୨ ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ସଚିବ : ଧାନକିଣା ପ୍ରକ୍ରିୟା ପରଖିଲେ ସଞ୍ଜୀବ
ଭୁବନେଶ୍ୱର : କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ସଚିବ ସଞ୍ଜୀବ ଚୋପ୍ରା ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ରାଜ୍ୟ ସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗ ଉପରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଶ୍ରୀ ଚୋପ୍ରା ଯୋଗଦେଇ ରାଜ୍ୟରେ ଧାନ କିଣା ପ୍ରକ୍ରିୟା ଓ ସାଧାରଣ ବଣ୍ଟନ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଛନ୍ତି । ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ପ୍ରମୁଖ ଶାସନ ସଚିବ ସଞ୍ଜୟ ସିଂହ, ରାଜ୍ୟ ଯୋଗାଣ ନିଗମ ପରିଚାଳନା ନିଦେ୍ର୍ଦଶକ ଶୁଭମ ସକ୍ସେନା, ଭାରତୀୟ ଖାଦ୍ୟ ନିଗମ କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ମନୋଜ ଗୋଗୋଇ, ଓଡିଶା ଶାଖା ଜେନେରାଲ ମ୍ୟାନେଜର ନିହାର ରଞ୍ଜନ ପ୍ରଧାନ, କେନ୍ଦ୍ରୀୟ ପଣ୍ୟାଗାର ନିଗମର ନରେନ୍ଦ୍ର କୁମାର ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ବିଭାଗୀୟ ସଚିବ ଶ୍ରୀ ସିଂହ ରାଜ୍ୟରେ ଧାନ ସଂଗ୍ରହ ଏବଂ ସାଧାରଣ ବଣ୍ଟନ ସୁପରିଚାଳନା କ୍ଷେତ୍ରରେ ନିଆ ଯାଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ । ଏଥିସହ ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ପ୍ରାୟ ୯୧ ପ୍ରତିଶତ ହିତାଧିକାରୀ ମାନଙ୍କ ଇ-କେୱାଇସି ଶେଷ ହୋଇଥିବା କହିଥିଲେ । ସେହିଭଳି ମୋବାଇଲ ନେଟୱାର୍କିଂ ଦୁର୍ବଳ ଥିବା ଅଞ୍ଚଳର ୩୪୧ଟି ସରକାରୀ ସୁଲଭ ମୂଲ୍ୟ ଦୋକାନରେ ଇଣ୍ଟେରନେଟ ସୁବିଧା ଉପଲବ୍ଧ କରାଇବା ବ୍ୟବସ୍ଥା କରାଯାଉଛି । ଏହା ଅନ୍ତର୍ଗତ ପ୍ରାୟ ୧୨ ଲକ୍ଷ ହିତାଧିକାରୀଙ୍କ ଇ-କେୱାଇସି କରାଯିବା ପ୍ରକ୍ରିୟା ଜାରି ରହିଛି । ସେଥି ମଧ୍ୟରୁ ୧୧୧ଟି ସୁଲଭ ମୂଲ୍ୟ ଦୋକାନରେ ବର୍ତ୍ତମାନ ନେଟୱାର୍କିଂ ବ୍ୟବସ୍ଥା କରାଯାଇଥିବା ସେ ସୂଚନା ଦେଇଥିଲେ । ଏ ଅବସରରେ ଶ୍ରୀ ଚୋପ୍ରା ଭୁବନେଶ୍ୱର ୟୁନିଟ- ୯ସ୍ଥିତ ସରକାରୀ ସୁଲଭ ମୂଲ୍ୟ ଦୋକାନ, ମଞ୍ଚେଶ୍ୱର ସ୍ଥିତ ଗୋଦାମ, ଅନ୍ନପୂର୍ତ୍ତି ଶସ୍ୟ ଏଟିଏଏମ ବୁଲି ଦେଖିବା ସହ ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ ।