ଡିସେମ୍ବର ପହିଲାରୁ ହେବନି ବସ ଧର୍ମଘଟ
କଟକ : ଡିସେମ୍ବର ପହିଲାରୁ ହେବନି ବସ ଧର୍ମଘଟ । ଡିସେମ୍ବର ୧ ତାରିଖରେ ହେବାକୁ ଥିବା ବସ୍ ଧର୍ମଘଟ ଡାକରାକୁ ପ୍ରତ୍ୟାହୃତ କରିଛନ୍ତି ରାଜ୍ୟ ଘରୋଇ ବସ ମାଲିକ ସଂଘ । ପରିବହନ ବିଭାଗର ଆଲୋଚନା ପରେ ଏଭଳି ନିଷ୍ପତି ନେଇଛି ଘରୋଇ ବସ୍ ମାଲିକ ସଂଘ । ପୁଲିସ ଚେକିଂ ବ୍ୟବସ୍ଥା ଲାଗୁ ହେବନି ପ୍ରତିଶ୍ରୁତି ପରେ ନିଷ୍ପତି । ଏ ସଂପର୍କରେ ସୂଚନା ଦେଇଛନ୍ତି ବସ ମାଲିକ ସଂଘ ସଂପାଦକ ଦେବେନ୍ଦ୍ର କୁମାର ସାହୁ ।
ସୂଚନା ମୁତାବକ, କିଛି ଦିନ ତଳେ ଯାନବାହନ ଚେକିଂ ପାଇଁ ପୋଲିସ ବିଭାଗକୁ ଅତିରିକ୍ତ କ୍ଷମତା ଦେବାକୁ ଘୋଷଣା କରିଥିଲେ ସରକାର । ଯାହାକୁ ଦୃଢ ବିରୋଧ କରିଥିଲା ବସ୍ ମାଲିକ ସଂଘ । ନିଷ୍ପତ୍ତିର ପୁଣିଥରେ ବିଚାର ନହେଲେ ଏହି ବ୍ୟବସ୍ଥା ଲାଗୁ ହେବା ଦିନ ଠାରୁ ପ୍ରତିବାଦ ସ୍ୱରୂପ ବସ୍ ଚଳାଚଳ ବନ୍ଦ ରଖିବାକୁ ଚେତାବନୀ ଦେଇଥିଲା ସଂଘ। ତେବେ ତ୍ୱରିତ ପଦକ୍ଷେପ ଭାବରେ ଏକ ପ୍ରତିନିଧି ମଣ୍ଡଳୀ ପରିବହନ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସାକ୍ଷାତ କରି ସମସ୍ତ ବିଷୟରେ ଅବଗତ କରାଇବା ସହ ଆଲୋଚନା କରିଥିଲେ । ପ୍ରତିନିଧି ମଣ୍ଡଳୀରେ ସଂଘର ସଭାପତି ଲୋକନାଥ ପାଣି, ସାଧାରଣ ସଂପାଦକ ଦେବେନ୍ଦ୍ର କୁମାର ସାହୁ ଓ କୋଷାଧ୍ୟକ୍ଷ ବରଦା ପ୍ରସନ୍ନ ଆଚାର୍ଯ୍ୟ ଯୋଗଦେଇଥିଲେ । ଉଭୟ ପକ୍ଷ ଆଲୋଚନା ପରେ ପୋଲିସ ଚେକିଂ ବ୍ୟବସ୍ଥା ଲାଗୁ ନ ହେବା ନେଇ ପ୍ରତିଶ୍ରୁତି ଦେଇଥିଲା ପରିବହନ ବିଭାଗ । ଏହା ପରେ ଡିସେମ୍ବର ୧ ରୁ ହେବାକୁ ଥିବା ଆନ୍ଦୋଳନ ନିଷ୍ପତ୍ତିକୁ ପ୍ରତ୍ୟାହୃତ କରିଛି ଘରୋଇ ବସ୍ ମାଲିକ ସଂଘ ।