ଅଜଣା ଜଗତର ଡାକ
ଅଶୋକ ବିଶ୍ୱାଳ : “ପ୍ରକୃତିର ଗୂଢ ରହସ୍ୟ ବୁଝିବା ମନୁଷ୍ୟ ପକ୍ଷେ ଅଦ୍ୟପି ସମ୍ଭବ ହୋଇନି ଆଉ ମନୁଷ୍ୟର ସତ୍ତା ଥିବା ଯାଏ ତାହା ପୂର୍ଣ୍ଣ ସମ୍ଭବ ହେବ କି ନାହିଁ କେହି ଜାଣିନି । ମନୁଷ୍ୟ ପ୍ରକୃତିର ଏକ କ୍ଷୁଦ୍ରତମ ଅଂଶ । ତେଣୁ ପ୍ରକୃତିକୁ ବୁଝିବା ପାଇଁ ତା’ର ବୋଧଶକ୍ତି ସାମାନ୍ୟ ମାତ୍ର । ପୂର୍ଣ୍ଣ ସ୍ୱରୂପ ଜାଣିବା ସମ୍ଭବ ହେବନାହିଁ । ମନୁଷ୍ୟ ମଧ୍ୟରେ ଏତେ ଜ୍ଞାନ କେବେ ଜାଗ୍ରତ ହେବନି । ପ୍ରକୃତିର ଗୂଢ ଜ୍ଞାନ ଜାଣିଲେ ମନୁଷ୍ୟ ମନୁଷ୍ୟ ରହିବନି, ଆଉ କିଛି ରୂପରେ ପରିଣତ ହେବ ।”
“ମନୁଷ୍ୟ କୁହ, କଚ୍ଛପ କୁହ, ଜୀବନର ଯାତ୍ରାକୁ କେତେଜଣ ଠିକଭାବେ ବୁଝିପାରିଛନ୍ତି?”
“ବୋଧହୁଏ କେହି ନୁହେଁ । ନିୟମ ହିସାବରେ ସମସ୍ତେ ଯାତ୍ରା କରିଚାଲିଛନ୍ତି ।” “କହିପାରିବ ଦୁଇଟା ପାଦ ଚାଲୁଛି । କିଛି ଧୂଳି ଉଡୁଛି, ପାଦ ଛାପ କେଉଁଠି ପଡି ପଡି ଯାଉଛି, କେଉଁଠି ଦେଖାଯାଉନାହିଁ । କିନ୍ତୁ ପାଦ ଛାପ ପଡୁଛି । କେଉଁଠି ପାଦରେ ଧୂଳି ଲାଗୁଛି ଆଉ କେଉଁଠି ପାଦର ଧୂଳି ପାଣିରେ ଧୋଇଯାଉଛି । କିନ୍ତୁ ଯାତ୍ରା ଚାଲିଛି । ଏଇଟା କିଛି ଆଶ୍ଚର୍ଯ୍ୟ ଲାଗୁନି କି?”
“ସତରେ ଆଶ୍ଚର୍ଯ୍ୟ ।” “ସେଇମିତି ଏ କଚ୍ଛପର ହଜାର ହଜାର କିଲୋମିଟରର ଯାତ୍ରା । କେଉଁଠି କି ଛାପ ରହୁଛି କେଜାଣି?” “ମନୁଷ୍ୟ ପବନ ବିନା ଯାତ୍ରା କରିପାରିବନି । ତା’ ଉପର ଦେଇ ଶୀତଳ ସମୀରଣ, ଉଷ୍ମ ପବନ, ଋତୁର ମଳୟ ବୋହିଯିବା କଥା ।” “କଚ୍ଛପ ବିନା ବାୟୁରେ ଘଣ୍ଟାଏ ନିଃଶ୍ୱାସକୁ ଅଟକାଇ ପାଣିରେ ରହିପାରେ । କେଉଁ ମନୁଷ୍ୟ ଯୋନି ନେଇଥିବା ଯୋଗୀ ତାହା କରିପାରିବନି । ପ୍ରଥମ ନିଶ୍ୱାସ ନେଇ ଏକ ଛୋଟ ଜୀବନ ଯାତ୍ରା ଆରମ୍ଭ କରି କଚ୍ଛପ ଏକ ମହାନ ଯୋଦ୍ଧାରେ ପରିଣତ ହୁଏ, ବିଶ୍ୱ ବିଜୟୀ ହୋଇଯାଇଥାଏ । କଚ୍ଛପ ଅତି ଗଭୀର ପାଣିକୁ ବୁଡି ଯାଇପାରେ, ଏତେ ଅତଳ ପାଣିକୁ ମନୁଷ୍ୟ ବୁଡି ପାରିବନି ।”- ଅସୀମ ବର୍ଣ୍ଣନା କରୁଥିଲେ କଚ୍ଛପର ଅତି ଅସାଧାରଣ ଗୁଣକୁ, ମନୁଷ୍ୟ ଠାରୁ କେଇ ଗୁଣ ଶ୍ରେଷ୍ଠ ।”
“ଆଜି ଏକ ଯାତ୍ରା ଆରମ୍ଭ ହୋଇପାରେ । ଦେଖିବାକୁ ଯିବ ଶୋଭନା ।”-ଅସୀମ ପ୍ରଶ୍ନ ପଚାରିଲେ । ଶୋଭନା ଚମକି ପଡିଲେ । ଅସୀମ ଭାବିନଥିବା କଥା କହୁଛନ୍ତି । ତାହାହେଲେ ଯାଇହେବ । “କଣ କହୁଛ ଅସୀମ । ମୋତେ ଲାଗୁଛି ମୁଁ ଏଇକ୍ଷିଣି ପବନରେ ଉଡିଯିବି । ଏକ ଘୋଷ ଯାତ୍ରାର ଆରମ୍ଭ ନିଶ୍ଚିତ ଦେଖିବି ଅସୀମ । ଆଉ ବିଳମ୍ବ କରିବିନି ।”
ଅସୀମ ଆଉ ଶୋଭନା ଜମା ବିଳମ୍ବ କଲେନି । ତ୍ୱରିତ ବାହାରି ପଡିଲେ । ଯାତ୍ରା ୪୧ କିମି । ଦୁଇ ଘଣ୍ଟା ପାଖାପାଖି ଲାଗିବ । ସେମାନେ ସମୁଦ୍ରକୂଳରେ ପହଞ୍ଚôଲାବେଳକୁ ସନ୍ଧ୍ୟା ଅନେକ ନଇଁ ଯାଇଥିଲା । “ଅସୀମ ଅନ୍ଧାରରେ ଯାତ୍ରା ଆରମ୍ଭ ହେବ?” “ଶୋଭନା ସବୁ ଯାତ୍ରା ଆଲୋକର ଅନୁପସ୍ଥିତିରୁ ଆରମ୍ଭ ହୁଏ । ଆଉ ଯାତ୍ରା ସଂପୂର୍ଣ୍ଣ ପ୍ରକାଶ ପାଏ ଆଲୋକର ପୂର୍ଣ୍ଣ ପ୍ଲାବନରେ । ମା’ର ଗର୍ଭରେ ଅନ୍ଧାର । ଏକ ଢାଙ୍କି ଦେଇଥିଲା ଭଳି ଅନ୍ଧାର । ଭ୍ରୂଣ ସେଇଠି ବିକଶିତ ହୁଏ । ସବୁ ଅନ୍ଧାରରେ ଆରମ୍ଭ ହୁଏ ।” “ଅସୀମ, ତାହାହେଲେ ସବୁବେଳେ ଅନ୍ଧାରରେ ଯାତ୍ରା ଆରମ୍ଭ ହୁଏ । ଆଲୋକର ପ୍ରକାଶ ପରେ ଆସେ ।”–ଶୋଭନା ଅସୀମଙ୍କ କଥାରେ ଯେମିତି ସମ୍ମୋହିତ ହୋଇଯାଇ ଅସୀମଙ୍କ ମନକଥା ଯେମିତି କହୁଥିଲେ । ସମୁଦ୍ରକୂଳ ଥିଲା ଓଦା ପବନରେ ଭରା । ମୁହଁରେ ଜଳୀୟ ବାଷ୍ଫଭରା ପବନ ପିଟି ହେଉଥିଲା ଆଉ ସେମାନଙ୍କ ଦେହ ରୋମାଞ୍ଚôତ ହୋଇଯାଉଥିଲା । ସେମାନଙ୍କ ସ୍ପଷ୍ଟ ପାଦଛାପ ବାଲି ଉପରେ ପଡୁଥିବ, କିନ୍ତୁ ଅନ୍ଧାରରେ ବାରି ହେଉନଥିଲା । ସମୁଦ୍ରକୂଳର ଉଦ୍ଭିଦମାନ ନିଜ ରଙ୍ଗ ହରାଇଥିଲେ, ଆକାର କେବଳ ବାରିହେଉଥିଲା । ତଳେ ଆଉ କି କି ଜୀବନ ଅଛି ଜାଣି ହେଉନଥିଲା । ସେମାନଙ୍କ ମଧ୍ୟରେ କଥାବାର୍ତ୍ତା ଫୁସଫୁସ ଥିଲା । କିଛି ଲୋକ ଜୋର ଜୋର ପାଦରେ କୂଳରେ ଚାଲୁଥିଲେ । ଏକଦମ ପାଣି ଧାରରେ କଚ୍ଛପ ଅଣ୍ଡା ଦିଅନ୍ତି ନାହିଁ । ସାମାନ୍ୟ ଓଦାଳିଆ ବାଲି ଦରକାର, ଏକଦମ ଓଦା ବାଲି ନୁହଁ । ଆକାଶରେ ଛୋଟ ଖଣ୍ଡି ଜହ୍ନ ଥିଲା । ତାରା ଆଲୁଅ ଆଉ ସାମାନ୍ୟ ଜହ୍ନ ଆଲୋକରେ ସମୁଦ୍ରକୂଳ ଯାହା ଆଲୋକିତ ଥିଲା । ଆଖ ପାଖରେ ନଥିଲା ଆଉ ଅନ୍ୟ କିଛି ଆଲୋକ । “ଏତେ ନିର୍ଜ୍ଜନ ଅସୀମ । ସବୁ ଏଳୁଟିଆ, ସବୁ ନିସ୍ତବ୍ଧ । ସାମାନ୍ୟ ଶବ୍ଦ ନାହିଁ ।”
“ଯାତ୍ରା ସବୁବେଳେ ଏଳୁଟିଆ ଶୋଭନା । ଜୀବନର ଯାତ୍ରା ଏକୁଟିଆ । ଏକ ଶରୀର ଆଉ ଲମ୍ବା ଯାତ୍ରା । ଶରୀର ଗୋଟିଏ ଜାଗାରୁ ଆଉ ଏକ ଜାଗାକୁ ଚାଲିଯାଏ ।” “ଅସୀମ, ଭାବୁଥିଲି କେତେ ରାତ୍ରିଚର ପକ୍ଷୀ ପକ୍ଷୀ ରାବ ଦେଇଥାନ୍ତେ । ଯାତ୍ରାର ଆରମ୍ଭରେ ସାହାନାଇ ବାଜିବାର କଥା, କିଛି ଶଂଖ ଧ୍ୱନୀ ହେବାର କଥା ।”
“ଭାଙ୍ଗି ପଡୁଥିବା ଲହଡିିର ସ୍ୱର କେବଳ ଥିବ ।”
“ଲହଡିର ସ୍ୱର କିନ୍ତୁ କ୍ଷୀଣ ।”
“ରାତ୍ରିରେ ସବୁ ନିସ୍ତବ୍ଧ ହୋଇଯାଏ । ଆରମ୍ଭରେ ସାମାନ୍ୟ ଆୟୋଜନ ଥାଏ ।” “ସବୁ ଗଛରେ ଜୁଳୁଜୁଳୁଆ ପୋକ ଥାଆନ୍ତେ, ସବୁ ଡାଳରୁ ଜଳି ଲିଭି ଯାଉଥାନ୍ତେ, ପୁଣି ଜଳିଉଠୁଥାନ୍ତେ । ଏକ ଖଦ୍ୟୋତର ଉଦ୍ୟାନ ହୋଇଥାନ୍ତା ଅସୀମ ।”
“ତୁମେ ଏତିକିରେ ଅଟକି ଯାଉଛ ।”
“କଣ କହିବାକୁ ଚାହୁଁଛ ଅସୀମ?”
“ଢେଉର ଶିଖରକୁ ଚାହଁ ।”
“ଢେଉ ଏତେ ଛୋଟ, ବାରି ହେଉନାହିଁ ।”
“ଶିଖରର ଶ୍ୱେତ ଧାରକୁ ଦେଖ ଶୋଭନା ।”
“ଅସୀମ ଏକ ଏକ ଶ୍ୱେତଧାର ଭୂମି ଆଡକୁ ଧାଇଁ ଆସୁଛି ।”
“ସେଇଠି ଦେଖ ଖଦ୍ୟୋତର ପରିଧାନ । ସେଇଠି ଜୁଳୁଜୁଳିଆ ପୋକମାନେ ଜଳୁଛନ୍ତି ।” ଶୋଭନା ଦେଖିଲେ ଅସଂଖ୍ୟ ଜୁଳୁଜୁଳିଆ ପୋକ ପ୍ରତିଟି ଢେଉର ଶୀର୍ଷତମ ଶିଖରରେ । (କ୍ରମଶଃ)
ଭୁବନେଶ୍ୱର