୩୧ରୁ ମାଦକଦ୍ରବ୍ୟ ବିରୋଧୀ ସଚେତନତା

ଭୁବନେଶ୍ୱର : ନୂଆ ସରକାର ରାଜ୍ୟର ଶାସନ ଭାର ହାତକୁ ନେବା ପରେ ବେଆଇନ ମାଦକ ଦ୍ରବ୍ୟ କାରବାର ଆନେକାଂଶରେ ହ୍ରାସ ପାଇଛି । ଅବକାରୀ ବିଭାଗ, ପୁଲିସ ପ୍ରଶାସନ ଏବଂ ସ୍ପେଶାଲ୍ ସ୍କ୍ୱାଡ ଜରିଆରେ ନିୟମିତ ଚଢ଼ାଉ କରାଯାଇ ଅନେକ ବେଆଇନ ମଦଭାଟିକୁ ବନ୍ଦ କରାଯିବା ସହ ପ୍ରସ୍ତୁତି ସାମଗ୍ରୀ, ଗାଡି ଜବତ ଓ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ତଥାପି ଏ ଦିଗରେ ଅଧିକ ପଦକ୍ଷେପ ଜରୁରୀ ବୋଲି ଆଜି ଖାରବେଳ ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଅଧିକାରୀମାନଙ୍କୁ କହିଛନ୍ତି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଚଳିତ ୩୧ରୁ ଜୁନ୍ ୨୬ ପର୍ଯ୍ୟନ୍ତ ସାରା ରାଜ୍ୟରେ ବେଆଇନ ମାଦକ ଦ୍ରବ୍ୟ ସେବନ ଓ କାରବାର ରୋକିବା ଦିଗରେ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଲେ ଯେ ଏ କାର୍ଯ୍ୟକ୍ରମରେ ପ୍ରତ୍ୟେକ ବିଭାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେଣୁ ବିଦ୍ୟାଳୟସ୍ତରରୁ ଆରମ୍ଭ କରି ପଞ୍ଚାୟତ ପର୍ଯ୍ୟନ୍ତ ରାଜ୍ୟର କୋଣ ଅନୁକୋଣରେ ସଚେତନତାର ବାର୍ତ୍ତାକୁ ପହଞ୍ଚାଇବାକୁ ପଡିବ । ପାଲା, ଦାସକାଠିଆ, ଘୋଡାନାଚ, ପଥପ୍ରାନ୍ତ ନାଟକ କରି ନିଶା ସେବନ ଓ କାରବାରର କୁପରିଣତି ଉପରେ ସଚେତନ କରାଯିବ । ମୁଖ୍ୟ ସଚିବ ଗ୍ରାମାଞ୍ଚଳରେ ଥିବା ଏସ୍ଏଚ୍ଜିଙ୍କୁ ସାମିଲ କରି ସ୍କୁଲ୍ସ୍ତରରେ ବେଆଇନ ନିଶା ସେବନ ସମ୍ବନ୍ଧରେ ପ୍ରବନ୍ଧ ପ୍ରତିଯୋଗିତା ଆୟୋଜନ କରିବାକୁ ପରାମର୍ଶ ଦେଇଥିଲେ । ଅବକାରୀ ବିଭାଗ କମିଶନର ଗୁହା ପୁନମ ତାପସ କୁମାର ଏହି ସଚେତନତା କାର୍ଯ୍ୟକ୍ରମର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ । ବୈଠକରେ ଉଚ୍ଚଶିକ୍ଷା ବିଭାଗ ସଚିବ ଅରବିନ୍ଦ ଅଗ୍ରୱାଲ, ଗୃହ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଆର୍.କେ. ଶର୍ମା, ପୁଲିସ ଡିଆଇଜି (ଏସ୍ଟିଏଫ୍) ପିନାକ ମିଶ୍ରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।