"୨ଦିନ ମଧ୍ୟରେ ପଳାଶୁଣୀ ଟ୍ରିଟମେଣ୍ଟ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେଉ'

 ଭୁବନେଶ୍ୱର : ପଳାଶୁଣୀ ଶୁଖିଲା ଅଳିଆ ପ୍ରକ୍ରିୟାକରଣ ପ୍ଲାଣ୍ଟକୁ ନଡ଼ିଆ ବାଡେଇ ଲୋକାର୍ପଣ କରିବା ପରେ ଏହାକୁ ଦୁଇଦିନ ମଧ୍ୟରେ କାର୍ଯ୍ୟକ୍ଷମ କରିବାକୁ ଦାବି କରିଛି "ଅଳିଆ ଗଦା ହଟାଅ ଓ ସୈନିକ ସ୍କୁଲ ବଞ୍ଚାଅ’ ଅଭିଯାନ । ଗାଡ଼କଣକୁ ଦୈନିକ ଆସୁଥିବା ୧୫୦ ମେଟ୍ରିକ ଟନ ଶୁଖିଲା ଅଳିଆକୁ ପ୍ରଥମେ ମୁକ୍ତ କରିବାକୁ ଆଜି ଅଭିଯାନ ପକ୍ଷରୁ ଦାବି କରାଯିବା ସହ ଏ ସମ୍ପର୍କରେ ଅଭିଯାନ ପକ୍ଷରୁ କମିଶନରଙ୍କୁ ଚିଠି କରାଯାଇଛି । ଯଦି ୧୫୦ ମେଟ୍ରିକ ଟନ ଆସନ୍ତା ମଙ୍ଗଳବାର ସୁଦ୍ଧା ପଳାଶୁଣୀ ନ ଯିବ ଆମେ ବୁଧବାର ଠାରୁ ଗାଡ଼କଣ ଅଳିଆଗଦାକୁ ହଜାର ହଜାର ଜନସାଧାରଣଙ୍କ ଉପସ୍ଥିତରେ କୌଣସି ଅଳିଆ ଗାଡ଼ିକୁ ପ୍ରବେଶ କରିବାକୁ ଦେବୁ ନାହିଁ ବୋଲି ଅଭିଯାନ ପକ୍ଷରୁ ଚିଠିରେ ଉଲ୍ଲେଖ କରାଯାଇଛି । ସେହିପରି ଓଦା ଅଳିଆ ପାଇଁ ସୈନିକ ସ୍କୁଲ ଅଳିଆଗଦା ଠାରେ ଥିବା ଓଦା ଅଳିଆ ପ୍ରକିୟାକରଣ ପାଇଁ ସେଡ୍ ନିର୍ମାଣ କରାଯାଇଛି, ସେଠାରୁ ଦୁର୍ଗନ୍ଧ ପୂରା ଅଞ୍ଚଳକୁ ଦୂଷିତ କରିବା ସହ ପରିବେଶକୁ କ୍ଷତି କରୁଛି । ଯୁଦ୍ଧକାଳୀନ ଭିତ୍ତିରେ ଏହାର ସମାଧାନ କରିବାକୁ ଅଭିଯାନ ପକ୍ଷରୁ ଦାବି କରାଯାଇଛି । ସୂଚନାଯେ, ଗତକାଲି  ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଥିବା ପଳାଶୁଣୀର ଶୁଖିଲା ଅଳିଆ ଟ୍ରିଟମେଣ୍ଟ ପ୍ଲାଣ୍ଟକୁ ଏହି ଅଭିଯାନ ପକ୍ଷରୁ ନଡ଼ିଆ ବାଡ଼େଇ ଲୋକାର୍ପଣ କରାଯାଇଥିଲା ।