୪ ଘଣ୍ଟାର ଜେରା ପରେ ଅଲ୍ଲୁ ଅର୍ଜୁନଙ୍କୁ ଛାଡ଼ିଲା ପୁଲିସ୍‌

୪ ଘଣ୍ଟାର ଜେରା ପରେ ଅଲ୍ଲୁ ଅର୍ଜୁନଙ୍କୁ ଛାଡ଼ିଲା ପୁଲିସ୍‌

ହାଇଦ୍ରାବାଦ : ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜ୍ଜୁନଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ସନ୍ଧ୍ୟା ଥିଏଟରରେ ଦଳାଚକଟାରେ ମହିଳାଙ୍କ ମୃତୁ୍ୟକୁ ନେଇ ବିବାଦୀୟ ହୋଇଥିବା ଅଲ୍ଲୁଙ୍କୁ ଆଜି ୪ ଘଣ୍ଟା ଜେରା କରିଛି ଚିକ୍କଡ଼ାପଲ୍ଲୀ ପୁଲିସ୍ । ଆଜି ଥାନାରେ ହାଜର ପାଇଁ ଅଲ୍ଲୁଙ୍କୁ ଡକରା ଆସିଥିବା ବେଳେ ଦିନ ୧୧ଟାରେ ସେ  ଥାନାରେ ପହଞ୍ଚ ମହିଳାଙ୍କ ମୃତୁ୍ୟ ସମ୍ବନ୍ଧିତ ଜେରାର ସାମ୍ନା କରିଥିଲେ । ଡିସେମ୍ବର ୪ ସହ ଜଡ଼ିତ ଘଟଣାବଳୀକୁ ନେଇ ପୁଲିସ୍ ଏକାଧିକ ପ୍ରଶ୍ନ ପଚାରିଥିଲା । ବିଶେଷ କରି ଦଳାଚକଟା ଘଟଣା ଦିନ କ’ଣସବୁ ଘଟିଥିଲା ସେ ସବୁ ଉପରେ ପୁଲିସ୍ ପ୍ରଶ୍ନ କରିଥିବା ବେଳେ ଗୋଟି ଗୋଟି କରି ତାହାର ଉତ୍ତର ରଖିଥିଲେ ଅଲ୍ଲୁ ଅର୍ଜ୍ଜୁନ । ଏହାପରେ ପୁଲିସ୍ ତାଙ୍କୁ ଛାଡ଼ିଥିଲା ।
ସୂଚନାଯୋଗ୍ୟ ଗତ ୪ ତାରିଖରେ ସନ୍ଧ୍ୟା ଥିଏଟର୍କୁ ‘ପୁଷ୍ପା-୨’ର ପ୍ରିମିୟର ଶୋ’ ଦେଖିବାକୁ ଆସିଥିଲେ ଅଲ୍ଲୁ । ତାଙ୍କୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିବା ବେଳେ ଦଳାଚକଟା ସ୍ଥିତି ସୃଷ୍ଟି ହୋଇଥିଲା । ଏଥିରେ ୩୫ ବର୍ଷୀୟ ରେବତୀ ନାମକ ଜଣେ ମହିଳାଙ୍କ ମୃତୁ୍ୟ ହୋଇଥିଲା ଓ ତାଙ୍କର ୯ ବର୍ଷର ପୁଅ ଗୁରୁତର ହୋଇ ମେଡିକାଲ୍ରେ ଚିକିତ୍ସାଧୀନ ଅଛନ୍ତି । ଘଟଣା ପରେ ମୃତ ମହିଳାଙ୍କ ସ୍ୱାମୀଙ୍କ ଅଭିଯୋଗ ଆଧାରରେ ଡିସେମ୍ବର ୧୩ ତାରିଖରେ ଅଲ୍ଲୁଙ୍କୁ ପୁଲିସ ଗିରଫ କରିଥିଲା । ଏହାପରେ ତେଲେଙ୍ଗାନା ହାଇକୋର୍ଟରୁ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଛି ।