ପୁଣି ପଲଟିବେ କି ପଲଟୁରାମ? ନୀତୀଶଙ୍କୁ ଲାଲୁଙ୍କ ଅଫର


ପାଟନା: ପୁଣି ପଲଟି ମାରିବେ କି ପଲଟୁରାମ? ଏନ୍ଡିଏ ଛାଡି ଇଣ୍ଡି ମେଣ୍ଟକୁ ଯିବେ କି? ଆର୍ଜେଡି ସହ ମିଶାଇବେ କି ହାତ? ଏଭଳି କିଛି ଚର୍ଚ୍ଚାକୁ ନେଇ ଏବେ ସରଗରମ ହୋଇଛି ବିହାର ରାଜନୀତି । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କୁଆଡେ ଏନ୍ଡିଏ ଛାଡୁଛନ୍ତି । ଏହି ଖବରକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଏହାରି ଭିତରେ ନୀତୀଶ କୁମାରଙ୍କୁ ବଡ ଅଫର ଦେଇଛନ୍ତି ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ । ଲାଲୁଙ୍କ ଏହି ଅଫରକୁ ନେଇ ବିହାର ରାଜନୀତିରେ ଆରମ୍ଭ ହୋଇଛି ହଙ୍ଗାମା ।
ବାସ୍ତବରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଇଣ୍ଡିଆ ମେଣ୍ଟକୁ ଫେରିବାକୁ ପ୍ରସ୍ତାବ ଦେଇଛନ୍ତି । ନୂଆ ବର୍ଷ ଅବସରରେ ଲାଲୁ ଯାଦବ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପାଇଁ ତାଙ୍କ ଦ୍ୱାର ସବୁବେଳେ ଖୋଲା । ସେ ଚାହିଁଲେ ଆସିପାରିବେ । ଲାଲୁ ଯାଦବ ଏହା ମଧ୍ୟ କହିଛନ୍ତି ଯେ ନୀତୀଶ କୁମାର ଆମକୁ ଛାଡି ପଳାଇଥିଲେ ମଧ୍ୟ ଆମେ ତାଙ୍କୁ କ୍ଷମା କରିଛୁ । ତେବେ ଲାଲୁଙ୍କ ଏହି ଅଫର୍କୁ ପ୍ରତ୍ୟାଖାନ କରିଛନ୍ତି ନୀତୀଶ କୁମାର । ନୀତୀଶ କୁମାର ଲାଲୁଙ୍କୁ କହିଛନ୍ତି - ତୁମେ କଣ କହୁଛ ... ଛାଡିଦିଅ । ଏଥି ସହିତ ଲାଲୁ ଯାଦବଙ୍କ ଅଫରରେ ବିଶିଷ୍ଟ ଜେଡିୟୁ ନେତା ବିଜୟ ଚୌଧୁରୀ ମଧ୍ୟ ପାଲଟା ଜବାବ ଦେଇଛନ୍ତି । ବିଜୟ ଚୌଧୁରୀ ସ୍ପଷ୍ଟ ଭାବେ କହିଛନ୍ତି ଯେ ଆମ ଦଳରେ କୌଣସି ଦ୍ୱନ୍ଦ୍ୱ ନାହିଁ, ଉଭୟ ଦଳ ଏବଂ ସିଏମର ଷ୍ଟାଣ୍ଡ ସ୍ପଷ୍ଟ ଯେ ଆମେ ଏନଡିଏରେ ଅଛୁ ଏବଂ ଏନଡିଏରେ ରହିବୁ । ସେପଟେ ବିହାରର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ କହିଛନ୍ତି, ମିଡିଆକୁ ଶାନ୍ତ କରିବାକୁ ଲାଲୁ ଏମିତି ବୟାନ ଦେଇଛନ୍ତି । ନୀତୀଶଙ୍କ ସମ୍ପର୍କରେ ଯଦି ଗଣମାଧ୍ୟମ ପ୍ରତିଦିନ କିଛି ନା କିଛି ପଚାରିବ ତା'ହାଲେ ଲାଲୁ କ'ଣ କହିବେ ବୋଲି ସେ ଓଲଟି ମିଡିଆକୁ ପ୍ରଶ୍ନ କରିଛନ୍ତି । ଏଥିସହ ୨୦୨୫ ନୀତୀଶଙ୍କ ପାଇଁ ବିଦାୟୀ ବର୍ଷ ପ୍ରମାଣିତ ହେବ । ବିହାରରେ ନୂଆ ସରକାର ଗଠନ ହେବ ବୋଲି ତେଜସ୍ୱୀ କହିଛନ୍ତି । ଅନେକ ସମୟରେ ଦେଖାଯାଇଛି ବର୍ଷ ଆରମ୍ଭରୁ ହିଁ ନୀତୀଶ ଦଳ ବଦଳାଇ ଦିଅନ୍ତି । ଥରେ କି ଦୁଇଥର ନହେଁ ବରଂ ବାରମ୍ୱାର ଏମିତି କରୁଥିବା ନଜିର ରହିଛି । ତେଣୁ ଏମିତି ସ୍ଥିତିରେ ଆରଜେଡି ଓ କଂଗ୍ରେସ ନେତାଙ୍କ ବୟାନକୁ ତର୍ଜମା କଲେ ନୀତୀଶ ଏନଡିଏ ଛାଡିବା ଚର୍ଚ୍ଚା ବଢିଛି । 
ଏପଟେ ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି କଂଗ୍ରେସର ବିଧାୟକ ଦଳ ନେତା ସକିଲ ଅହମ୍ମଦ ଖାନଙ୍କ ବୟାନ । ସେ କହିଛନ୍ତି, ଯେଉଁମାନେ ଗାନ୍ଧିବାଦୀ ଥିବେ ସେମାନେ ଆମ ସହ ଆସିବେ । ନୀତୀଶଙ୍କ କାମକୁ ଦେଖିଲେ ସେ ଗାନ୍ଧିଙ୍କ ଆଦର୍ଶରେ ଅନୁପ୍ରାଣିତ ବୋଲି କୁହାଯାଇପାରିବ । ତେଣୁ ସେ ବି ଆମ ପାଖକୁ ଆସିବାରେ କୌଣସି ଅସୁବିଧା ନାହିଁ ।
କିଛିଦିନ ହେବ ନୀତୀଶ ଗଣମାଧ୍ୟମରୁ ନିଜକୁ ଦୂରେଇ ରଖୁଛନ୍ତି । ଖାଲି ଦୂରେଇ ରଖୁଛନ୍ତି ତାହା ନୁହେଁ ବରଂ ଗଣମାଧ୍ୟମର ପ୍ରତ୍ୟେକ ପ୍ରଶ୍ନର ଉତ୍ତର ରଖୁଥିବା ନୀତୀଶ ଏବେ କୌଣସି ପ୍ରସଙ୍ଗରେ ମୁହଁ ଖୋଲୁନାହାନ୍ତି  । ଆଉ ଯେବେ ଯେବେ ନୀତୀଶ ଚୁପ୍ ରହିଛନ୍ତି, ସେବେ ସେବେ ଦଳ ବଦଳାଇଛନ୍ତି  । ତେଣୁ ଚର୍ଚ୍ଚା ହେବାର ଇଏ ଗୋଟିଏ କାରଣ ହୋଇଥାଇପାରେ ।  ଦିବଙ୍ଗତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପରଲୋକରେ ଶେଷ ଦର୍ଶନ ଲାଗି ପହଞ୍ଚିଥିଲେ ନୀତୀଶ । ଏହି ସମୟରେ ମନମୋହନଙ୍କ ପରିବାର ସହ ଅନେକ କଂଗ୍ରେସ ନେତାଙ୍କୁ ଭେଟିଥିଲେ । କିନ୍ତୁ ଏନଡିଏର ନେତାଙ୍କ ସହ ସେମିତି ନଜରକୁ ଆସିନଥିଲେ । ପୂର୍ବରୁ ବି ଦିଲ୍ଲୀରେ ଅମିତ ଶାହ ଡାକିଥିବା ବୈଠକରେ ସାମିଲ ହୋଇନଥିଲେ ନୀତୀଶ । ଯେହେତୁ କେନ୍ଦ୍ର ସରକାରରେ ନୀତୀଶଙ୍କ ସମର୍ଥନ ରହିଛି ତେଣୁ ନୀତୀଶ ନଯିବା ରାଜନୀତିକୁ ଆହୁରି ସରଗରମ କରିଛି । ଗୋଟିଏ ପଟେ ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ହେଲେ ନୀତୀଶଙ୍କର ଦେଖା ମିଳିନଥିଲା  । ନୀତୀଶ ଅସନ୍ତୋଷ ହେବାର ଅନ୍ୟ ଏକ କାରଣ ହେଉଛି ଦିଲ୍ଲୀ ବିଧାନସଭା ନିର୍ବାଚନ । ଏହି ନିର୍ବାଚନରେ ଜେଡିୟୁ ଲଢିବାକୁ ଇଚ୍ଛା ରଖିଥିଲେ ବି ଏନଡିଏ ସିଟ୍ ଭାଗବଣ୍ଟାକୁ ସଫାସଫା ମନା କରିଦେଇଛି । ଆଉ ଏହାରି ଭିତରେ ଏନଡିଏ ନେତା କହିଛନ୍ତି, ଜେଡିୟୁର ଅନେକ ନେତା ଆମ ସହ ସମ୍ପର୍କରେ ଅଛନ୍ତି । ତେଣୁ ପୂରା ଘଟଣାକୁ ତର୍ଜମା କଲେ ଗୋଟିଏ କଥା ସ୍ପଷ୍ଟ ହେଉଛି, ଆଗାମୀ ଦିନରେ ବିହାର ରାଜନୀତିରେ କିଛି ଗୋଟାଏ ପରିବର୍ତ୍ତନ ହେବ ।