ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ
ଯାଜପୁର ଟାଉନ: ମଙ୍ଗଳବାର ରାତିରେ ଯାଜପୁର ଟାଉନ ଗରିଆପୁର ଅଂଚଳର ଅବସରପ୍ରାପ୍ତ ଶିକ୍ଷକ ତଥା ବିଶିଷ୍ଟ ସମାଜସେବୀ ନିତ୍ୟାନନ୍ଦ ସାହୁ (୭୫)ଙ୍କ ପରଲୋକ ଘଟିଛି । ସ୍ୱର୍ଗତ ସାହୁ ଜଣେ ପରୋପକାରୀ, ମିଷ୍ଟଭାଷୀ, ସଚ୍ଚୋଟ ଏବଂ ସ୍ୱାଭିମାନୀ ଭାବେ ଅଂଚଳରେ ପରିଚିତ ଥିଲେ । ସ୍ୱର୍ଗତ ସାହୁ ଗରିଆପୁର ଶ୍ୟାମାପୂଜା କମିଟିର ବରିଷ୍ଟ ସଦସ୍ୟ ଥିବାବେଳେ ତାଙ୍କ ମୃତୁ୍ୟ ପାଇଁ ଗରିଆପୁର ବ୍ୟବସାୟ ସଂଘ ପକ୍ଷରୁ ସମସ୍ତ ଦୋକାନ ବନ୍ଦ ରଖାଯାଇଥିଲା । ମରଶରୀର ଗରିଆପୁର ସ୍ଥିତ ବାସଭବନରେ ପହଁଚିବା ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ଯାଜପୁର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ, ବରିଷ୍ଠ ବିଜେଡି ନେତା କର୍ଣ୍ଣାଟ କେଶରୀ ଦାସ, ଯାଜପୁର ପୌରାଧ୍ୟକ୍ଷା ରଞ୍ଜୁଲତା ହୋତା, ପୂର୍ବତନ ପୌରାଧ୍ୟକ୍ଷ ଭବପ୍ରସାଦ ଦାସ, ଉପାଧ୍ୟକ୍ଷ ସନ୍ତୋଷ ମଲ୍ଲିକ, ସମସ୍ତ କାଉନସିଲର, ଶିଶିର ନାୟକ, ସନ୍ତୋଷ ନନ୍ଦ, ଜଗନ୍ନାଥ ଦାସ, ବଟକୃଷ୍ଣ ମହାପାତ୍ରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ । ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ଅଣାଯାଇ ବାରୁଣୀ ପରିଡା ମହା ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ବଡ଼ପୁଅ ମନୋଜ ମୁଖାଗ୍ନୀ ଦେଇଥିଲେ ।