ଓକିଲ ସଂଘର ବନ୍ଧୁମିଳନ
ନୀଳଗିରି : ରାଜ୍ୟର ସମସ୍ତ ଓକିଲସଂଘର ନିର୍ବାଚନ ସରିଛି । ଏହି ପରିପ୍ରେକ୍ଷୀରେ ନୀଳଗିରି ଉପଖଣ୍ଡ ଓକିଲସଂଘର ସମସ୍ତ ଆଇନଜୀବୀମାନଙ୍କର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ।୨୦୦୦- ୨୦୦୧ ମସିହାରେ ଗଠିତ ଏହି ସଂଘ ଦୀର୍ଘ ୨୫ବର୍ଷଧରି ନିରନ୍ତର ଭାବେ ସହମତି ଭିତ୍ତିରେ ଏହାର ସମସ୍ତ କାର୍ଯ୍ୟକର୍ତ୍ତା ଚୟନ ହୋଇଆସୁଥିବା ବେଳେ ଚଳିତବର୍ଷ ମଧ୍ୟ ଏହିଧାରା ଜାରି ରହିଥିଲା । ଯାହା ସମଗ୍ର ଓଡ଼ିଶା ଓକିଲ ସଂଘରେ ବିରଳ । ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ ଦୀର୍ଘ ୨୫ବର୍ଷ ଧରି ଲଗାତାର ସଂଘର ସଭାପତି ପଦରେ ନିର୍ବାଚିତ ହୋଇ ଆସୁଥିବାବେଳେ ଏହାର ସମସ୍ତ କାର୍ଯ୍ୟକର୍ତ୍ତା ମଧ୍ୟ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେଉଥିବା ଏହି ଉପଲକ୍ଷେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ଫକୀରମୋହନଙ୍କ ଦେୱାନୀ ସମୟରେ ୧୮୮୧ମସିହାରେ ନିର୍ମିତ ବର୍ତ୍ତମାନର ନୀଳଗିରି ଉପଖଣ୍ଡ ଓକିଲସଂଘ କାର୍ଯ୍ୟାଳୟଟି ୧୫୦ବର୍ଷରୁ ଊର୍ଦ୍ଧ୍ୱ ବର୍ଷ ବିତିଯାଇଥିଲେ ମଧ୍ୟ ଏହାର ପୁନରୁଦ୍ଧାର କରାଯାଇ ନାହିଁ । ତେଣୁ ସଂଘ ଏକ ନୂତନଗୃହ ନିର୍ମାଣ ପାଇଁ ସ୍ଥାନୀୟ ବିଧାୟକ ଏବଂ ସାଂସଦ ପାଣ୍ଠିରୁ ଅର୍ଥମଞ୍ଜୁର କରିବା ପାଇଁ ନିବେଦନ କରାଯାଇଥିବା ସୂଚନା ଦେଇଛନ୍ତି । ଏହାବ୍ୟତୀତ ସଂଘକୁ ୨୫ବର୍ଷ ବିତିଯାଇଥିବାରୁ ଏହି ଉପଲକ୍ଷେ ରୌପ୍ୟଜୟନ୍ତୀ ପାଳନ କରାଯିବାର କାର୍ଯ୍ୟକ୍ରମ ହାତକୁ ନେଇଥିବା ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । ସର୍ବୋପରି ସଂଘ ପ୍ରତ୍ୟେକ ମାସର ଶେଷ ଶନିବାର ନିଶୁଳ୍କ ଆଇନସେବା ଓ ପରାମର୍ଶ ଯୋଗାଇଦେବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।