୨୧ରେ ମୋଦି ଯୁବା ମାରାଥନ
ଭୁବନେଶ୍ୱର : ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଦେଶର ଯୁବାବର୍ଗର ଉନ୍ନତି ପାଇଁ ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି । ଯୁବକମାନଙ୍କ ଦକ୍ଷତା ବୃଦ୍ଧି ସହ ସେମାନଙ୍କୁ ଆତ୍ମନିର୍ଭର କରିବା ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି । ତାଙ୍କ ପ୍ରୟାସ ଯୋଗୁ ସାରା ବିଶ୍ୱରେ ଭାରତର ଯୁବବର୍ଗ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । କେବଳ ଯୁବବର୍ଗ ନୁହେଁ ସମାଜ ପ୍ରତ୍ୟେକ କ୍ଷେତ୍ରରେ ମୋଦିଜୀଙ୍କ ଉଲ୍ଲେଖନୀୟ ଅବଦାନ ରହିଛି । ସମାଜର ଗରିବ ଓ ଶୋଷିତ ବର୍ଗର ଉତ୍ଥାନ ପାଇଁ କାର୍ଯ୍ୟକରି ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ତାଙ୍କ ଜନ୍ମଦିନ ଆସନ୍ତା ୧୭ରୁ ଅକ୍ଟୋବର ୨ ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ପର୍ଯ୍ୟନ୍ତ ସେବା ପକ୍ଷ ଭାବେ ପାଳନ କରାଯାଏ । ଚଳିତ ବର୍ଷ ମୋଦିଜୀଙ୍କ ୭୫ ତମ ଜନ୍ମଦିବସ ପଡୁଥିବାରୁ ଏହାକୁ ସ୍ମରଣୀୟ ରଖିବା ଉଦେ୍ଦଶ୍ୟରେ ବୃକ୍ଷଚାରା ରୋପଣଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ଶିବିର, ରକ୍ତଦାନ ଶିବିର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବିଜେପି, ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଆୟୋଜନ କରାଯିବ । ଏହି ପରିପ୍ରେକ୍ଷୀରେ ଆସନ୍ତା ୨୧ରେ ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ ସବୁଠାରୁ ଆକର୍ଷଣୀୟ କାର୍ଯ୍ୟକ୍ରମ ‘ମୋଦି ଯୁବା ମାରାଥନ’ ଆୟୋଜନ କରାଯିବ ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଶ୍ରୀ ଅଭିଳାଷ ପଣ୍ଡା ସୂଚନା ଦେଇଛନ୍ତି ।
ଶ୍ରୀ ପଣ୍ଡା କହିଛନ୍ତି ଯେ, ଆଜିର ବହୁ ଯୁବବର୍ଗ ନିଶାରେ କବଳିତ ହୋଇ ଦିଗହରା ହେବାରେ ଲାଗିଛନ୍ତି । ସେମାନଙ୍କୁ ସେବା ପକ୍ଷରେ ସଚେତନ କରି ନିଶାମୁକ୍ତ ଭାରତ ଗଠନ ପାଇଁ ଆହ୍ୱାନ ଦେବା ସହ ଅନିୟମିତ ଜୀବନ ଶୈଳୀ ନିୟନ୍ତ୍ରିତ କରିବା ଉଦେ୍ଦଶ୍ୟରେ ସାରା ଭାରତର ୭୫ ସ୍ଥାନରେ ମୋଦି ଯୁବ ମାରାଥନ ଆୟୋଜନ କରାଯିବ । ଏହି ପରିପ୍ରେକ୍ଷୀରେ ୨୧ ତାରିଖରେ ସକାଳ ୬ଟା୧୫ରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରୁ ଜନତା ମଇଦାନ ପର୍ଯ୍ୟନ୍ତ ଗଣଦୌଡ ଅନୁଷ୍ଠିତ ହେବ । ଏଥିରେ ସାରା ରାଜ୍ୟରେ ୧୦ହଜାରରୁ ଊର୍ଦ୍ଧ୍ୱ ଯୁବବର୍ଗ ସାମିଲ ହେବେ । ଅନ୍ୟମାନଙ୍କ ମଧ୍ୟରେ ଏହି ସାମ୍ବାଦିକ ସମ୍ମିଳନୀରେ ଯୁବ ମୋର୍ଚ୍ଚା ରାଜ୍ୟ ସମ୍ପାଦକ ସୁବ୍ରତ ବିଶ୍ୱାଳ, ମାନସ କୁମାର ସାହୁ, ରାଜ୍ୟ ସଂଯୋଜକ ଚଣ୍ଡୀପ୍ରସାଦ ବେହେରା ଉପସ୍ଥିତ ଥିଲେ ।