୪ବର୍ଷ ପୂରିନି, ରାସ୍ତା ଫାଟି ଆଁ : ୭୦ଲକ୍ଷ ଚଳୁ
ଯଖପୁରା: ସଡ଼କ ପଥର ଭିତି ଭୂମି ପାଇଁ ସରକାର ପ୍ରତିଶ୍ରୁତି ବଦ୍ଧ ବୋଲି କହୁଛନ୍ତି । ରାସ୍ତା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାର ଦେଖିବାକୁ ମିଳୁଛି । ମାତ୍ର ରାସ୍ତା କାର୍ଯ୍ୟ ଏତେ ନିମ୍ନ ମାନର ହେଉଛି ଯେ ତାର ଆୟୁ ବହୁତ୍ କମ୍ ଦିନର ଶେଷ ହେଇଯାଉଛି । ଲକ୍ଷଲକ୍ଷ ଟଙ୍କାରେ ନିର୍ମିତ ରାସ୍ତା ଖୁବ୍ କମ୍ ଦିନରେ ଭାଙ୍ଗିରୁଜି ନଷ୍ଟ ହେଇଯାଉଛି । ସେମିତି ଏକ ଦୃଶ୍ୟ ଦାନଗଦୀ ବ୍ଲକ୍ ଅନ୍ତର୍ଗତ କୁମ୍ଭିରଗଡିଆ ପଞ୍ଚାୟତରେ ଦେଖିବାକୁ ମିଳିଛି । ହେତାଗାଡ଼ିଆ ଛକ ଠାରୁ ମାରୁଟିକର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ୬୦ଲକ୍ଷରୁ ଅଧିକ ଟଙ୍କା ବ୍ୟୟବରାଦ କରାଯାଇଥିଲା । ଜିଲ୍ଲା ଖଣିଜ ପାଣ୍ଠିରୁ ଅର୍ଥ ବିନିଯୋଗ ହୋଇଥିଲା । ଏହି ରାସ୍ତାର ଟେଣ୍ଡର ଆହ୍ୱାନ କରାଯାଇ ରାସ୍ତା ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦିଆଯାଇଥିଲା । କାର୍ଯ୍ୟାଦେଶକୁ ପ୍ରଦୀପ ସାମଲ ଓ ପ୍ରଭୁପ୍ରୀୟ ସାମଲ ନାମରେ ଠିକାଦାର ଦିଆଯାଇଥିଲା । ପ୍ରଭୁପ୍ରିୟ ସାମଲଙ୍କ ନାମରେ ୨୭ଲକ୍ଷ ଓ ପ୍ରଦୀପ ସାମଲ ନାମରେ ୩୩ ଲକ୍ଷ ଟଙ୍କାର କାର୍ଯ୍ୟ ପାଇଁ କାର୍ଯ୍ୟାଦେଶ ଦିଆଯାଇଥିଲା । ମାତ୍ର ରାସ୍ତା କାର୍ଯ୍ୟ ନିମ୍ନମାନର ହୋଇଥିଲା ଯେ, ରାସ୍ତାଟି ୩ ରୁ ୪ବର୍ଷ ବି ଗଲାନହିଁ । ୭୦ଲକ୍ଷ ଟଙ୍କାର ରାସ୍ତା କାମ ତିନିବର୍ଷ ଗଲାନାହିଁ । ରାସ୍ତାଟି ଭାଙ୍ଗିରୁଜି ଗଲାଣି ।
ଏହି ରାସ୍ତା ଏକ ପ୍ରମୁଖ ରାସ୍ତା ହୋଇଥିବାରୁ ସବୁବେଳେ ରାସ୍ତାଟି ବ୍ୟସ୍ତ ରହୁଛି । ଆଖପାଖ ଗ୍ରାମର ପ୍ରାୟ ଦଶ ହଜାର ଲୋକ ଏହି ରାସ୍ତା ଉପରେ ନିର୍ଭର କରୁଛନ୍ତି । ଖପୁରିଆପଦା, କୁମ୍ଭିରଗଡ଼ିଆ ଓ ମାଣତୀରା, ଯଖପୁରା ପଞ୍ଚାୟତର ଲୋକମାନେ ବେଶୀ ନିର୍ଭର କରନ୍ତି । ତା ସହିତ ଧର୍ମଶାଳା ନିର୍ବାଚନ ମଣ୍ଡଳୀରୁ ଲୋକମାନେ ଏହି ରାସ୍ତା ଦେଇ ବିଭିନ୍ନ କଳକାରଖାନାକୁ ଯାଇଥାନ୍ତି । ପ୍ରତି ଦିନ ଏହି ରାସ୍ତା ଉପରେ ଅନେକ ପଥଚାରୀ ଯାଇଥାନ୍ତି । ସ୍ଥାନୀୟ ଅଞ୍ଚଳର ଚାଷୀ ମାନେ ମୁଖ୍ୟତଃ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି । ସ୍କୁଲ ପିଲା ଠାରୁ ଆରମ୍ଭ କରି କଲେଜ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପ୍ରତିଦିନ ଏହି ରାସ୍ତା ଉପରେ ଯାଇଥାନ୍ତି । ସେହିପରି ମାରୁଟିକର, ଟିକର ଗ୍ରାମକୁ ରୋଗୀ ସେବା ପାଇଁ ବିଭିନ୍ନ ସମୟରେ ୧୦୮ଆମ୍ବୁଲାନ୍ସ ଏହି ରାସ୍ତା ଉପରେ ଯାଉଥିବାର ଦେଖିବାକୁ ମିଳେ । ମାତ୍ର ରାସ୍ତାର ଅବସ୍ଥା ଶୋଚନୀୟ ଥିବାରୁ ଜନ ସାଧାରଣ ଯିବା ଆସିବା ରେ ଅସୁବିଧା ହେଉଛି । ଯାହାକୁ ନେଇ ସାଧାରଣଲୋକ ମାନଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି । ଠିକାଦାରଙ୍କ ମନମାନି ଓ ଯନ୍ତ୍ରୀ ମାନଙ୍କର ମଧୁଚନ୍ଦ୍ରିକା ପାଇଁ ଜନସାଧାରଣଙ୍କୁ ଆଜି ଦୁର୍ଦ୍ଦଶା ଭୋଗିବାକୁ ପଡୁଛି ବୋଲି କୁହାଯାଉଛି । ରାସ୍ତା ନିର୍ମାଣ ସମୟରେ ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଉଛି ବୋଲି ବାରମ୍ବାର ଅଭିଯୋଗ ହୋଇଥିଲା । ଯାହାକୁ ଠିକାଦାର ଓ କାର୍ଯ୍ୟ ତାଦାରଖ ଦାୟୀତ୍ୱରେ ଥିବା ଯନ୍ତ୍ରୀ କର୍ଣ୍ଣପାତ କରିନଥିଲେ । ଫଳରେ ୭୦ଲକ୍ଷର ରାସ୍ତା କାର୍ଯ୍ୟର ଆୟୁ ଚାରିବର୍ଷ ମଧ୍ୟ ଗଲାନାହିଁ । ଏହାକୁ ନେଇ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ପୁନର୍ବାର ଏହି ରାସ୍ତାର ମରାମତି କରିବା ପାଇଁ ସ୍ଥାନୀୟ ଲୋକ ଦାବି କରିଛନ୍ତି ।