୩୫ ୟୁନିଟ୍ ରକ୍ତ ସଂଗୃହୀତ
ଢେଙ୍କାନାଳ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ସ୍ୱର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ସ୍ମୃତି ଉଦେ୍ଦଶ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଗୋଳ ଜିଲ୍ଲା ଟାଇସି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଯୁବଶକ୍ତି ସ୍ୱେଛାସେବୀ ସଂଗଠନର ସଭାପତି ବ୍ରହ୍ମଜ୍ୟୋତି ମିଶ୍ରଙ୍କ ଉଦ୍ୟମରେ ଟାଇସି ଗ୍ରାମ ପଂଚାୟତ ଯୁବଗୋଷ୍ଠୀ ଏବଂ ବରିଷ୍ଠ ଗ୍ରାମବାସୀଙ୍କ ସହଯୋଗରେ ଏହି ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି ଏହି ରକ୍ତଦାନ ଶିବିରକୁ ଉଦ୍ଘାଟନ କରି ରକ୍ତ ଦାତାଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟତମ ଅତିଥି ଭାବେ ବିଜେପି ଜିଲ୍ଲା କୋଷାଧ୍ୟକ୍ଷ ବିଶ୍ୱଜିତ ମିଶ୍ର, ଟାଇସି ସରପଂଚ ସୌଦାମିନୀ ପ୍ରଧାନ, ସାତକୋଶିଆ ମଣ୍ଡଳ ସଭାପତି ରାଧାକାନ୍ତ ପଳେଇ ପ୍ରମୁଖ ଯୋଗଦାନ କରି ଶିବିରର ଆୟୋଜକ ଏବଂ ରକ୍ତଦାତାଙ୍କୁ କୃତଜ୍ଞତା ଜଣାଇଥିଲେ । ଏହି ଶିବିରରେ ମୋଟ ୩୫ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଶିବିର ପରିଚାଳନାରେ ଟାଇସି ଗ୍ରାମ ପଂଚାୟତ ଯୁବଗୋଷ୍ଠୀର ଅନନ୍ତ ବେହରା, ଯୁବଶକ୍ତି ଅନୁଷ୍ଠାନର ସାତକୋଶିଆ ସଭାପତି ନିରଞ୍ଜନ ସାହୁ, ବନ୍ତଳା ସିଏଚସିର ଡାକ୍ତର ରଶ୍ମିରେଖା ଦାସ, ଅନୁଗୋଳ ରକ୍ତଭଣ୍ଡାରର ନର୍ସ ମଞ୍ଜୁପ୍ରଭା ଶତପଥୀ, ରଶ୍ମିରେଖା ମାର୍କା, ଏମଏଲଟି ଲଳିତ କୁମାର ବେହେରା, ଆଟେନାନ ରଣେଶ୍ୱର ମୁଖୀ, ସୁକାନ୍ତ, ସ୍ୱେଚ୍ଛାସେବୀ ରମେଶ ପାତ୍ର, କାଉନଶୀଳର ହରିଶ ଚନ୍ଦ୍ର ଜେନା ପ୍ରମୁଖ ସହଯୋଗ କରିଥିଲେ ।