ନବଜାତ ଶିଶୁ କନ୍ୟା ଉଦ୍ଧାର
ଦାନଗଦୀ : ଯାଜପୁର ରୋଡ଼ ଥାନା ଅନ୍ତର୍ଗତ ପାଇକରାପୁର ଗାଁରୁ ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଛି । ଶିଶୁଟିକୁ ଦାନଗଦୀ ମେଡ଼ିକାଲରେ ପ୍ରାଥମିକ ଚିକିତ୍ସା ପରେ କଟକ ଶିଶୁ ଭବନକୁ ସ୍ଥାନାନ୍ତର କରାଯାଇଛି । ଖବର ମୁତାବକ ଆଜି ସକାଳୁ ଗାଁର ଅନାଦି ମଳିକଙ୍କ ଘର ନିକଟରେ ନବଜାତ ଶିଶୁ କନ୍ୟାକୁ ଦେଖି ପରିବାର ଲୋକେ ଯାଜପୁର ରୋଡ଼ ଥାନାକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଁଚି ଶିଶୁଟିକୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଶିଶୁ କନ୍ୟାକୁ କଟକ ଶିଶୁ ଭବନକୁ ସ୍ଥାନାନ୍ତର କରିଛନ୍ତି ଡାକ୍ତର । ତେବେ ଶିଶୁଟି କାହାର ଓ ଏଠାକୁ କିପରି ଆସିଲା ସେ ବିଷୟରେ କୌଣସି ସୂଚନା ମିଳିପାରି ନାହିଁ । ପୁଲିସ ପାଇକରାପୁର ଗାଁରେ ପହଁଚି ଘଟଣାର ତଦନ୍ତ ଜାରି ରଖିଛି ।