ଚେର ଉପୁଡ଼ିବ ତ?

ବର୍ତ୍ତମାନ କେତେମାସ ହେଲା ରାଜ୍ୟରେ ଦୁର୍ନୀତିଗ୍ରସ୍ତମାନଙ୍କ ଉପରେ ଭିଜିଲାନ୍ସ ଚଢ଼ାଉ ତ୍ୱରାନ୍ୱିତ ହୋଇଛି ଏବଂ ବହୁ ବଡ଼ ବଡ଼ ଦୁର୍ନୀତିଗ୍ରସ୍ତ ଧରା ପଡ଼ିଲେଣି । ଯନ୍ତ୍ରୀ, ତନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କିରାଣୀ, ଚପରାସୀ ଯାଏଁ-ଅନେକ ପଡୁଛନ୍ତି ଭିଜିଲାନ୍ସର ପଞ୍ଝାରେ । ଝୁମ୍ପୁଡ଼ି ଘରେ କୋଟି କୋଟି ଟଙ୍କା ରଖିଥିବା ଭଳି ଦୁର୍ନୀତିଗ୍ରସ୍ତ ମଧ୍ୟ ଆମ ରାଜ୍ୟରେ ଅଛନ୍ତି । ଦେଖିବାକୁ ଗଲେ ସରକାରୀ କର୍ମଚାରୀମାନେ ମାତ୍ରାଧିକ ଦୁର୍ନୀତି କରି ଲୋକମାନଙ୍କୁ ବର୍ଷ ବର୍ଷ ଧରି ସେମାନଙ୍କ ଅଧିକାରରୁ ବଞ୍ଚିତ କରିଛନ୍ତି । ଖାଲି ସେତିକି ନୁହେଁ, ଯେଉଁମାନେ ନିଜର ସ୍ୱର ଉଠାଇ ପାରିନାହାନ୍ତି କିନ୍ତୁ ସେମାନଙ୍କ ଅଧିକାର ବର୍ଷ ବର୍ଷ ଧରି ଛଡ଼େଇ ନିଆଯାଇଛି, ଏବେ ସେହିମାନଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ପାଣ୍ଠି ମୂଷ୍ଟିମେୟ ସରକାରୀ କର୍ମଚାରୀ ଆତ୍ମସାତ୍ କରିଛନ୍ତି ବୋଲି ଜଣାପଡୁଛି । ଏମିତିକି ପ୍ରଶ୍ନ ଉଠୁଛି ଯେ କଣ କେବଳ ସରକାରୀ କର୍ମଚାରୀମାନେ ଏଭଳି ବିପୁଳ ପରିମାଣର ଅର୍ଥ ଆତ୍ମସାତ୍ କରିଛନ୍ତି? ଏମାନଙ୍କ ଉପରେ କୌଣସି ରାଜନୀତିକ ସୁରକ୍ଷା ବଳୟ ନଥିଲା କି? ପୁଣି ଭିଜିଲାନ୍ସ ବିଭାଗ ଦୁର୍ନୀତି ବିଷୟରେ ଜଣେ ସରକାରୀ କର୍ମଚାରୀଙ୍କ ଚାକିରିର ଠିକ୍ ଶେଷ ଅବସ୍ଥାରେ ହିଁ କେମିତି ଜାଣିପାରୁଛନ୍ତି? ବିଶ୍ଳେଷଣ କଲେ ବୁଝି ହେଇଯାଏ ଯେ ଏହା ଯେମିତି ଏକ ସନେ୍ଦହାସ୍ପଦ ଘଟଣା, ରାଜନୀତିକ ପୃଷ୍ଠପୋଷକତାର ଖିଅ ନମିଳିବା ମଧ୍ୟ ଠିକ୍ ସେମିତି ଆଶ୍ଚର୍ଯ୍ୟର କଥା । ଏହା ହିଁ ସନେ୍ଦହକୁ ବଳବତ୍ତର କରୁଛି । ଆଉ ଟିକେ ସରଳରେ କହିଲେ ସବୁ ଅଦେଖା ଭେଦ । ଆଉ କିଛି ନୁହଁ । 
ଦୁର୍ନୀତିର ପାହାଡ଼ ତିଆରି କରିଥିବା କୁବେରମାନେ ନିଶ୍ଚିତ ରୂପେ କୌଣସି ନା କୌଣସି ରାଜନୀତିକ ସୁରକ୍ଷା ବଳୟରେ ଥାଆନ୍ତି ଏବଂ ସେହି ସୁରକ୍ଷା ବଳୟକୁ ଭେଦ କରାଯିବ କି ନାହିଁ ତାହା ଏକ ବଡ଼ ପ୍ରଶ୍ନ । ଗଛରେ ବିଷ ଫଳ ଫଳିବା ବେଳକୁ କେବଳ ଫଳକୁ ତୋଳି ଛିଣ୍ଡାଇ ଦିଆଯାଉଛି, କିନ୍ତୁ ଗଛ ଯେମିତି ସେମିତି ରହିଛି । ଏଭଳି ପରିସ୍ଥିତିରେ ବିଷ ଫଳର ଉତ୍ସ ବଞ୍ଚି ରହିଥିବା ଯୋଗୁଁ ତାହା ପ୍ରତିବର୍ଷ ଫଳିବ ହିଁ ଫଳିବ, ତାକୁ ରୋକା ଯାଇପାରିବ ନାହିଁ । ଅତଏବ, ଦୁର୍ନୀତି ତଦନ୍ତ କ୍ଷେତ୍ରରେ କେବଳ ଗଛର ଫଳ ଉପରେ ନଜର ନ ଦେଇ ଗଛର ମୂଳକୁ ମଧ୍ୟ ଦୃଷ୍ଟି ଦେବା ଉଚିତ୍ । ପୁଣି ପ୍ରଶ୍ନ ଉଠୁଛି ଯେ ଗଛର ମୂଳକୁ ଧରିବା ପାଇଁ ଚେଷ୍ଟା କରିବ କିଏ? କାରଣ ଯେଉଁ ବ୍ୟବସ୍ଥା ଭିତରେ ଦୁର୍ନୀତିକୁ ସୁରକ୍ଷା ଦିଆଯାଇଛି ବର୍ତ୍ତମାନ ସେହି ବ୍ୟବସ୍ଥା ନିଜ ଗୋଡ଼ରେ କୁରାଢ଼ୀ ଚୋଟ କେବେ ହେଲେ ମାରିବ ନାହିଁ ।  ଆଉ ଗୋଟିଏ କଥା ମଧ୍ୟ ଦୃଷ୍ଟିକୁ ଆସୁଛି ଯେ ଦୁର୍ନୀତିଗ୍ରସ୍ତମାନଙ୍କ ଘରେ ଚଢ଼ାଉ ସମୟରେ ଯେିତିକି ପରିମାଣର ଟଙ୍କା କିମ୍ବା ସୁନା ଜବତ୍ ହେଉଛି, ସେଇଟା ପ୍ରକୃତି ପରିମାଣ ତ? କାରଣ ଜବତ୍ ହେଉଥିବା ପରିମାଣକୁ ଯେତିକି ଭାବରେ ଦର୍ଶାଯାଉଛି, ତାହା ମଧ୍ୟ ସନେ୍ଦହଜନକ ବୋଲି ପ୍ରାୟ ସବୁ ସମୟରେ ଅନୁମାନ କରି ହେଉଛି । ଯେତିକି ପରିମାଣ ଜବତ୍ ହେଲା ବୋଲି ଦେଖାଯାଉଛି, ତାର ଅନେକ ଗୁଣ ବର୍ତ୍ତମାନ ଅନ୍ୟ କୌଣସି ଆଡ଼କୁ ଚାଲିଯାଉଛି । ଏଭଳି ଅଭିଯୋଗ କେତେ ଦୂର ସତ୍ୟ ତାହା କେବଳ ସେହି ଦୁର୍ନୀତିଗ୍ରସ୍ତ ବ୍ୟକ୍ତିମାନଙ୍କୁ ହିଁ ଜଣା । ତେଣୁ ଦୁର୍ନୀତିର ଚେର ଉପାଡୁଥିବା ବ୍ୟବସ୍ଥାଟି ଦୁର୍ନୀତିଗ୍ରସ୍ତ କି ନୁହେଁ ତାହା ବି ଜାଣିବା ଦରକାର ।
ସରକାରୀ ହେଉ ଅବା ବେସରକାରୀ ହେଉ ପ୍ରତ୍ୟେକ କାର୍ଯ୍ୟାଳୟରେ ସିଧା ଭାବରେ କିଛି କାମ ହେଉ ନାହିଁ । ସାଧାରଣ ଭାବରେ କୌଣସି କାମର ପରବର୍ତ୍ତୀ ତାରିଖ ମଧ୍ୟ ବିନା ହାତଗୁଞ୍ଜାରେ ଜାଣିବା ଅସମ୍ଭବ । ତେଣୁ କିଛି ଦୁର୍ନୀତିଗ୍ରସ୍ତଙ୍କୁ ଧରିଲେ ଦୁର୍ନୀତି ଦୂର ହେବ ନାହିଁ; ବରଂ ଦୁର୍ନୀତି ସୁବ୍ୟବସ୍ଥିତ ହୋଇଯିବ । ଏଭଳି କୌଣସି ଏକ ପରିସ୍ଥିତି ସୃଷ୍ଟି ହେବା ପୂର୍ବରୁ ଉଭୟ ବ୍ୟବସ୍ଥା ଏବଂ ଜନତା ସତର୍କ ହୁଅନ୍ତୁ ।