୩ ହାଇୱେ ଲୁଟେରା ସହ ୬ କୋର୍ଟ ଚାଲାଣ

ଧର୍ମଶାଳା : ଏଠାକା ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ୩ ହାଇୱେ ଲୁଟେରା ସହ ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣକରିଛି । ଗିରଫ ଅଭିଯୁକ୍ତଙ୍କ ନିକଟରୁ ପୁଲିସ ୪୬ଗ୍ରାମ ସୁନା, ନମ୍ବର ବିହୀନ କଳାପଲସର, ଗୋଟିଏ ଭୁଜଲି, ନଗଦ ୭୫୦୦ଟଙ୍କା ଓ ଦୁଇଗୋଟି ମୋବାଇଲ ଫୋନ ଜବତ କରିଛି । ଗିରଫ ମୁଖ୍ୟ ଅଭିଯୁକ୍ତ ଭଣ୍ଡାରୀପୋଖରୀ ଥାନା କୋଳିପଦି ଗ୍ରାମର କୃଷ୍ଣ ଦାସ (୨୪), ଧାମନଗର ଥାନା ନୁଆପଡା ଗ୍ରାମର ବଳରାମ ଦାସ(୨୨), ଧାମନଗର ଥାନା ନୁଆପଡା ଗ୍ରାମର ଜଗନ ଦାସ(୨୨) ଏବଂ ଏମାନଙ୍କୁ ସହଯୋଗ କରୁଥିବା ଅଭିଯୁକ୍ତ ଧାମନଗର ଥାନା ସୋଡା ଗ୍ରାମର ଅନନ୍ଦ କୁଣ୍ଡୁ(୩୨), ଧାମନଗର ଥାନା ସୋଡା ଗ୍ରାମର ଗୌତମ କୁଣ୍ଡୁ (୫୬) ଓ କେନ୍ଦ୍ରାପଡା ଥାନା ଠାକୁରପାଟଣା ଗ୍ରାମର ଅନନ୍ତ ବେହେରା (୩୮)ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ଧର୍ମଶାଳା ଥାନାରେ ଏମାନଙ୍କ ନାମରେ ଚଳିତ ବର୍ଷ ଛିନ୍ତାଇର ଏକାଧିକ ମାମଲା ରହିଥିବା ବେଳେ ବଡଚଣା, କୁଆଖିଆ, ପାଣିକୋଇଲି ଓ ଯାଜପୁର ଥାନାରେ ମଧ୍ୟ ଏକାଧିକ ମାମଲା ରହିଛି । ରାସ୍ତାରେ ବାଇକ କିମ୍ବା କାରରେ ଯାଉଥିବା ଯାତ୍ରୀମାନଙ୍କୁ ଏହି ଲୁଟେରାମାନେ ଟାର୍ଗେଟ କରିଥାନ୍ତି । ମାରଣାସ୍ତ ଦେଖାଇ ଭୟଭୀତ କରି ଏମାନେ ଯାତ୍ରୀଙ୍କ ବେକରୁ ସୁନା ଚେନ ଓ କାନଫୁଲ ଆଦି ଛଡେଇ ନେଇଥାନ୍ତି । ତେବେ ଏକ ଅଜଣା ପଲସର ବାଇକରେ ତିନିଜଣ ଯୁବକ୧୬ ନଂମ୍ବର ଜାତୀୟ ରାଜପଥରେ ଯାଉଥିବା ବେଳେ ପାଟ୍ରୋଲିଂ କରୁଥିବା ଧର୍ମଶାଳା ପୁଲିସକୁ ସନ୍ଦେହ ହେବାରୁ ତାଙ୍କୁ ଅଟକାଇ ପଚରା ଉଚରା କରିଥିଲା । ହେଲେ ସେମାନେ କିଛି ସନ୍ତୋଷ ଜନକ ଉତର ଦେଇ ପାରିନଥିଲେ । ଫଳରେ ପୁଲିସ ସେମାନଙ୍କୁ ଥାନାରେ ରଖି ପଚରା ଉଚରା କରିବା ପରେ ସେମାନେ ରାସ୍ତାରେ ଯାତ୍ରୀମାନଙ୍କ ଠାରୁ ସୁନା ଅଳଙ୍କାର ଛିନତାଇ କରନ୍ତି ବୋଲି ମାନିଥିଲେ । ସେମାନଙ୍କ ସୂଚନା ଅନୁସାରେ ପୁଲିସ ଧାମନଗର ଥାନା ଅଞ୍ଚଳରୁ ସେମାନଙ୍କ ୨ସହଯୋଗିଙ୍କୁ ଗିରଫ କରିବା ସହ ଚୋରା ସୁନା କିଣିଥିବା କେନ୍ଦ୍ରାପଡା ଥାନା ଅଞ୍ଚଳର ଜଣେ ସୁନା ବ୍ୟବସାୟୀଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ । ତେବେ ଏହି ଛିନତାଇ ଘଟଣାରେ ଅନେକଙ୍କ ସମ୍ପୃକ୍ତି ରହିଛି । ପରବର୍ତ୍ତୀ ସମୟରେ ସେମାନଙ୍କୁ ଗିରଫ କରାଯିବ ବୋଲି ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଲକ୍ଷ୍ମୀଧର ସ୍ୱାଇଁ ସୂଚନା ଦେଇ କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଥାନା ଅଧିକରୀ ରଞ୍ଜନ କୁମାର ମାଝି ଓ ଏସଆଇ ରମାକାନ୍ତ ନାୟକ ଉପସ୍ଥିତ ରହିଥିଲେ ।