ଅଣ ଚଉଡା ରାସ୍ତା ପାଲଟିଛି ଦୁର୍ଘଟଣାର କାରଣ ; ତାରିଣୀ ଛକ-ତନ୍ତୀଘାଇ ରାସ୍ତା ସମ୍ପ୍ରସାରଣ ଦାବି
ବରୀ : ସରକାର ଗ୍ରାମାଞ୍ଚଳ ହେଉ କି ସହରାଞ୍ଚଳ ରାସ୍ତାକୁ ସଂପ୍ରସାରଣ ପାଇଁ ଅର୍ଥ ବରାଦ କରୁଥିବା ବେଳେ ବରୀ ବ୍ଲକର ତାରିଣୀଛକ-ତନ୍ତୀଘାଇ ରାସ୍ତା କିନ୍ତୁ ଅଣ ଚଉଡ଼ା ଅବସ୍ଥାରେ ରହିଛି । ଯେଉଁ ରାସ୍ତା ଉପରେ ବରୀ, ବିଞ୍ଝାରପୁର, ଯାଜପୁର ବ୍ଲକ ଅଞ୍ଚଳର ବହୁ ଜନସାଧାରଣଙ୍କ ପ୍ରମୂଖ ରାସ୍ତା ଭାବେ ପରିଚିତ । ହେଲେ ଅଣ ଚଉଡ଼ା ରାସ୍ତା କାରଣରୁ ଗୋଟିଏ ଗାଡ଼ି ଗଲେ ଆଉ ଗୋଟିଏ ଗାଡି ଯିବା ସହଜ ହୁଏନି । ଏହି କାରଣରୁ ବିଭିନ୍ନ ସମୟରେ ଛୋଡ଼ବଡ଼ ଦୁର୍ଘଟଣାମାନ ଘଟିଥାଏ । ସଂପୃକ୍ତ ରାସ୍ତା ଦେଇ ସ୍କୁଲକୁ ଯାଉଥିବା ଛାତ୍ରଛାତ୍ରୀ ନିଜକୁ ଅସୁରକ୍ଷିତ ମଣିଥାନ୍ତି । ସଂପୃକ୍ତ ରାସ୍ତାଟି ଜଳ ସଂପଦ ଏବଂ ପୂର୍ତ ବଭାଗ ଭଳି ଦୁଇଟି ଦୁଧିଆଳି ବିଭାଗ ଅଧିନରେ ରହିଥିଲେ ବି ସଂପ୍ରସାରଣ ଚିନ୍ତା ନକରିବା ଅଞ୍ଚଳବାସୀଙ୍କୁ ବ୍ୟଥିତ କରିଛି । ଖବର ମତେ ବରୀ ନିର୍ବାଚନମଣ୍ଡଳୀ ବରୀ-ବରୁଅାଁ ମୁଖ୍ୟ ରାସ୍ତାରୁ ପଡ଼ିଛି ତାରିଣୀଛକ-ତନ୍ତୀଘାଇ ରାସ୍ତା ଜଳସମ୍ପଦ ବିଭାଗ ଅଧିନରେ ରହିଛି । ଏହି ରାସ୍ତାଟି ବହୁ ଦିନ ହେବ ଅବହେଳିତ ଅବସ୍ଥାରେ ପଡ଼ିରହିଛି । ଯାହାକି ଲୋକଙ୍କ ଯାତାୟତ ଲାଗି ବହୁ ଅସୁବିଧାର କାରଣ ସାଜିଛି ।
ଅନ୍ୟପକ୍ଷରେ ତନ୍ତୀଘାଇ ସେତୁ ପର୍ଯ୍ୟନ୍ତ ଯାଇଥିବା ପୂର୍ତ ବିଭାଗର ନଦୀବନ୍ଧ ରାସ୍ତାଟିର ଅବସ୍ଥା ମଧ୍ୟ ଶୋଚନୀୟ ହୋଇପଡିଛି । ରାସ୍ତା ଉପରେ ପିଚୁ ଉଠି ଖାଲ ହେବା ଦ୍ୱାରା ବର୍ଷା ପାଣି ଜମୁଛି । ଉଭୟ ରାସ୍ତାରେ ଗୋଟେ ଯାନ ଗଲେ ଅନ୍ୟଯାନ ଯାତାୟତ କରିବା କାଠିକର ପାଠ ହେଉଛି । ବହୁ ସମୟରେ ଦୁର୍ଘଟଣା ମଧ୍ୟ ଘଟୁଛି । ଏହି ରାସ୍ତାରେ ପ୍ରତିଦିନ ଛାତ୍ରଛାତ୍ରୀ,୨ଚକିଆ ଯାନ, ଯାତାୟତ କରୁଥିବାରୁ ଗୋଟେ ଗାଡି ଆସିଲେ ଅନ୍ୟଗାଡି ଯିବା କଷ୍ଟକର ହେଉଛି । ଉକ୍ତ ରାସ୍ତାରେ ବରୀ ନିର୍ବାଚନମଣ୍ଡଳୀ ଯାଜପୁର ବ୍ଲକର ଛତିଶଦେବିଲ, ସୁଜନପୁର, ସାନସୁଆର, ବଡ଼ସୁଆର, ମାର୍କଣ୍ଡପୁର ସେହିପରି ବରୀ ବ୍ଲକର ଭଅଁରା, ବୋଦୁଅ ପଞ୍ଚାୟତ ସମେତ ବିଞ୍ଝାରପୁର ଅଂଚଳର ବହୁ ଜନ ସାଧାରଣ ମୁଖ୍ୟ ରାସ୍ତା ଭାବି ଯାତାୟତ କରୁଥିବା ବେଳେ ଯାଜପୁରର ମା’ବିରଜାଙ୍କ ଦର୍ଶନ ସହିତ ଯାଜପୁର ସଦର ମହାକୁମକୁ ଯାତାୟତ କରିଥାନ୍ତି । ଆଖପାଖ ଅଂଚଳର ଜନସାଧାରଣ ପ୍ରତିଦିନ ଏହି ରାସ୍ତା ଉପରେ ଯାତାୟତ ନିର୍ଭର କରିଥାନ୍ତି । ଦୀର୍ଘ ଦିନ ଉଭୟ ରାସ୍ତାଟି ଅଣଚଉଡା ସାଙ୍ଗକୁ ପିଚୁ ଉଠିଗଲାଣି ତୁରନ୍ତ ଉଭୟ ବିଭାଗ ଏହି ରାସ୍ତା ଉଭୟ ପାର୍ଶ୍ୱ ମରାମତି କରିବା ସହିତ ରାସ୍ତାର ସମ୍ପ୍ରସାରଣ କରିବାକୁ ଅଞ୍ଚଳବାସୀ ପକ୍ଷରୁ ଦୃଢ଼ ଦାବି ହେଉଛି ।