୬୫ ତମ ପୁଲିସ ଶହୀଦ ସ୍ମୃତି ଦିବସ ପାଳିତ


  • କଟକରେ ଶ୍ରଦ୍ଧାଞ୍ଜଳି ଦେଲେ ଡିଜି; ଭୁବନେଶ୍ୱରରେ ସିପି
     ଭୁବନେଶ୍ୱର, ୨୧ା୧୦ : ଟୁଇନସିଟିରେ ପାଳିତ ହେଇଛି ୬୫ ତମ ପୁଲିସ ଶହୀଦ ସ୍ମୃତି ଦିବସ  । କଟକସ୍ଥିତ ପୁଲିସ ମୁଖ୍ୟାଳୟରେ ଥିବା ଅମର ସହିଦ ସ୍ମୃତି ସ୍ତମ୍ଭରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପୁଲିସ ମହାନିଦେ୍ର୍ଦଶକ ଯୋଗେଶ ବାହାଦୁର ଖୁରାନିଆ । ଏହା ସହ ବରିଷ୍ଠ ଆଇପିଏସ୍ ଓ ଓପିଏସ୍ ଅଧିକାରୀମାନେ ମଧ୍ୟ ସହିଦ୍ ସ୍ମୃତି ସ୍ତମ୍ବରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେହିଭଳି ଭୁବନେଶ୍ୱର ସପ୍ତମ ବାଟାଲିୟନରେ ପାଳିତ ହୋଇଥିବା ପୁଲିସ ଶହୀଦ ସ୍ମୁତି ଦିବସରେ ଟୁଇନସିଟି ପୁଲିସ କମିଶସର
    ସୁରେଶ ଦେବଦତ୍ତ ସିଂ ଅମର ସହିଦ ସ୍ମୃତି ସ୍ତମ୍ଭରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହାସହ ଅତିରିକ୍ତ ପୁଲିସ କମିଶନର ଉମାଶଙ୍କର ଦାସ, ଡ଼ିସିପି ପିନାକ ମିଶ୍ର ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
    ଏହି ଅବସରରେ ଡ଼ିଜିପି କହିଛନ୍ତି, ଓଡିଶା ପୁଲିସ ମାଓ ଦମନ କ୍ଷେତ୍ରରେ ଉଲ୍ଲେଖନୀୟ କାମ କରିଛି ଓ ୨୦୨୬ ମାର୍ଚ୍ଚ ସୁଦ୍ଧା ରାଜ୍ୟରେ ମାଓ ଗତିବିଧି ସମ୍ପୂର୍ଣ୍ଣ ଭାବେ ମୁଳପୋଛ କରିବା ପାଇଁ ଲକ୍ଷ୍ୟ । ଏହା ସହ ଓଡିଶା ଓ ଭାରତ ପ୍ରଗତି ଦିଗରେ ଆଗଉଥିବାରୁ ମାଓବାଦୀ ମାନେ ହିଂସା ଛାଡି ଶାନ୍ତିର ମାର୍ଗ ଆପଣେଇବା ପାଇଁ ଆହ୍ୱାନ ଦେଇଛନ୍ତି ପୁଲିସ ଡିଜି । ହିଂସାର ମାର୍ଗ ଛାଡିଲେ ମାଓବାଦୀମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହେବା ପାଇଁ ପୁଲିସ ସମସ୍ତ ସହାୟତା ଯୋଗାଇ ଦେବ ବୋଲି ଏହି ଅବସରରେ କହିଛନ୍ତି ଡିଜିପି ୱାଇ ବି. ଖୁରାନିଆ । ଗତ ବର୍ଷ ଭିତରେ ରାଜ୍ୟରୁ ଦୁଇ ଜଣ ପୁଲିସ କର୍ମଚାରୀ ସହିଦ ହୋଇଛନ୍ତି  । ଶହୀଦ ହୋଇଥିବା କେନ୍ଦ୍ରାପଡ଼ା ଜିଲ୍ଲାର ହିମାଂଶୁ ଶେଖର ରଥ ଓ କଟକ ସହରାଞ୍ଚଳ ପୁଲିସର ପ୍ରଦୀପ ମଲ୍ଲିକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପୁଲିସ ଡ଼ିଜି ।
    ସେହିଭଳି ପୁଲିସ କମିଶନର ସୁରେଶ ଦେବଦତ୍ତ ସିଂ କହିଛନ୍ତି, ୧୯୫୯ ମସିହା ଅକ୍ଟୋବର ୨୧ ତାରିଖ ଦିନ ସିଆଚୀନ ସୀମାନ୍ତ ହଟସ୍ପ୍ରିଙ୍ଗ ଅଞ୍ଚଳରେ ସିଆରପିଏଫର ଏକ ଟୋଲି ପଇଁତରା ମାରୁଥିବା ସମୟରେ ଚୀନ ସୀମାପଟୁ ଅତର୍କିତ ଆକ୍ରମଣ ହୋଇଥିଲା । ଆମର ବୀର ଯବାନ ମାନେ ଅତ୍ୟନ୍ତ ସାହସିକତା ପ୍ରଦର୍ଶନ କରିବା ସହ ଆକ୍ରମଣର ପାଲଟା ଜବାବ ଦେଇ ଦେଶ ମାତୃକା ପାଇଁ ୧୦ ଜଣ ବୀର ଯବାନ ବୀରଗତି ପ୍ରାପ୍ତ ହୋଇଥିଲେ । ଏହି ବଳିଦାନକୁ ମନେ ପକାଇବା ପାଇଁ ତଥା ପ୍ରତି ବର୍ଷ ଦେଶ ମାତୃକା ପାଇଁ ସହିଦ ହେଉଥିବା ପୁଲିସ କର୍ମଚାରୀ ମାନଙ୍କୁ ମନେ ପକାଇବା ପାଇଁ ତଥା ସେମାନଙ୍କର ଆତ୍ମାର ସଦଗତି ନିମନ୍ତେ ଅକ୍ଟୋବର ମାସ ୨୧ ତାରିଖ କୁ ଭାରତ ବର୍ଷର ସମସ୍ତ ପୁଲିସ ବିଭାଗରେ ଶହିଦ ଦିବସ ରୂପେ ପାଳନ କରାଯାଇଆସୁଅଛି । ଧନ ଜୀବନ ସୁରକ୍ଷା ସହ ଶାନ୍ତି ପ୍ରତିଷ୍ଠା ଦିଗରେ କମିଶନରେଟ୍ ପୁଲିସ ସବୁବେଳେ ଦକ୍ଷତାର ସହ କାର୍ଯ୍ୟ କରି ଆସୁଅଛି । ନିଜ ଦାଇତ୍ୱ ପାଳନ ସହ ଜନସେବା କ୍ଷେତ୍ରରେ ବିଶେଷ କରି ବିଭିନ୍ନ ଯାନିଯାତ୍ରା ଏବଂ ଆଇନ ଶୃଙ୍ଖଳା ସମୟରେ ପୁଲିସର କାର୍ଯ୍ୟ ଜନସାଧାରଣଙ୍କ ମଧ୍ୟରେ ଭରସା ସୃଷ୍ଟି କରିପାରିଛି । ଅନେକ ପୁଲିସ କର୍ମଚାରୀ ନକ୍ସଲ ନିୟନ୍ତ୍ରଣ ତଥା ଶାନ୍ତି ରକ୍ଷା ସମୟରେ ନିଜ ଜୀବନକୁ ବଳିଦାନ ଦେଇ ସେମାନଙ୍କ ଦାଇତ୍ୱ ନିର୍ବାହ କରିଛନ୍ତି । ଏହି ଅମର ଶହୀଦ ମାନଙ୍କ ନିକଟରେ କମିଶନରେଟ୍ ପୁଲିସ କୃତଜ୍ଞ୍ । ଆଜି ଦିନରେ କମିଶନରେଟ୍ ପୁଲିସ ବାହିନୀର ସମସ୍ତ ସଦସ୍ୟ ମାନଙ୍କଂ ଶପଥ ନେବାର ଦିନ ଆସିଛି ଯେ, ଆମେ ମିଳିମିଶି ଦେଶ ବିରୋଧୀ ଶକ୍ତିକୁ ସମୂଳେ ଧ୍ୱଂସ କରି ସମାଜରେ ଶାନ୍ତି ମୈତ୍ରୀ ଓ ଐତିହ୍ୟ ପ୍ରତିଷ୍ଠା କରିବା । ଚଳିତ ବର୍ଷ ଭାରତ ବର୍ଷରେ ଶହୀଦ ହୋଇଥିବା ମୋଟ ୨୧୬ ଜଣ ପୁଲିସ କର୍ମଚାରୀ ଏବଂ ସେଥି ମଧ୍ୟରୁ ଓଡ଼ିଶାରୁ ୨ ଜଣ ପୁଲିସ କର୍ମଚାରୀ ଶହୀଦ ହୋଇଛନ୍ତି । ତାଙ୍କର ଅମର ଆତ୍ମା ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସେମାନଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି । ଆସନ୍ତୁ ଆମେ ଶପଥ  ନେବା ଯେ ସେମାନଙ୍କ ବଳିଦାନ ବୃଥା ଯିବନାହିଁ ।