୭ ସ୍କୁଲ୍ ହେବ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ 

 ବୁଗୁଡା : ସରକାରଙ୍କ ପକ୍ଷରୁ ବିଦ୍ୟାଳୟରେ ପିଲାମାନଙ୍କ ଗୁଣାତ୍ମକ ଶୈକ୍ଷିକର ବୃଦ୍ଧି ନିମନ୍ତେ ବ୍ଲକ ସ୍ତରରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟକୁ ଘୋଷଣା କରାଯାଇଛି  । ଏଥିରେ ସ୍ଥାନୀୟ ବିଧାୟକ ତଥା ମସô୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସୁପାରିସ କ୍ରମେ ବୁଗୁଡା ବ୍ଲକର ୭ଟି ଗୋଟି ବିଦ୍ୟାଳୟକୁ ସ୍ଥାନ ଦିଆଯାଇଥିବା ଜଣାଯାଇଛି  । ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ବାଲିପଦର, ତାଳସାକର, ବିଷ୍ଣୁଚକ୍ର, ଅନ୍ତରପଡା, ପାଙ୍ଗିଡି, କରଚୁଲି ଓ ଆଦିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟରେ ପରିଣତ କରାଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି  । ବୁଗୁଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀ ଚିନ୍ମୟ ମହାପାତ୍ର , ଅତିରିକ୍ତ ଶିକ୍ଷା ଅଧିକାରୀ ଅମିତା କୁମାରୀ ପାଢୀ ବିଭିନ୍ନ ବିଦ୍ୟାଳୟ ବୁଲି ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ପ୍ରସ୍ତୁତ କରିଛନ୍ତି  ।  ସଂପ୍ରତି ଏହି ସମସ୍ତ ବିଦ୍ୟାଳୟରେ ପାଚେରୀ ନିର୍ମାଣ ଠାରୁ ଆରମ୍ବ କରି ଅଡିଟୋରିୟମ, ଅତିରିକ୍ତ ଶ୍ରେଣୀ ଗୃହ, ସ୍କୁଲ ପରିସରରେ ସାଇକେଲ ଷ୍ଟାଣ୍ଡ, ଦିବ୍ୟାଙ୍ଗ ପିଲାଙ୍କ ପାଇଁ ଭିନ୍ନ ଭିନ୍ନ ଶୌଚାଳୟ, ରୋଷେଇ ଘର,ଏପ୍ରୋଚ ରାସ୍ତା, ପ୍ରଧାନ ଶିକ୍ଷକଙ୍କ ସ୍ୱତନ୍ତ୍ର ରୁମ ସହ କମନ ରୁମ, ବୋରୱେଲ ଏବଂ ଓଭର ହେଡ ଟ୍ୟାଙ୍କ ନିର୍ମାଣ କରାଯିବ  । ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ କିଛି ପୁରୁଣାଶ୍ରେଣୀ ଗୃହକୁ ଭଙ୍ଗାଯିବ  । ବିଦ୍ୟାଳୟର ପରିବେଶକୁ ସରସ ସୁନ୍ଦର କରାଯିବା ସହ ସମଗ୍ର ପରିସରକୁ ସିସିଟିଭି ଫୁଟେଜ୍ ମଧ୍ୟରେ ରଖାଯିବ  । ଏହି ପଦକ୍ଷେପକୁ ଅଭିଭାବକ ମହଲରେ ସ୍ୱାଗତ କରାଯାଇଥିବା ବେଳେ ଆଗାମୀ ଦିନରେ ପ୍ରତି ପଞ୍ଚାୟତରେ ଗୋଟିଏ ଲେଖାଏଁ ୟୁପିଏସକୁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଭାବେ ଗ୍ରହଣ ନିମନ୍ତେ ଯୋଜନା ରହିଥିବା ଜଣାଯାଇଛି ।