୩ ସ୍ଥାନରେ ଭାରତର ଆକ୍ରମଣ
ନୂଆଦିଲ୍ଲୀ : ଆକ୍ରମଣ ନେଇ ପାକ୍ ଆଜି ସକାଳେ ସ୍ୱୀକାର କରିଥିଲା । ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଆଜି ଭୋରରୁ ପାକ୍ ଭାରତର ୭ ସ୍ଥାନ ଉପରେ ଆକ୍ରମଣ କରିଥିଲା । ସେହିପରି ଭାରତ ମଧ୍ୟ ପାକ୍ର ୩ ମିଲିଟାରୀ ବେସ୍ ଉପରେ ଆକ୍ରମଣ କରିଥିଲା ବୋଲି ପାକ୍ ଘୋଷଣା କରିଛି ।
ପାକର ସ୍ୱୀକାରୋକ୍ତି ଅନୁଯାୟୀ, ଭାରତ ନୁର ଖାନ ଏୟାର ବେସ୍ ଉପରେ ଆକ୍ରମଣ କରିଥିଲା । ରାୱଲପିଣ୍ଡିର ଚକାଲାଲା ଠାରେ ଥିବା ଏହି ବେସ୍ ହେଉଛି ପାକର ଅପରେସନ୍ ଓ ପ୍ରଶିକ୍ଷଣ ହବ । ଏଠାରେ ପାକର ଏୟାରଫୋର୍ସ କମାଣ୍ଡ ଓ ଭିଆଇପି ଫ୍ଲାଇଟ୍ ରହିଥାଏ । ସେହିପରି ମୁରିଦ ଏୟାରବେସ ଇସଲାମାବାଦରୁ ୧୨୦ କିଲୋମିଟର ଦୂରରେ ଅବସ୍ଥିତ । ଚକୱାଲରେ ଥିବା ଏହି ବେସମେଣ୍ଟ ହେଉଛି ପାକ୍ ଏୟାର ଫୋର୍ସର ଅପରେସନାଲ ବେସମେଣ୍ଟ । ଏୟାର ଡିଫେନ୍ସରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ସେହିପରି ପଞ୍ଜାବର ରଫିକ୍ ଏୟାର ବେସରେ ଫାଇଟର ସ୍କ୍ୱାର୍ଡ଼ନ ମାନେ ରହିଥା’ନ୍ତି । ଭାରତ ଏହି ସ୍ଥାନ ଉପରେ ଆକ୍ରମଣ କରିଥିବା ନେଇ ପାକ ସ୍ୱୀକାର କରିଛି । କିନ୍ତୁ ଭାରତ ପକ୍ଷରୁ ଏନେଇ କିଛି ସ୍ପଷ୍ଟ କରିନାହିଁ । ଅପରପକ୍ଷରେ ପାକ୍ ମଧ୍ୟ ଉଧମପୁର ଏୟାରବେସ୍, ପଠାନକୋଟ ଏୟାରବେସ, ଡ୍ରାନଗ୍ୟାରୀ ଆର୍ଟିଲାରୀ ଗନ ପୋଜିସନ, ନାଗ୍ରୋଟା, ବିଜ, ଭୁଜ ଏୟାର ବେସ୍ ଉପରେ ପାକ୍ ଆକ୍ରମଣ କରିଥିଲା ବୋଲି ସୂଚନା ଦେଇଛି । ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏଭଳି ରିପୋର୍ଟ ନେଇ ଭାରତ ପକ୍ଷରୁ କିଛି କୁହାଯାଇନାହିଁ ।