ଜାଣନ୍ତୁ କେଉଁ ଜିଲ୍ଲାରେ ତାଣ୍ଡବ ରଚିବ ବାତ୍ୟା
cyclone

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗର ନିକଟରେ ଲଘୁଚାପ ସୃଷ୍ଟିହୋଇଛି । ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଘନୀଭୂତ ହେବାରେ ଲାଗିଛି । ୨୨ ତାରିଖ ସକାଳ ବେଳକୁ ତାହା ଅବପାତର ରୂପ ନେବା ସହ ୨୩ ତାରିଖରେ ଘୂର୍ଣ୍ଣିବାତ୍ୟା ସୃଷ୍ଟିହେବ । ଏହାପରେ ତାହା ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଅଗ୍ରସର ହୋଇ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ବାତ୍ୟାର ରୂପନେବ । ୨୪ ତାରିଖ ରାତି ଓ ୨୫ ତାରିଖ ଭୋରରେ ତାହା ପୁରୀ ଓ ସାଗର ଦ୍ୱୀପ ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୧୦୦ରୁ ୧୧୦ କିମି ବେଗରେ ପବନ ବହିବ । ଏହାଛଡ଼ା ୨୪ ଓ ୨୫ରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।
ବାତ୍ୟାର ପ୍ରଭାବରେ ୨୩ରୁ ହିଁ ବର୍ଷା ଆରମ୍ଭ ହୋଇଯିବ । ବାଲେଶ୍ୱର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀରେ ପ୍ରବଳ ବର୍ଷା ହେବାର ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅପରପକ୍ଷରେ ୨୪ ପାଇଁ ମୟୂରଭଞ୍ଜ, କଟକ, ଯାଜପୁର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରକୁ ରେଡ଼ ୱାର୍ଣ୍ଣିଂ ଜାରି ହୋଇଥିବାବେଳେ କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଞ୍ଜାମକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଅପରପକ୍ଷରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାଗୁଡ଼ିକ ହେଉଛି ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, କନ୍ଧମାଳ ଓ ଗଜପତି ।
ସେହିପରି ୨୫ରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକରେ ପ୍ରବଳ ବର୍ଷା ହେବାର ଥିବାରୁ ରେଡ଼ ୱାର୍ଣ୍ଣିଂ ଜାରିହୋଇଛି । ଏହାଛଡ଼ା ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରକୁ ଅରେଞ୍ଜ ୱାର୍ଣ୍ଣିର୍ଂ ଏବଂ ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଏହି ସମୟରେ ସମୁଦ୍ର ଅଶାନ୍ତ ରହିବାର ଥିବାରୁ ଉଚ୍ଚ ଜୁଆର ଆସିବ । ସମୁଦ୍ର ଭିତରକୁ ନଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ମଧ୍ୟ ବାରଣ କରାଯାଇଛି । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, କଟକ ଓ ଢେଙ୍କାନାଳରେ ବାତ୍ୟାର ପ୍ରଭାବ ବେଶୀ ପରିଲକ୍ଷିତ ହେବ । କଚ୍ଚାଘର ଭାଙ୍ଗିବା ସହ ବିଦ୍ୟୁତ୍ ଓ ଟେଲି ଯୋଗାଯୋଗ ବ୍ୟବସ୍ଥା ପ୍ରଭାବିତ ହେବ । ବର୍ଷା ପବନରେ ବଡ଼ ବଡ଼ ଡାଳ ଭାଙ୍ଗିବାର ବି ଆଶଙ୍କା ରହିଛି । କେତେକ ସ୍ଥାନରେ ନଦୀର ଜଳସ୍ତର ବଢ଼ିବାର ଥିବାରୁ ହଠାତ୍ ବନ୍ୟା ସମ୍ଭାବନା ବି ଅଛି ।