ବିନା ଫଳକରେ କାମ କେତେ ଦିନ ତିଷ୍ଠିବ ରାସ୍ତା?
କାଳିଆପାଣି: ରାସ୍ତା ନିର୍ମାଣ ପାଇଁ କୋଟିକୋଟି ଟଙ୍କା ବିନିଯୋଗ ହେଉଛି । ହେଲେ ରାସ୍ତା ନିର୍ମାଣ କରୁଥିବା ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ରାସ୍ତା ନିମ୍ନ ମାନର ନିର୍ମାଣ କରି ବ୍ୟାପକ ଦୁର୍ନୀତି ହେଉଥିବାର ଅଭିଯୋଗ ହୋଇଛି । ସୁକିନ୍ଦା ବ୍ଲକ ଖଣି ଅଞ୍ଚଳର କାଳିଆପାଣି ପଞ୍ଚାୟତର ଓଁ ଶାନ୍ତି ଗୃହ ନିକଟରେ ଏକ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ରାସ୍ତାର ଫଳକ ନଲଗାଇ କାର୍ଯ୍ୟ କରାଯାଉଛି । ରାସ୍ତାଟି କେଉଁ ବିଭାଗ ଦ୍ୱାରା କରାଯାଉଛି, ତାହା ଗୁପ୍ତ ରଖିବାକୁ ପ୍ରଚେଷ୍ଠା କରାଯାଇଛି । ରାସ୍ତାର ସ୍ତରରେ କେତେ ଇଞ୍ଚର ମେଟାଲିଂ ହେବ, କେତେ ଇଞ୍ଚର ଢ଼ଳାଇ ପଡ଼ିବ, କେଉଁ ଯୋଜନାରେ ଅର୍ଥ ବିନିଯୋଗ ହୋଇଛି କେତେ ଅର୍ଥ ବିନିଯୋଗ ହୋଇଛି, କାର୍ଯ୍ୟାଦେଶ କାହା ନାମରେ ରହିଛି, କାର୍ଯ୍ୟ କେବେ ଶେଷ ହେବ ତାହା ସାର୍ବଜନୀନ ହେବା କଥା । କିନ୍ତୁ ଏଠି ବିନା ଫଳକରେ କାର୍ଯ୍ୟ ଆରମ୍ଭ ହୋଇ କାର୍ଯ୍ୟ ଶେଷ ହେବାକୁ ବସିଥିଲେ ମଧ୍ୟ ସୂଚନା ସାର୍ବଜନୀନ କରାଯାଇନି । ସିମେଣ୍ଟ ଫଳକ ହୋଇଛି, ହେଲେ ସେଥିରେ ରଙ୍ଗ ବୋଳାଯାଇନି, କି ସୂୂଚନା ଲେଖାଯାଇନି । ଏହି ରାସ୍ତା କାର୍ଯ୍ୟରେ ମେଟାଲିଂ କାର୍ଯ୍ୟରେ ବାଲି ଓ ଗୁଡ଼ିର ପରିମାଣ ଅଧିକ ଦେଉଥିବା ବେଳେ ସିମେଣ୍ଟର ପରିମାଣ କମ୍ ଦିଆଯାଉଥିବାର ଅଭିଯୋଗ ହୋଇଛି । ରାସ୍ତା ନିର୍ମାଣ କେବଳ ଉପର ଚିକଣ କରି ବ୍ୟାପକ ଦୁର୍ନୀତି କରିବା ପାଇଁ ଠିକାଦାର ମସୁଧା ଚଳାଇଥିବା ବେଳେ ଏହି କାର୍ଯ୍ୟକୁ ପ୍ରସୟ ଦେଉଛନ୍ତି ବିଭାଗୀୟ ଅଧିକାରୀ । ଏ ସଂକ୍ରାନ୍ତରେ ବିଭାଗୀୟ ଯନ୍ତ୍ରୀ ଗ୍ୟାନରଞ୍ଜନ ବେହେରାଙ୍କ ମତାମତ ନେବା ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍ ଉଠାଇ ନଥିଲେ । ଏଠି ରାସ୍ତା ନିର୍ମାଣ କାର୍ଯ୍ୟରେ ବିଭାଗୀୟ ଅଧିକାରୀ ଓ ଠିକାଦାର ମିଶି ସରକାରୀ ଅର୍ଥକୁ ହରିଲୁଟ କରିବାକୁ ମସୁଧା ଚଳାଇଥିବା ଅଭିଯୋଗ ହେଉଛି । ମୋହନ ସରକାରଙ୍କ ସମୟରେ ଦୁର୍ନୀତିକୁ ପ୍ରସୟ ଦେଉଛନ୍ତି କି ଦୁର୍ନୀତି କରୁଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।