୨୯’ ପ୍ରତିଷ୍ଠା ଦିବସରେ ୨୯’ ରଣନୀତି
ଆଜି କି ବାର୍ତ୍ତା ଦେବେ ନବୀନ ?
ଭୁବନେଶ୍ୱର : ଆଜି ବିଜେଡ଼ି ପାଳିବ ୨୯ତମ ପ୍ରତିଷ୍ଠା ଦିବସ। ଆଉ ଏହି ପ୍ରତିଷ୍ଠା ଦିବସରେ ୨୦୨୯ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିବ ଦଳ । ଦଳରେ ଚାଲିଥିବା କେଁ କଁଟରକୁ ପଛରେ ପକାଇ ଦଳ କିଭଳି ମଜବୁତ୍ ହେବ ସେନେଇ ନବୀନ ବାବୁ ଟିପ୍ସ ଦେବେ । ନବୀନ କି ବାର୍ତ୍ତା ଦେବେ, ତାଙ୍କର ଆଭିମୁଖ୍ୟ କ’ଣ ରହିବ, ମୋଦିଙ୍କ ପ୍ରତି ଗରମ ହେବେ ନା ପୂର୍ବଭଳି ନରମ ରହିବେ, କେବଳ ରାଜ୍ୟ ବିଜେପି ସରକାରକୁ ନିଶାନା ସାଧିବେ ନା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିରୋଧରେ ନବୀନ ଯୁଦ୍ଧଂଦେହୀ ଡାକରା ଦେବେ ? ଏହା ଉପରେ ସମସ୍ତଙ୍କ ନଜର ରହିଛି ।
୨୦୨୪ରେ ଦଳ ହାରି ଯାଇଥିଲା । ୧୯୯୯ ପରେ ଗତବର୍ଷ ବିନା କ୍ଷମତାରେ ଦଳ ପ୍ରତିଷ୍ଠା ଦିବସ ପାଳନ କରିଥିଲା । ସେତେବେଳେ ପରାଜୟର ଗ୍ଳାନି ସମସ୍ତଙ୍କ ମୁହଁରୁ ବେଶ୍ ବାରି ହୋଇପଡୁଥିଲା । ସତେଯେମିତି ନେତା ଓ କର୍ମୀମାନେ ଭାରାକ୍ରାନ୍ତ ହୋଇଥିଲେ । ସେମାନଙ୍କୁ ଉତ୍ସାହିତ କରିବା ପାଇଁ ନବୀନ ଅନେକ କଥା କହିଥିଲେ । ଗାଁ ଗାଁରେ ଦଳର ସଂଗଠନ ମଜବୁତ୍ ଥିବାରୁ ଅନେକ ଭାବୁଥିଲେ, ବାଇଚାନ୍ସ ସରକାରକୁ ଆସିଥିବା ବିଜେପିକୁ ବିଜେଡ଼ି ୨୦୨୯ରେ ହଟାଇପାରିବ । କିନ୍ତୁ ୨୦୨୪ ଡିସେମ୍ବର ୨୬ରୁ ୨୦୨୫ ଡିସେମ୍ବର ୨୬ ମଧ୍ୟରେ ସେମିତି କିଛି ଦେଖିବାକୁ ମିଳିନାହିଁ । ବରଂ ଦଳର ରଣନୀତି, ଲଢେ଼ଇ ଅପେକ୍ଷା ଗୋଷ୍ଠୀକନ୍ଦଳକୁ ନେଇ ହିଁ ବେଶୀ ଚର୍ଚ୍ଚା ହୋଇଛି । କେବେ ଛାତ୍ର ଓ ଯୁବ ନେତାଙ୍କ ମଧ୍ୟରୁ ଥୋକେ ଦଳର ନିର୍ଦ୍ଦିଷ୍ଟ କୋଟରୀ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି ତ ଆଉ କେବେ ପରାସ୍ତ ନେତା ଓ ବରିଷ୍ଠ ନେତାମାନେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଦଳର ରଣନୀତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।
ସବୁଠାରୁ ବଡ଼ କଥାହେଉଛି, ଦଳ ୨୦୦୦ ପରେ ପ୍ରଥମ ଥର ପାଇଁ ରାଜନୈତିକ ବ୍ୟାପାର କମିଟି ଗଠନ କଲା । କିନ୍ତୁ ସେଥିରୁ ଅଧା ନେତା ହେଉଛନ୍ତି ନିର୍ଦ୍ଦିଷ୍ଟ କୋଟରୀର ତେଲମରା ନେତା । ଅଧିକାଂଶ ନେତା ଗତ ୨୦୨୪ରେ ପରାସ୍ତ ହୋଇଛନ୍ତି । ଯାହାକୁ ନେଇ ଦଳରେ ଏବେବି ଅସନ୍ତୋଷ ଜାରିରହିଛି । ବରିଷ୍ଠ ନେତାଙ୍କୁ ଉପେକ୍ଷା କରି କନିଷ୍ଠଙ୍କୁ ପିଏସି ଭଳି ଗୁରୁତ୍ୱପୂର୍ଣ୍ଣ କମିଟିରେ ନିଆଯାଇଛି । ଅବଶ୍ୟ ଏଯାଏଁ ପିଏସି କମିଟିରେ ସେଭଳି କିଛି ଖାସ୍ ନିଷ୍ପତ୍ତି ହୋଇନାହିଁ । ଦଳର ଭବିଷ୍ୟତ ରଣନୀତି ନେଇ ଏବେବି ଅଧିକାଂଶ ଆଗଧାଡ଼ିର ନେତା ଅନ୍ଧାର ଭିତରେ ରହିଛନ୍ତି । ଦଳ ଲଢେ଼ଇ କରିବ ତ ? ମୋଦିଙ୍କ ବିରୋଧରେ ଲଢେ଼ଇ ହେବ ନା କେବଳ ମୋହନ ସରକାର ଓ ରାଜ୍ୟ ବିଜେପି ବିରୋଧରେ ଗର୍ଜନ କରିବ। ଏବେବି ଅନେକ ନେତାଙ୍କର ଧାରଣା ଦଳ ଭିକେ ପାଣ୍ଡିଆନ୍ ହିଁ ପରିଚାଳିତ କରୁଛନ୍ତି । ତାଙ୍କର ବିଜେପି ସହ ଭଲ ସମ୍ପର୍କ ରହିଛି । ଯେଉଁଥିପାଇଁ ଦଳର ସଂଗଠନକୁ ଚଳଚଞ୍ଚଳ କରିବା ପାଇଁ ସେଭଳି କୌଣସି ଠୋସ୍ ରଣନୀତି କରାଯାଉନାହିଁ ।
ସଂଗଠନ ଦିଗରେ ଗୁରୁତ୍ୱ ଦିଆଯାଉନଥିବାରୁ ପଞ୍ଚାୟତସ୍ତରରେ କର୍ମୀମାନେ ଦଳ ଛାଡ଼ିବା ଆରମ୍ଭ କଲେଣି। କେତେକ ବ୍ଳକରେ ଆଗଧାଡ଼ିର ବିଜେଡ଼ି ନେତାମାନେ ପଦ୍ମଫୁଲ ଧରି ସାରିଲେଣି । ତଥାପିବି ସୁପ୍ରିମୋ ନିଧଡ଼କ। ବିରୋଧୀ ଦଳ ହିସାବରେ ଦଳ ଦାୟିତ୍ୱ ନିର୍ବାହରେ ବି ବିଫଳ ହୋଇଛି । ବିଧାନସଭା ହେଉକି ବିଧାନସଭା ବାହାରେ ପ୍ରମୁଖ ଓ ଶକ୍ତିଶାଳୀ ବିରୋଧୀ ଦଳ ବିଜେଡ଼ି ଲୋକଙ୍କ ମନକୁ ଛୁଇଁ ପାରୁନାହିଁ। ବରଂ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, ବିଜେଡ଼ିକୁ ଚଳାଇବେ କିଏ ? ନବୀନଯେ, ଶାରୀରିକ ଦୃଷ୍ଟିରୁ ଫିଟ୍ ନୁହେଁ ଏହି ବାର୍ତ୍ତା ଯାଇସାରିଛି । କିଛି ବିଜେଡ଼ି ନେତା ଏନେଇ ଗାଲୁଭୁରୁଡ଼ି ମାରୁଥିଲେବି ପ୍ରକୃତ ସତ କ’ଣ ତାହା ସମସ୍ତେ ନୂଆପଡ଼ା ଉପନିର୍ବାଚନରେ ଦେଖି ସାରିଛନ୍ତି।
ନୂଆପଡ଼ା ଉପନିର୍ବାଚନ ଦଳକୁ ଏକ ଶକ୍ତ ଝଟକା ଦେଇଛି । ଦଳର ସମ୍ଭାବ୍ୟ ପ୍ରାର୍ଥୀ ବିଜେଡ଼ି ଛାଡ଼ି ବିଜେପିକୁ ପଳାଇବା ପରେ ପ୍ରାର୍ଥୀଟିଏ ପାଇବାକୁ ଦଳ ଡହଳବିକଳ ହୋଇଥିଲା । ଶେଷରେ ବାହାରିଆ ପ୍ରାର୍ଥୀ ଦେବାର ପରିଣାମ ବି ଭୋଗିଥିଲା । ନବୀନ ଦୁଇ ଦୁଇ ଥର ପ୍ରଚାରକୁ ଯାଇଥିଲେ । ହେଲେ ବିମାନବନ୍ଦରରେ ତାଙ୍କ ଚାଲିବାର ଭିଡ଼ିଓ ଅନେକ ସଂକେତ ଦେଇଥିଲା । ଏସବୁ ଭିତରେ ଦଳର ୨୯ତମ ପ୍ରତିଷ୍ଠା ଦିବସରେ ନବୀନ ଯେଉଁ ବାର୍ତ୍ତା ଦେବେ ସେଥିରୁ ହିଁ ୨୦୨୯ର ଭବିଷ୍ୟତ ନିର୍ଦ୍ଧାରଣ କରିବ। ହଁ, ୨୦୨୬ରୁ ଆରମ୍ଭ ହେବ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି। ଗାଁ ହିଁ ବିଜେଡ଼ିର ବଳ । ତାହାକୁ ଦଳ କେମିତି ସଜାଡ଼ିବ ତାହା ନବୀନଙ୍କ ଅଭିଭାଷଣରୁ ହିଁ ସୁରାକ୍ ମିଳିପାରିବ।
୨୦୨୪ରେ କ’ଣ କହିଥିଲେ ନବୀନ
୧. ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ବିଜେଡ଼ି ଓଡିଶାବାସୀଙ୍କ ସେବା କରି ଚାଲିବ
୨. ଏକ ଦୃଢ଼ ଆଞ୍ଚଳିକ ଦଳ ଭାବରେ ବିଜେଡି ଓଡିଶାର ଗୌରବ ପାଇଁ କାମ କରି ଚାଲିବ
୩. ବିଜେଡି ଓଡିଶା ସ୍ୱାର୍ଥର ସୁରକ୍ଷା ସହ କେନ୍ଦ୍ର ଅବିଚାର ବିରୁଦ୍ଧରେ ଲଢେଇ ଜାରି ରଖିବ
୪. ବିଜେପିର ନକାରାତ୍ମକ ପ୍ରଚାର, ମିଛ ଗପ ଓ ମିଛ ପ୍ରତିଶ୍ରୁତିର କାଉଣ୍ଟର କରିନପାରିବା ପରାଜୟର ମୁଖ୍ୟ କାରଣ
୫. ଓଡିଶାବାସୀଙ୍କୁ ବିଜେପି ସରକାରର ଶ୍ରେଷ୍ଠ ଉପହାର ହେଉଛି ଅହେତୁକ ଦରବୃଦ୍ଧି
ବର୍ଷକ ଭିତରେ ବିଜେଡ଼ି କେଉଁଠି ?
୧. ଏଇ ବର୍ଷକ ଭିତରେ ବିଜେଡ଼ିରେ ଗୋଷ୍ଠୀକନ୍ଦଳ ଏତେ ତୀବ୍ରଯେ, ନବୀନଙ୍କ ପରେ ବିଜେଡ଼ିର ଭବିଷ୍ୟତ ନେଇ ଶଙ୍କା ପ୍ରକାଶ ପାଇଛି।
୨. ସାମ୍ବାଦିକ ସମ୍ମିଳନୀ ଓ ମଝିରେ ମଝିରେ ରାଜରାସ୍ତାକୁ ଓହ୍ଲାଇ ଦଳ ଦାବି କରୁଛି ସତ, କିନ୍ତୁ ବ୍ଲକସ୍ତରରେ ଦଳ ଆନ୍ଦୋଳନ କରୁନଥିବାରୁ କର୍ମୀଙ୍କ ମନରେ ଦୃଢ଼ ଆସ୍ଥା ସୃଷ୍ଟି ହୋଇପାରୁନାହିଁ।
୩. କେନ୍ଦ୍ର ଅବିଚାର ବିରୋଧରେ ଦଳ ଲଢେ଼ଇ କଲା କେଉଁଠି ? ବରଂ କେନ୍ଦ୍ର ବିରୋଧରେ ପାଟି ନଖୋଲିବାକୁ ଦଳର ମିଡ଼ିଆ ସେଲ୍ ଓ ସୋସିଆଲ ମିଡ଼ିଆ ସେଲକୁ ହଲପ କରାଯାଇଛି । ସଂସଦରେ ବିଜେପିକୁ ଅଘୋଷିତ ସମର୍ଥନକୁ ନେଇ ଦଳ ଭିତରେ ବି ଚାପା ଗୁଞ୍ଜରଣ।
୪. ସୋସିଆଲ ମିଡ଼ିଆରେ ପେଡ଼ ପ୍ରମୋଶନରେ ଜନମତ ପ୍ରଭାବିତ ହୁଏନାହିଁ। ଏଥିପାଇଁ ଅର୍ଗାନିକ ପ୍ରମୋସନର ଆବଶ୍ୟକତା ରହିଛି।
୫. ଦରବୃଦ୍ଧି କିମ୍ବା ଅନ୍ୟ ପ୍ରସଙ୍ଗରେ ବିଜେଡ଼ିର ଆନ୍ଦୋଳନ ବା ବିରୋଧ ଏତେ ପ୍ରଭାବଶାଳୀ ନୁହେଁ।
Samir Kumar Rout