ଅନ୍ତର୍ଜାତୀୟ ଆଇଡିଆ ଅଧ୍ୟକ୍ଷତା ଗ୍ରହଣ କଲେ ଜ୍ଞାନେଶ କୁମାର
ନୂଆଦିଲ୍ଲୀ : ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ୨୦୨୬ ମସିହା ପାଇଁ ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଫର୍ ଡେମୋକ୍ରାସି ଆଣ୍ଡ ଇଲେକ୍ଟୋରାଲ ଆସିଷ୍ଟାନ୍ସ (ଅନ୍ତର୍ଜାତୀୟ ଆଇଡିଆ)ର ସଦସ୍ୟ ରାଷ୍ଟ୍ର ପରିଷଦର ଅଧ୍ୟକ୍ଷତା ଗ୍ରହଣ କରିଛନ୍ତି । ସ୍ୱିଡେନରେ ନିଯୁକ୍ତ ଥିବା ଭାରତର ରାଷ୍ଟ୍ରଦୂତ ଅନୁରାଗ ଭୂଷଣ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ । ଏହି ଅଧ୍ୟକ୍ଷତା ଭାରତ ନିର୍ବାଚନ ଆୟୋଗକୁ ଏକ ବିଶ୍ୱସନୀୟ ଏବଂ ନବସୃଜନଶୀଳ ନିର୍ବାଚନ ପରିଚାଳନା ସଂସ୍ଥା ଭାବେ ବିଶ୍ୱସ୍ତରୀୟ ସ୍ୱୀକୃତି ପ୍ରଦାନ କରିଛି । ଅନ୍ତର୍ଜାତୀୟ ଆଇଡିଆର ପ୍ରତିଷ୍ଠାତା ସଦସ୍ୟ ଭାବେ ଭାରତ, ସଂଗଠନର କାର୍ଯ୍ୟକାରିତା, ଗଣତାନ୍ତ୍ରିକ ଆଲୋଚନା ଏବଂ ସଂସ୍ଥାଗତ ଉନ୍ନତିରେ ନିରନ୍ତର ଅବଦାନ ବଜାୟ ରଖିବ ।
କହୋମରେ ପହଞ୍ଚିବା ପରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ସ୍ୱିଡେନରେ ନିଯୁକ୍ତ ଥିବା ଭାରତର ରାଷ୍ଟ୍ରଦୂତ ଅନୁରାଗ ଭୂଷଣ ସ୍ୱାଗତ କରିଥିଲେ । ସେ ଅନ୍ତର୍ଜାତୀୟ ଆଇଡିଆର ମହାସଚିବ ଡକ୍ଟର କେଭିନ୍ କାସାସ୍-ଜାମୋରାଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଅଧ୍ୟକ୍ଷତା ଗ୍ରହଣ କରିବା ପରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ତାଙ୍କ ଅଭିଭାଷଣରେ, ଭାରତରେ ୨୮ଟି ରାଜ୍ୟ ଏବଂ ୮ଟି କେନ୍ଦ୍ରଶାସିତ ଅଞ୍ଚଳରେ ୯୦୦ ମିଲିୟନରୁ ଅଧିକ ଭୋଟରଙ୍କ ବିଷୟର କହି ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ । ୨୦୨୪ ସାଧାରଣ ନିର୍ବାଚନ ଉପରେ ପ୍ରତିଫଳିତ କରି ସେ ୬ଟି ଜାତୀୟ ଏବଂ ୬୭ଟି ରାଜ୍ୟ ଦଳ ସମେତ ୭୪୩ ରାଜନୈତିକ ଦଳରୁ ୨୦,୦୦୦ରୁ ଅଧିକ ପ୍ରାର୍ଥୀଙ୍କ ଅଂଶଗ୍ରହଣ ବିଷୟରେ ମଧ୍ୟ ଆଲୋକପାତ କରିଥିଲେ । ୧୦ ଲକ୍ଷରୁ ଅଧିକ ବୁଥ୍ ସ୍ତରୀୟ ଅଧିକାରୀ ଏବଂ ୫୦ ଲକ୍ଷ ପୋଲିଂ କର୍ମଚାରୀ ସମେତ ୨ କୋଟିରୁ ଅଧିକ ନିର୍ବାଚନ କର୍ମଚାରୀ ଏହି କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ତାଙ୍କ ଅଧ୍ୟକ୍ଷ ଅବଧିରେ ସେ ଦୁଇଟି ପ୍ରମୁଖ ସ୍ତମ୍ଭ ଉପରେ ବିଶେଷ ଧ୍ୟାନ ଦେବେ ବୋଲି କହିଛନ୍ତି । ଯଥା - ଭବିଷ୍ୟତ ପାଇଁ ଗଣତନ୍ତ୍ରର ପୁନଃକଳ୍ପନା ଓ ସ୍ଥାୟୀ ଗଣତନ୍ତ୍ର ପାଇଁ ସ୍ୱାଧୀନ ଏବଂ ବୃତ୍ତିଗତ ନିର୍ବାଚନ ପରିଚାଳନା ସଂସ୍ଥା । ଭାରତ ଅଧ୍ୟକ୍ଷତାରେ ମରିସସ୍ ଓ ମେକ୍ସିକୋ ୨୦୨୬ ମସିହା ପାଇଁ ଅନ୍ତର୍ଜାତୀୟ ଆଇଡିଆ ପରିଷଦର ଉପାଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରିବେ ।