ଅନ୍ତିମ ପର୍ଯ୍ୟାୟରେ ପଟିଦିଅଁ ପ୍ରସ୍ତୁତି

 ପୁରୀ : ଦେବସ୍ନାନ ପୂର୍ଣ୍ଣମୀରେ ୧୦୮ଗଡ଼ୁ ସୁଶୀତଳ ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ୱରାକ୍ରାନ୍ତ ହୋଇ ଅଣସର ପିଣ୍ଡିରେ ଅବସ୍ଥାନ କରିବେ ଚତୁର୍ଦ୍ଧାମୂର୍ତ୍ତି । ଅଣସର ସମୟରେ ପଟିଦିଅଁ ପୂଜା ପାଇବେ । ଅଣସର ଘରେ ପତିମହାପାତ୍ର ଓ ଦଇତାପତିମାନଙ୍କ ଦ୍ୱାରା ବିଭିନ୍ନ ଗୁପ୍ତ ନୀତି ଓ ଉପଚାର କରାଯିବ । ପଟିରେ ପ୍ରଭୁ ବଳଭଦ୍ର ଅନନ୍ତ ବାସୁଦେବ, ଶ୍ରୀଜଗନ୍ନାଥ ଅନନ୍ତ ନାରାୟଣ, ଦେବୀ ସୁଭଦ୍ରା ଭୁବନେଶ୍ୱରୀ ଓ ଶ୍ରୀ ସୁଦର୍ଶନ ପତିତପାବନ ରୂପେ ପୂଜା ପାଇଥାନ୍ତି । ପଟିଦିଅଁଙ୍କ ସମ୍ମୁଖରେ ଖଟ ଉପରେ ବିଜେ କରନ୍ତି ମଦନମୋହନ, ଦୋଳଗୋବିନ୍ଦ, ରାମକୃଷ୍ଣ, ନୃସିଂହ, ଭୂଦେବୀ ଓ ଶ୍ରୀଦେବୀ । ପରମ୍ପରା ଅନୁଯାୟୀ ରୁକ୍ମିଣୀ ହରଣ ଏକାଦଶୀ  ଠାରୁ  ଆରମ୍ଭ ହୋଇଥିଲା ପଟିଦିଅଁ ପ୍ରସ୍ତୁତି । ଚଳିତବର୍ଷ ଚିତ୍ରକର ସାହିରେ ଅନନ୍ତ ମହାରଣାଙ୍କ ନେତୃତ୍ୱରେ ତାଙ୍କର ପରିବାର ଓ ସମ୍ପର୍କୀୟଙ୍କ ଦ୍ୱାରା ପ୍ରସ୍ତୁତ କରାଯାଉଛି  ଅନନ୍ତ ବାସୁଦେବ ଓ ଭୁବନେଶ୍ୱରୀଙ୍କ ପଟିଚିତ୍ର । ୫ଫୁଟ୍ ଲମ୍ବ ଓ ୪ଫୁଟ୍ ଓସାର ବିଶିଷ୍ଟ କନାରେ ତେନ୍ତୁଳି ମଞ୍ଜି, ଅଠା ଓ ପଥର ଖଡ଼ିର ପ୍ରଲେପ ଦିଆଯାଇ ପ୍ରଥମେ ଖଦଡ଼ବରଡ଼ା ଓ ପରେ ଚିକ୍କଣ ବରଡ଼ାରେ ପଟିକୁ ଘସାଯାଇ ପଟି ଉପରେ ପ୍ରଭୁ ବଳଭଦ୍ରଙ୍କୁ ଅନନ୍ତ ବାସୁଦେବ ଓ ଦେବୀ ସୁଭଦ୍ରାଙ୍କୁ ଭୁବନେଶ୍ୱରୀ ରୂପରେ ଚିତ୍ରିତ କରାଯାଉଛି । ୫ଫୁଟ୍ ୪ଇଞ୍ଚ ଲମ୍ବ ଓ ସାଢେ ୩ଇଞ୍ଚ ଓସାର ବିଶିଷ୍ଟ କପଡ଼ାରେ ଅନନ୍ତ ନାରାୟଣ ରୂପେ ଚିତ୍ରିତ ହେଉଛନ୍ତି ଶ୍ରୀ ଜଗନ୍ନାଥ । ଦେବସ୍ନାନ ପୂର୍ଣ୍ଣମି ରାତିର ବିଳମ୍ବିତ ପ୍ରହରରେ ଶ୍ରୀଜୀଉମାନେ ସ୍ନାନବେଦୀରୁ ପହଣ୍ଡି ହୋଇ ଅଣସର ପିଣ୍ଡିରେ ଅବସ୍ଥାନ କରିବା ପରେ ଚିତ୍ରକର ସେବକମାନଙ୍କ ଘରୁ ପଟିଦିଅଁଙ୍କୁୁ ଶ୍ରୀମନ୍ଦିରକୁ ନିଆଯାଇଥାଏ । ପୂଜାପଣ୍ଡା ସେବକ ଛାମୁ ଦିହୁଡ଼ି ଓ ଘଣ୍ଟଛତା କାହାଳୀ ସହ ଚିତ୍ରକର ସେବକଙ୍କ ଘରେ ପହଞ୍ଚନ୍ତି ଓ ସେଠାରୁ ଶାଢୀ ବନ୍ଧା ଚିତ୍ରକର ସେବକମାନଙ୍କ ଦ୍ୱାରା ପଟିଦିଅଁଙ୍କୁ ଶ୍ରୀମନ୍ଦିରକୁ ନିଆଯାଏ । ଅଣସର ତାଟିରେ ସଂସ୍ଥାପିତ ହୋଇ ଏହି ପଟିଦିଅଁମାନେ ପୂଜା ପାଇଥାନ୍ତି ।