୨୦୨୮ ଅଲିମ୍ପିକ୍ସ ପାଇଁ ଆସିଲା କ୍ରିକେଟର ମ୍ୟାଚ ସୂଚୀ
୧୨୮ ବର୍ଷର ଦୀର୍ଘ ବ୍ୟବଧାନ ପରେ କ୍ରିକେଟ୍ ଖେଳ ୨୦୨୮ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସକୁ ଫେରିବାକୁ ଯାଉଛି । ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ଏହାକୁ ଅନୁମୋଦନ କରିବା ପରେ ଏହାର କାର୍ଯ୍ୟସୂଚୀ ମଧ୍ୟ ପ୍ରକାଶ ପାଇଛି । ଟୁର୍ଣ୍ଣାମେଣ୍ଟ ଫର୍ମାଟ୍ ଓ ଦଳ: ଏହି ଟୁର୍ଣ୍ଣାମେଣ୍ଟ ଟି-୨୦ ଫର୍ମାଟରେ ଖେଳାଯିବ ଏବଂ ଏଥିରେ ପୁରୁଷ ଓ ମହିଳା ଉଭୟ ବର୍ଗରେ ୬ଟି ଲେଖାଏଁ ଦଳ ଅଂଶଗ୍ରହଣ କରିବେ । ପ୍ରତ୍ୟେକ ଦଳରେ ୧୫ ଜଣ ଖେଳାଳି ରହିପାରିବେ । ଆୟୋଜକ ଦେଶ ହୋଇଥିବାରୁ ଆମେରିକା ସିଧାସଳଖ ଯୋଗ୍ୟତା ପାଇବାର ସମ୍ଭାବନା ରହିଛି ।
କାର୍ଯ୍ୟସୂଚୀ ଓ ସ୍ଥାନ: ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସରେ କ୍ରିକେଟ୍ ଇଭେଣ୍ଟ ଜୁଲାଇ ୧୨, ୨୦୨୮ରୁ ଆରମ୍ଭ ହେବ । ପଦକ ପାଇଁ ମ୍ୟାଚଗୁଡ଼ିକ ଜୁଲାଇ ୨୦ ଓ ୨୯ ତାରିଖରେ ଖେଳାଯିବ । ଅଧିକାଂଶ ଦିନରେ ଦୁଇଟି ଲେଖାଏଁ ମ୍ୟାଚ୍ (ଡବଲ୍ ହେଡର୍) ଖେଳାଯିବାର କାର୍ଯ୍ୟକ୍ରମ ରହିଛି । ତେବେ, ଜୁଲାଇ ୧୪ ଓ ୨୧ ତାରିଖରେ କୌଣସି ମ୍ୟାଚ୍ ଖେଳାଯିବ ନାହିଁ । ସମସ୍ତ କ୍ରିକେଟ୍ ମ୍ୟାଚ୍ ଲସ୍ ଆଞ୍ଜେଲସ୍ ଠାରୁ ପ୍ରାୟ ୫୦ କିଲୋମିଟର ଦୂରରେ ଥିବା ପୋମୋନାର ଫେୟାରଗ୍ରାଉଣ୍ଡସ୍ରେ ନିର୍ମିତ ଏକ ଅସ୍ଥାୟୀ ଷ୍ଟାଡିୟମ୍ରେ ଆୟୋଜିତ ହେବ । ଏହା ପୂର୍ବରୁ ୧୯୦୦ ମସିହାରେ ପ୍ୟାରିସ୍ ଅଲିମ୍ପିକ୍ସରେ ଶେଷ ଥର ପାଇଁ କ୍ରିକେଟ୍ ଖେଳାଯାଇଥିଲା, ଯେଉଁଥିରେ କେବଳ ଗ୍ରେଟ୍ ବ୍ରିଟେନ ଓ ଫ୍ରାନ୍ସ ଅଂଶଗ୍ରହଣ କରିଥିଲେ । କ୍ରିକେଟ୍ ବ୍ୟତୀତ ବେସବଲ୍/ସଫ୍ଟବଲ୍, ଫ୍ଲାଗ୍ ଫୁଟବଲ୍, ଲାକ୍ରୋସ୍ ଏବଂ ସ୍କ୍ୱାସ୍ ଭଳି ଖେଳକୁ ମଧ୍ୟ ଏହି ଅଲିମ୍ପିକ୍ସରେ ସାମିଲ କରାଯାଇଛି ।