ନିର୍ବାଚନ ଇସ୍ତାହାର ଓ ନିଶାମୁକ୍ତ ସମାଜ

ନିର୍ବାଚନ ଇସ୍ତାହାର ଓ ନିଶାମୁକ୍ତ ସମାଜ


ମୁଣ୍ଡ ଉପରେ ନିର୍ବାଚନ । ନିର୍ବାଚନ ବେଳେ ସବୁ ରାଜନୈତିକ ଦଳ ନିର୍ବାଚନ ଇସ୍ତାହାରରେ ନାନା ପ୍ରତିଶ୍ରୁତି ଦିଅନ୍ତି ଅର୍ଥାତ୍ ସେମାନଙ୍କ ଦଳ ଶାସନକୁ ଆସିଲେ ଲୋକମାନଙ୍କ ପାଇଁ କ'ଣ କ'ଣ ସବୁ କରିବେ ସେ ନେଇ ଇସ୍ତାହାରରେ ଘୋଷଣାନାମା ଜାରି କରିଥାନ୍ତି । ଭାରତର ପ୍ରଧାନମନ୍ତ୍ରୀ କହିଛନ୍ତି ପୁରା ଭାରତ ମୋ ପରିବାର । ଇଆଡ଼େ ଓଡ଼ିଶାର ମୁଖ୍ୟମନ୍ତ୍ରୀ କହିଛନ୍ତି ସାଢ଼େ ଚାରିକୋଟି ଓଡ଼ିଶାବାସୀ ମୋ ପରିବାରର । ସବୁଠାରୁ ବଡ଼ କଥା ହେଉଛି ଦେଶବାସୀ ବା ରାଜ୍ୟ ବାସୀଙ୍କୁ ନିଜ ପରିବାର ବୋଲି କହିବା ଏକ ଛୋଟିଆ କଥା ନୁହେଁ କାରଣ ଏସବୁ ଭିତରେ ଜଣଙ୍କର ନିଜ ପରିବାର ଲୋକମାନଙ୍କ ପାଇଁ କେତେ ଯେ ଗୁରୁଦାୟିତ୍ୱ ରହିଛି ତାହା ଚିନ୍ତା କରିବାର ଦରକାର । ଆଜିର ସମୟକୁ ଟିକିଏ ନିରିଖେଇ ଦେଖିଲେ ଜଣାପଡ଼େ ସମାଜରେ ଅନେକ ଦୁଃଖଦ ଓ ସାମାଜିକ ବିଭ୍ରାଟର ମୂଳ କାରଣ ହେଉଛି ନିଶାସେବନ ବା ମଦ୍ୟପାନ ଯାହାକି ଘର ସଂସାର ଠାରୁ ନିଜ କର୍ମକ୍ଷେତ୍ର, ଦୁର୍ଘଟଣାରୁ ଠାରୁ ସଂସାର ଉଜାଡ଼ି ଦେଇଥାଏ ଏହି ଦୁଃଖଦ ବଦଗୁଣଟି । ତେବେ ଏସବୁକୁ ଆମ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ମଧ୍ୟ ଜାଣିଛନ୍ତି । ତେବେ ବାସ୍ତବ କଥା ହେଉଛି ଯଦିଓ ଅନେକ ଯୁକ୍ତି କରନ୍ତି ମଦବିକ୍ରିରୁ ସରକାର ଅପର୍ଯ୍ୟାପ୍ତ ରାଜସ୍ୱ ପାଇଥାନ୍ତି ଯାହାକି ଲୋକମାନଙ୍କ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଖର୍ଚ୍ଚ ହୋଇଥାଏ କିନ୍ତୁ ଏହା କେତେ ଯେ ଘାତକ କ୍ଷତି କରିଥାଏ ତାହା ଅନେକ ଜାଣିନଥିବେ । ତେଣୁ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠୁଛି ନିର୍ବାଚନ ଇସ୍ତାହାରରେ ନିଶାମୁକ୍ତ ସମାଜ ବା ମଦମୁକ୍ତ ସମାଜ ଗଢ଼ିବା ପାଇଁ ପ୍ରୟାସ କ'ଣ ପାଇଁ ହେଉନାହିଁ? 
ରାଜନୈତିକ ଦଳମାନେ ସେମାନଙ୍କ ନିର୍ବାଚନ ଇସ୍ତାହାରରେ ମଦମୁକ୍ତ ଦେଶ ବା ମଦମୁକ୍ତ ରାଜ୍ୟ ଗଠନର ପ୍ରତିବଦ୍ଧତା ତ କାଇଁ ନଜରରେ ପଡ଼ୁନି? ମଦରୁ ରାଜସ୍ୱ ଆସୁଛି ବୋଲି ଯେ ଏହାକୁ ଖାଇ ଲୋକେ ଅସୁସ୍ଥ ହୁଅନ୍ତୁ, ନିଶାଗ୍ରସ୍ତ ହୁଅନ୍ତୁ, ଦୁର୍ଘଟଣାଗ୍ରସ୍ତ ହୁଅନ୍ତୁ ଏବଂ ଅପରାଧୀ ହୁଅନ୍ତୁ କିନ୍ତୁ ମଦ ବିକ୍ରିକୁ ସମ୍ପୂର୍ଣ୍ଣ ଭାବେ ନିଷେଧ କରାଯାଇପାରିବ ନାହିଁ । ଜନପ୍ରତିନିଧିମାନେ ସମଗ୍ର ଦେଶକୁ ଏବଂ ଦେଶବାସୀଙ୍କୁ ନିଜ ପରିବାର ବୋଲି କହିବାରେ ଏତେ ଛଳନା ରହିଛି ତାହା ବେଶ ଅନୁମାନ କରିହୁଏ । ସମଗ୍ର ଦେଶ ବା ରାଜ୍ୟକୁ ନିଜ ପରିବାର ବୋଲି ଭାବୁଥିବା ମୁଖିଆଙ୍କ ପ୍ରଥମ କର୍ତ୍ତବ୍ୟ ହେବା ଉଚିତ ପରିବାର ଲୋକମାନଙ୍କ ପାଇଁ ମଦ କିଭଳି ସହଜଲବ୍ଧ ନହେଉ । ସମଗ୍ର ଦେଶରେ ମଦ ବିକ୍ରି ଉପରେ ରୋକ ନ ଲାଗିଲେ ମଧ୍ୟ ରାଜ୍ୟ ଚାହିଁଲେ ନିଜ ରାଜ୍ୟରେ ଏହାକୁ ବାରଣ କରିପାରିବେ । କିନ୍ତୁ ଲୋକେ କାଳେ ନକଲି ବିଷାକ୍ତ ମଦ ପିଇ ଅସୁସ୍ଥ ହେବେ ଏଇ ନ୍ୟାୟରେ ଅସଲି ମଦ ଲୋକଙ୍କୁ ଯୋଗାଇ ଦେବା ଯେ କେତେ ଆଦର୍ଶଗତ ନିଷ୍ପତ୍ତି ଏକଥା ଯେକେହି କହିବେ । କଂଗ୍ରେସ ତାର ନିର୍ବାଚନ ଇସ୍ତାହାର ବା ଗ୍ୟାରେଣ୍ଟିରେ ଯେଉଁସବୁ ଘୋଷଣା କରିଛି ତା ଭିତରେ ରହିଛି ମଦମୁକ୍ତ ଗାଁକୁ ପୁରସ୍କାର । କିନ୍ତୁ ଯଦି ଥାଆନ୍ତା ମଦକୁ ସମ୍ପୂର୍ଣ୍ଣ ନିଷେଧ କରାଯିବାର ଘୋଷଣା ତାହେଲେ ସେମାନେ ଅନ୍ୟ ଦଳମାନଙ୍କ ଠାରୁ ଲୋକଙ୍କ ପାଇଁ ଯେ ଅଧିକ ଦରଦୀ ଏକଥା ବୁଝା ପଡ଼ନ୍ତା । ତଥାପି ନିଶାମୁକ୍ତ ଗାଁକୁ ପୁରସ୍କାର ମଧ୍ୟ ଏକ ଉତ୍ତମ ଘୋଷଣା । ନିର୍ବାଚନ ସମୟରେ ମଦର ବନ୍ୟା ସହରଠୁ ଗାଁ ସବୁଆଡ଼େ ଜୋରଦାର ଦେଖାଦେଇଥାଏ । ଯୁବଗୋଷ୍ଠୀ ଓ ତଥାକଥିତ କୁଜି ନେତାମାନେ ଏହାକୁ ବଡ଼ ଅସ୍ତ୍ର କରିଥାନ୍ତି ଭୋଟ ଯୋଗାଡ଼ ପାଇଁ । ସାଧାରଣତଃ ଏହି ସମୟରେ ହିଁ ଅନେକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ ତେଣୁ ନିର୍ବାଚନରେ ମଦର ବଡ଼ ଭୂମିକା ରହୁଥିବାରୁ ମଦମୁକ୍ତ ଭାରତ, ମୁକ୍ତମୁକ୍ତ ଓଡ଼ିଶା ବା ମଦମୁକ୍ତ ସମାଜ ତିଆରି ପାଇଁ ଏବଂ ଏହାକୁ ନିର୍ବାଚନ ଇସ୍ତାହାରରେ ରଖାଯାଉ । ସମସ୍ତ ଦଳ ଯଦି ନିର୍ବାଚନ ଇସ୍ତାହାରରେ ଏହି ପ୍ରସଙ୍ଗଟିକୁ ଗୁରୁତ୍ୱ ଦିଅନ୍ତେ ତାହାହେଲେ ଏ ସମାଜର ପ୍ରଭୁତ ମଙ୍ଗଳ ସାଧନ ହୋଇପାରିବ । 
ଡା.ବିଚିତ୍ରାନନ୍ଦ ଆଚାର୍ଯ୍ୟ, ମୋ : ୯୪୩୭୨୪୨୩୧୭