ଅଭିଭାବକ ଶିକ୍ଷକ ବୈଠକ : ଶିକ୍ଷାର ଗୁଣାତ୍ମକ ବିକାଶ ଉପରେ ଆଲୋଚନା
ଭୁବନେଶ୍ୱର : ଚଳିତ ଶିକ୍ଷାବର୍ଷ ୨୦୨୫-୨୬ର ପ୍ରଥମ ଅଭିଭାବକ, ଶିକ୍ଷକ, ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ବୈଠକ ସାରା ରାଜ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଦ୍ୟାଳୟ ଶିକ୍ଷା ଏବଂ ଛାତ୍ରଛାତ୍ରୀମାନଙ୍କର ଗୁଣାତ୍ମକ ଶିକ୍ଷାର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା । ବୈଠକରେ ଶିଶୁ ବାଟିକାରୁ ଦଶମ ଶ୍ରେଣୀ ଯାଏଁ ଶିକ୍ଷାର୍ଥୀଙ୍କ ଅଭିଭାବକ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କର ସମାପ୍ତି ସୂଚକ ଆକଳନ- ୨ ର ଉପଲବ୍ଧିକୁ ଅଭିଭାବକଙ୍କ ନିକଟରେ ଉପସ୍ଥାପନ କରାଯାଇଛି । ଶୈକ୍ଷିକ କ୍ୟାଲେଣ୍ଡର, ମାଗଣାରେ ପାଠ୍ୟପୁସ୍ତକ ଯୋଗାଣ, ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା, ଅଧାରୁ ପାଠ ଛାଡୁଥିବା, ନାମ ଲେଖାଇ ନଥିବା, ବିଦ୍ୟାଳୟ ବାହାରେ ଥିବା ପିଲାଙ୍କ ସର୍ବେକ୍ଷଣ ଓ ସେମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବାକୁ ଅଭିଯାନ, ପିଲାଙ୍କ ଶିକ୍ଷଣ ଅଭିବୃଦ୍ଧି ନିମନ୍ତେ ଗ୍ରୀଷ୍ମ ଅବକାଶରେ ଗୃହକାର୍ଯ୍ୟ, ଅଂଶୁଘାତ ପ୍ରତି ସାବଧାନତା ଆଦି ବିଷୟରେ ବୈଠକରେ ଆଲୋଚନା କରାଯାଇଛି ।
ଏଠାରେ ପ୍ରକାଶ ଥାଉକି, ଅଭିଭାବକ ଶିକ୍ଷକ-ସମ୍ମିଳନୀ ରାଜ୍ୟବ୍ୟାପୀ ଗୋଟିଏ ଦିନରେ ଅନୁଷ୍ଠିତ ହୋଇଯାଇଛି । ଛାତ୍ରଛାତ୍ରୀ ତଥା ବିଦ୍ୟାଳୟର ଉନ୍ନତିକରଣ ପ୍ରକ୍ରିୟାରେ ଗୋଷ୍ଠୀ ଓ ଅଭିଭାବକମାନେ ସମ୍ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ମତବ୍ୟକ୍ତ କରିଥିଲେ । ରାଜ୍ୟସରକାରଙ୍କ ତରଫରୁ ଆୟୋଜିତ ଏହି ସମ୍ମିଳନୀରେ ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ଅଭିଭାବକମାନେ ପ୍ରଶଂସା କରିଥିଲେ । ଉକ୍ତ ସମ୍ମିଳନୀକୁ ଶିକ୍ଷାବିଭାଗର ବିଭିନ୍ନ ଅଧିକାରୀମାନେ ଯୋଗଦାନ କରି ଏହାର ତଦାରଖ ଓ ପରିଦର୍ଶନ କରିଥିଲେ ।