଯାହାକୁ ନେଇ ଉଭୟ ପକ୍ଷରୁ ଆରମ୍ଭ ହୋଇଥିଲା ଘମାଘଟ ଲଢ଼େଇ । ଏହି ସମୟରେ ମେଲୋଡି ଦେଖୁଥିବା ଲୋକେ ଭୟରେ ଦୌଡ଼ିବା ଆରମ୍ଭ କରିଥିଲେ । ଏନେଇ ରାତି ୧ଟାରେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଅଭିଯୋଗର ୭ ଘଣ୍ଟା ଭିତରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଏକ ଖଣ୍ଡା ଜବତ କରାଯାଇଛି ।