ଦମ୍ପତିଙ୍କୁ କାଠ ଫାଳିଆରେ ଆକ୍ରମଣ; ଅଭିଯୁକ୍ତ ଗିରଫ
ଭୁବନେଶ୍ୱର, ୨୦ା୯ : ପୂର୍ବ ଶତ୍ରୁତାକୁ ନେଇ ଜଣେ ମହିଳାଙ୍କୁ ଘର ଆଗରେ ଗାଳିଗୁଲଜ କରିବାକୁ ନେଇ ପ୍ରତିବାଦ କରିବାରୁ କାଠ ଫାଳିଆରେ ଆକ୍ରମଣ କଲା ଅଭିଯୁକ୍ତ । ଫଳରେ ଅଭିଯୋଗକାରିଣୀଙ୍କ ମୁଣ୍ଡରେ ଗଭିର ଆଘାତ ଲାଗିଥିଲା । ଏହି ସମୟରେ ତାଙ୍କ ସ୍ୱାମୀ ତାଙ୍କୁ ବଞ୍ଚାଇବାକୁ ଆସିବାରୁ ତାଙ୍କୁ ମଧ୍ୟ ଆକ୍ରମଣ । ଏନେଇ ତମାଣ୍ଡୋ ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲା, ଭଗବାନପୁର ଚମ୍ପତ୍ତି ସାହିର ରବି ଚମ୍ପତ୍ତି ।
ସୂଚନା ଯୋଗ୍ୟଯେ, ଅଭିଯୋଗକାରିଣୀ ଜଣକ ପରିବାର ସହ ପାତ୍ରପଡ଼ା, ଭଗବାନପୁର ଅଞ୍ଚଳରେ ଥିବା ପ୍ଲଟ ନମ୍ବର- ୫୦୩/୧୬୧୨ରେ ରୁହନ୍ତି । ଶୁକ୍ରବାର ସକାଳ ୯ଟା ସମୟରେ ଅଭିଯୁକ୍ତ ଜଣକ ତାଙ୍କ ଘର ସମୁଖକୁ ଆସି ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏହା ଶୁଣି ଅଭିଯୋଗକାରିଣୀ ଘର ବାହାରକୁ ଆସି ଅଭିଯୁକ୍ତକୁ ବିରୋଧ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଅଭିଯୁକ୍ତ ଜଣକ ଏକ କାଠ ଫାଳିଆରେ ଅଭିଯୋଗକାରିଣୀଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା । ଅଭିଯୁକ୍ତର ଆକ୍ରମଣରେ ଅଭିଯୋଗକାରିଣୀଙ୍କ ମୁଣ୍ଡରେ ଗଭିର ଆଘାତ ଲାଗିଥିଲା । ଏହା ଦେଖି ଅଭିଯୋଗକାରିଣୀଙ୍କ ସ୍ୱାମୀ ତାଙ୍କୁ ବଞ୍ଚାଇବା ଲାଗି ସେଠାକୁ ଆସିଥିବା ବେଳେ, ଅଭିଯୁକ୍ତ ଜଣକ ତାଙ୍କୁ ମଧ୍ୟ ଆକ୍ରମଣ କରି ତାଙ୍କ ବେକରେ ପିନ୍ଧିଥିବା ସୁନା ଚେନ ଲୁଟି ନେଇଯାଇଥିଲା । ଏହି ଘଟଣାକୁ କେନ୍ଦ୍ରକରି, ଅଭିଯୋଗକାରିଣୀ ତମାଣ୍ଡୋ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।